Latest Odisha News

BREAKING NEWS

ଛାତ୍ର କଂଗ୍ରେସ ସଭାପତି ଦୁଷ୍କର୍ମ ମାମଲାରେ ଗିରଫ, ଭକ୍ତ ଦାସଙ୍କ ଇସ୍ତଫା ଦାବି କରି ଘେରିଲା ଏବିଭିପି

ଭୁବନେଶ୍ବର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ଥନା ପୋଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜାତୀୟ ଛାତ୍ର କଂଗ୍ରେସ (NSUI) ଉଦିତଙ୍କୁ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଛି। ଏହାସହ ପ୍ରଦେଶ କଂଗ୍ରେସ ଏହି ଘଟଣାର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛି।

ଅଭିଯୋଗ ଅନୁଯାୟୀ, ଗତ ୧୮ ମାର୍ଚ୍ଚରେ ଜଣେ ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ, ଏହି ଘଟଣା ଚାରି ମାସ ପୂର୍ବେ ଘଟିଥିବା ବେଳେ ଏଫଆଇଆର ଏବେ କାହିଁକି ଦାୟର ହେଲା, ତାହା ସନ୍ଦେହ ସୃଷ୍ଟି କରିଛି। ଏଫଆଇଆର କପିରେ ଅଭିଯୋଗକାରିଣୀଙ୍କ ଠିକଣା ଅନୁପସ୍ଥିତ ଥିବାରୁ ଏହା ଆହୁରି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ନେତ୍ରୀ ସୋନାଲି ସାହୁ କହିଛନ୍ତି, “ଦଳ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି। ଉଦିତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଆମେ ଏହି ଘଟଣାକୁ ଗୁରୁତର ସହ ନେଇଛୁ। ସୌମ୍ୟାଶ୍ରୀଙ୍କ ପାଇଁ ଯେଉଁଭଳି ନ୍ୟାୟ ପାଇଁ ଆମେ ଲଢିଥିଲୁ, ଏହି ଯୁବତୀଙ୍କ ପାଇଁ ମଧ୍ୟ ସେହିଭଳି ଲଢିବୁ।” ସେ ଆହୁରି କହିଛନ୍ତି, “ଅଭିଯୋଗକାରିଣୀଙ୍କୁ ଭେଟି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଥାନାକୁ ଯିବୁ। ରାଜନୈତିକ ଅଭିସନ୍ଧି ଥାଇପାରେ ବୋଲି ସନ୍ଦେହ ହେଉଛି, କିନ୍ତୁ ନୈତିକତା ଦୃଷ୍ଟିରୁ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।”

ଅନ୍ୟପଟେ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏହି ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଉଦିତ ପ୍ରଧାନ କିଛି ଦିନ ତଳେ ମହିଳାଙ୍କ ସୁରକ୍ଷା ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। କିନ୍ତୁ ତାଙ୍କ ନାମରେ ପୂର୍ବରୁ ଖଣ୍ଡଗିରି ଥାନାରେ ଡକାୟତି, ଟଙ୍କା ଠକେଇ ଓ ମାରଧର ଭଳି ଅଭିଯୋଗ ଥାଇ ମଧ୍ୟ କଂଗ୍ରେସ ତାଙ୍କୁ ଛାତ୍ର ସଭାପତି ପଦ ଦେଇଥିଲା।” ସେ ପ୍ରଶ୍ନ ଉଠାଇ କହିଛନ୍ତି, “ବାଲେଶ୍ୱର ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ଭକ୍ତ ଚରଣ ଦାସ ନିଜେ ଏଭଳି ଅଭିଯୁକ୍ତଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ନିଜେ ଇସ୍ତଫା ଦେବେ କି?”

ଉଲ୍ଲେଖଯୋଗ୍ୟ, ଛାତ୍ର କଂଗ୍ରେସ ଯେଉଁ ଲେଟରପେଡରେ ଉଦିତଙ୍କୁ ନିଲମ୍ବିତ କରାଯାଇଛି ବୋଲି ଉଲ୍ଲେଖ କରିଛି ସେଥିରେ ବାଲେଶ୍ୱର ଘଟଣାରେ ଛାତ୍ର କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ରାଜ୍ୟରେ ଆଗକୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କୁହାଯାଇଛି। ଏପରି ସ୍ଥିତିରେ ଏବିଭିପିର ସଦସ୍ୟା ମୃତ୍ୟୁ ଘଟଣାରେ କଂଗ୍ରେସ ଘେରିବା ପରେ କଂଗ୍ରେସ ନେତା ଗିରଫ ହେବା ଆଗକୁ ନିର୍ବାଚନ ହେଲେ ରାଜନୀତି ତେଜିବ ବୋଲି ଇସାରା ଦେଇଛି।

Comments are closed.