Latest Odisha News

କୁନି ପିଲାର କୌତୁହଳ ଉତ୍ତର, ତାଜୁବ ପୂରା ଇଣ୍ଟରନେଟ୍

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନେ ପାଠ ପଢିବା ବେଳେ ଫେଚକାମି କରନ୍ତି । ପାଠ ନ ପଢିବା ପାଇଁ ଅନେକ ବାହାନା ମଧ୍ୟ କରନ୍ତି । ଯଦି ତାଙ୍କୁ ଏଥିପାଇଁ ତାଗିଦ୍ କରାଯାଏ ତାହାଲେ କୌତୁହଳ ପୂର୍ଣ୍ଣ କଥା କହି ଏଡାଇବାକୁ ଚେଷ୍ଟା କରନ୍ତି । ଯାହାର ଅନେକ ଝଲକ ଇଣ୍ଟରନେଟରେ ଭାଇରାଲ ହୋଇଛି । ଯାହା ଦେଖିଲେ ଆପଣଙ୍କ ପାଟିରୁ ବି ସ୍ବତଃପ୍ରବୃତ ବାହାରି ଆସିବ..ଏ ଛୁଆଙ୍କୁ ଆଉ ପାରି ହବନି । ଏବେ ଠିକ୍ ଏମିତି କିଛି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ପାଠ ନେଇ ତାଗିଦ୍ କରିବା ପରେ, ଛାତ୍ରୀଜଣଙ୍କ କିଛି ଏମିତି ଉତ୍ତର ଦେଇଛି ଯାହା ସମସ୍ତଙ୍କ ମୁଣ୍ଡ ତୁଣ୍ଡ ସବୁ ଗୋଲ କରିଦେଇଛି ।

ତେବେ ଭାଇରାଲ ହେଉଥିବା ଭିଡିଓଟିରେ, ଜଣେ ଶିକ୍ଷୟତ୍ରୀ ତାଙ୍କର ଜଣେ ଛାତ୍ରୀଙ୍କୁ, ତୁମେ ପାଠ ପାଇଁ ସିରିୟସ ନାହଁ ବୋଲି କହିଥିଲେ । ଯାହାର ଉତ୍ତରରେ ଛାତ୍ରୀଜଣଙ୍କ ମିନିଟଟିଏ ବି ନଭାବି ଗୋଟିଏ ନିଶ୍ବାସରେ କିଛି ଏମିତି ଜବାବ ଦେଇଥିଲା ।

ଉତ୍ତରରେ ଛାତ୍ରୀଜଣକ କହିଥିଲା, “ଏ ପୃଥିବୀ ସୃଷ୍ଟି ହେବାର ପ୍ରାୟ ୪୫୦ କୋଟି ବର୍ଷ ହେଲାଣି । ଏଥିରେ ମଣିଷ ଜୀବନର ଉତ୍ପତି ୩୭୦ କୋଟି ବର୍ଷ ପୂର୍ବେ ହୋଇଥିଲା । ଯେଉଁ ବ୍ରହ୍ମାଣ୍ଡକୁ ନେଇ ଆମେ ଏତେ ଖୁସି ହେଉଛେ, ଜଣାନାହିଁ ଏମିତି କେତେ ବ୍ରହ୍ମାଣ୍ଡ ରହିଛି । ଗୋଟିଏ ବ୍ରହ୍ମାଣ୍ଡରେ କେତେ ନକ୍ଷତ୍ରପୁଞ୍ଜ ରହିଛି ଜଣାନାହିଁ । ଗୋଟେ ନକ୍ଷତ୍ରପୁଞ୍ଜରେ କେତେ ତାରା ଅଛନ୍ତି ତାହା ବି ଜଣା ନାହିଁ । ସେଥିମଧ୍ୟରୁ ଗୋଟେ ଛାୟାପଥରୁ ଗୋଟେ ତାରା ସୂର୍ଯ୍ୟର ଚାରିପଟେ ଘୂରିଥିବା ୯ ଗ୍ରହମାନଙ୍କ ମଧ୍ୟରେ ପୃଥିବୀ ରହିଛି । ଯାହାର ୨୦୦ ଦେଶ ମଧ୍ୟରୁ ଗୋଟିଏ ଦେଶ ଭାରତର ୧ ଟ୍ରିଲିୟନ ଜାତିରୁ ୧୪୦ କୋଟି ହୋମୋ ସାପିଏନ୍ସ(ମନୁଷ୍ୟର ବୈଜ୍ଞାନିକ ନାମ)ଙ୍କ ମଧ୍ୟରୁ ମୁଁ ଜଣେ ଅଟେ । ମୁଁ ନିଜକୁ କେତେ ଗମ୍ଭୀରତାର ସହ ନେବି କୁହ, ଅର୍ଥାତ୍ ମୋର ଅସ୍ତିତ୍ବରେ ଏମିତି କ’ଣ ହୋଇଯିବ ।”

ତେବେ କୁନି ଝିଅଟିର ଏହି ଉତ୍ତର ପୂରା ଇଣ୍ଟରନେଟକୁ ଅବାକ୍ କରିଦେଇଛି । ଯାହାକୁ ଦେଖି ସମସ୍ତେ କହୁଛନ୍ତି.. ଆଜିର ଛୁଆଙ୍କୁ ଆଉ ପାରି ହବନି..। ଏ ଯାବତ ପାଖାପାଖି ୧୭ ଲକ୍ଷ ଲୋକ ଏହାକୁ ଭଲପାଇବା ଦେଇସାରିଲାଣି ।

Comments are closed.