Latest Odisha News

BREAKING NEWS

ମହିଳା ଡାକ୍ତରଙ୍କ ହତ୍ୟା ପରେ କେରଳରେ ତେଜିଲା ଡାକ୍ତର ଆନ୍ଦୋଳନ; ସ୍ୱାସ୍ଥ୍ୟ ସେବା ଠପ୍

ଥିରୁଭନନ୍ତପୁରମ: ରୋଗୀର ଆକ୍ରମଣରେ ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ କେରଳରେ ଡାକ୍ତରଙ୍କ ଆନ୍ଦୋଳନ ତେଜିଛି। ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଡାକ୍ତରୀ ଆନ୍ଦୋଳନ ଜାରି ରହିଛି। ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏକଦମ ଠପ୍ ହୋଇଯାଇଛି।

ବୁଧବାର(ମେ ୧୦) ସକାଳେ ଏକ ହସ୍‌ପିଟାଲ୍‌ରେ ଜଣେ ରୋଗୀ ସର୍ଜିକାଲ୍‌ ବ୍ଲେଡ୍‌ରେ ଡାକ୍ତର ବନ୍ଦନା ଦାସଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହେବା ପରେ ରାଜ୍ୟସାରା ଡାକ୍ତରମାନେ ଆନ୍ଦୋଳନ କରିଛନ୍ତି।

ବନ୍ଦନାଙ୍କୁ ହତ୍ୟା କରିଥିବା ବ୍ୟକ୍ତିର ପରିଚୟ ମିଳିଛି। ହତ୍ୟାକାରୀ ନାଁ ସନ୍ଦୀପ ହୋଇଥିବା ବେଳେ ସେ ପେଷାରେ ଜଣେ ସ୍କୁଲ୍ ଶିକ୍ଷକ। ହେଲେ ସେ ମଦ ଓ ଡ୍ରଗ୍ସ ନିଶାରେ କବଳିତ ଥିଲା ବୋଲି ସୂଚନା ମିଳିଛି।

ମୃତ ଡାକ୍ତର ବନ୍ଦନା କୋୟାଟାମରେ ରହୁଥିଲେ। ସେ ଆଇଜିଜିଆ ମେଡିକାଲ କଲେଜ୍‌ରୁ ଏମ୍‌ବିବିଏସ୍‌ ପାସ କରିବା ପରେ ବର୍ତ୍ତମାନ ସେ ବ୍ଲକ୍ ହସ୍‌ପିଟାଲ୍‌ରେ ହାଉସ ସର୍ଜନର କୋର୍ସ କରୁଥିଲେ। ତାଙ୍କର ହତ୍ୟା ଖବର ସାମ୍ନାକୁ ଆସିବା ପରେ କେରଳରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏଥିରେ ଇଣ୍ଡିଆନ ମେଡିକାଲ ଆସୋସିଏସନ, କେରଳ ସରକାରୀ ମେଡିକାଲ ଅଫିସର୍ସ ଆସୋସିଏସନ, କେରଳ ସରକାରୀ କଲେ ଟିଚର ଆସୋସିଏସନ, ହାଉସ ସର୍ଜନ୍ସ ଆସୋସିଏସନ, ପିଜି ମେଡିକାଲ ଛାତ୍ର ଓ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି।

ଘଟଣା ଘଟିବା ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ହସ୍‌ପିଟାଲ୍ ଯାଇ ବନ୍ଦନାଙ୍କ ମୃତଦେହକୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେହିପରି ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ବୀଣା ଜର୍ଜ ସହକାରୀତା ମନ୍ତ୍ରୀ ଭିଏନ୍‌ ବସାୱନ ଡାକ୍ତରଖାନାରେ ପହଞ୍ଚି ବନ୍ଦନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଡାକ୍ତରଙ୍କ ସୂଚନା ଅନୁସାରେ, ବନ୍ଦନାଙ୍କ ଗଳା, ମୁଣ୍ଡ, ମେରୁ ହାଡ଼, ପେଟ ଓ ଛାତିରେ ଛୁରୀର ଗଭୀର କ୍ଷତ ସୃଷ୍ଟି ହୋଇଛି। ବନ୍ଦନାଙ୍କ ଶରୀରେ ୧୧ଟି କ୍ଷତ ସୃଷ୍ଟି ହୋଇଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.