Latest Odisha News

BREAKING NEWS

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ସୋମବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କ ସହ କଲେଜ କର୍ତ୍ତୃପକ୍ଷ ଓ ଗୋପାଳପୁର ପୋଲିସ ମଧ୍ୟରେ ବୁଝାମଣା ବୈଠକ ବସିଥିଲା ।

କିନ୍ତୁ ଏହି ଘଟଣାକୁ ନେଇ ମଙ୍ଗଳବାର ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ ଦେବାଶିଷ ମହାନ୍ତିଙ୍କ ସମେତ ୧୦ ଜଣିଆ ପ୍ରତିନିଧି ଦଳ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ।

ଏହା ସହ କଲେଜ ପକ୍ଷରୁ ବୁଧବାର ଦିନ ଶୃଙ୍ଖଳା କମିଟି ବୈଠକ ଡକାଯାଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।

ଘଟଣା ନେଇ କଲେଜ ପକ୍ଷରୁ ଉଭୟ ଗୋଷ୍ଠୀର ଛାତ୍ରଙ୍କ ଅଭିଭାବକଙ୍କୁ ମଙ୍ଗଳବାର କଲେଜରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା । ଇଟିସିର ଦ୍ୱିତୀୟ ବର୍ଷ ଛାତ୍ର ସନ୍ଦିପ କୁମାର ବେଜ୍‌ଙ୍କ ବାପା, ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷର ଛାତ୍ର ଅବିନାଶ ପ୍ରଧାନଙ୍କ ବାପା କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ , ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ଅନ୍ୟ ପ୍ରାଧ୍ୟାପକଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ।

ଶେଷରେ ସନ୍ଦିପ ବେଜ୍‌ଙ୍କ ବାପାଙ୍କ ପକ୍ଷରୁ ଘଟଣା ନେଇ କୌଣସି ଅଭିଯୋଗ ଥାନାରେ କିମ୍ବା କଲେଜରେ କରାଯିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ସମାଧାନ କରାଯାଇଛି । ଅପରପକ୍ଷେ ଅଧ୍ୟକ୍ଷ ପ୍ରଫେସର ସ୍ୱାଇଁଙ୍କ କହିବା ଅନୁଯାୟୀ, ସୋମବାର ଅପରାହ୍ନରେ କ୍ୟାମ୍ପସ ପରିସରରେ ଘଟିଥିବା ଗଣ୍ଡଗୋଳ ମାମଲାକୁ କଲେଜ ଗୁରୁତର ନେଇଛି ।

ଶୃଂଖଳା କମିଟିର ନିଷ୍ପତ୍ତି ଅନୁଯାୟୀ ଶୃଙ୍ଖଳା ଭଙ୍ଗ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଘଟଣା ପରେ କ୍ୟାମ୍ପସ ପରିସରରେ ଶାନ୍ତ ପରିସ୍ଥିତି ରହିଥିବା ସହ ସମସ୍ତ ଶ୍ରେଣୀରେ ପାଠ ପଢା ଠିକ ଭାବରେ ଚାଲିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସୋମବାର କ୍ୟାମ୍ପସ ପରିସରସ୍ଥ କ୍ୟାଣ୍ଟିନ ସମ୍ମୁଖରେ ସଂଘର୍ଷ ଘଟିଥିଲା । ଦ୍ୱିତୀୟ ବର୍ଷ କମ୍ପ୍ୟୁଟର ବିଜ୍ଞାନ ବିଭାଗର କିଛି ଛାତ୍ର କ୍ୟାଣ୍ଟିନ ସମ୍ମୁଖରେ ଛିଡ଼ା ହୋଇଥିଲେ। ତୃତୀୟ ବର୍ଷ କିଛି ଛାତ୍ର ହଠାତ ସେଠାରେ ପହଞ୍ଚି ଦ୍ୱିତୀୟ ବର୍ଷ ଛାତ୍ରଙ୍କ ସହ ପୂର୍ବର କିଛି କଥାକୁ ନେଇ ଉଚ୍ଚବାଚ କରିଥିଲେ।

ଗୋଟିଏ ଛାତ୍ର ଗୋଷ୍ଠୀ ଅନ୍ୟ ଛାତ୍ରଙ୍କୁ ଲୁହାରଡରେ ମାଡ ମାରି ଲହୁଲୁହାଣ କରି ପକାଇଥିଲେ । ଏହି ଘଟଣା ପରେ କ୍ୟାମ୍ପସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଘଟଣା ଜଣା ପଡ଼ିବା ପରେ କଲେଜ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବା ସହ ଘଟଣା ନେଇ ଗୋପାଳପୁର ଥାନାକୁ ଜଣାଇଥିଲେ। ଖବର ପାଇ କଲେଜ ପରିସରରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Comments are closed.