ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବଡଧରଣର କେଳେଙ୍କାରୀ । ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ ପାଇଁ କଲେଜରେ ଆଡମିଶନ ନେଇଛନ୍ତି ୫ ଛାତ୍ରଛାତ୍ରୀ । କଲେଜରେ ଡାକ୍ତରୀ ଡିଗ୍ରୀ ପାଠ ପଢି ଚାକିରୀ କରିବାକୁ ହେଲେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାସହ ତାଲିକାଭୁକ୍ତ ହେବା ଜରୁରୀ । କିନ୍ତୁ ବିନା NEETରେ ପାଖାପାଖି ୫ଜଣ ପିଲା ଫେକ୍ ସାର୍ଟିଫିକେଟ ଦେଇ ଏଠାରେ ଡିଗ୍ରୀ କରୁଥିବା ମିଳିଥିବା ଦସ୍ତାବିଜରୁ ସ୍ପଷ୍ଟ ହୋଇଛି ।
ଖବର ଅନୁଯାୟୀ, ୨୦୧୬ରୁ ୨୦୨୧ ମଧ୍ୟରେ ପ୍ରାୟ ୫ ଜଣ ପିଲା ନକଲି ସାର୍ଟିଫିକେଟ ଦେଇ ଏହି କଲେଜରେ ଡିଗ୍ରୀ କରିଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ଏବେ ଏଠାରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୬ ରେ ଜଣେ ଛାତ୍ରୀ ଓ ୨୦୧୭ ରେ ୨ ଜଣ ଛାତ୍ରଛାତ୍ରୀ ବିନା ଓଜେଇ ଏବଂ NEET Rankରେ ଏଠାରେ ପାଠ ପଢିଛନ୍ତି । ଯାହାକୁ ନେଇ କଲେଜର ଆଡମିଶନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଯୋଗ୍ୟତା ଥିବା ପିଲାମାନଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏଭଳି କେଳେଙ୍କାରୀକୁ ଧରିଛି ଆୟୁଷ ମନ୍ତ୍ରଣାଳୟ। ଗୋପବନ୍ଧୁ କଲେଜ କର୍ତ୍ତୃପକ୍ଷଙ୍କୁ ଆୟୁଷ ନିର୍ଦ୍ଦେଶକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମଧ୍ୟ ଏହାର ତଦନ୍ତରେ ବିଳମ୍ବ ହେଉଛି । ସେପଟେ ଘଟଣା ପଦାକୁ ଆସି କେଳେଙ୍କାରୀର ରହସ୍ୟ ଖୋଲିଯିବା ଭୟରେ ୨୦୨୦-୨୧ ବ୍ୟାଚର ଦୁଇଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି । କାହିଁକି ବିନା NEET ପରୀକ୍ଷାରେ ସେହି ୫ ଜଣ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦିଆଗଲା ଓ କାହିଁକି ୨୦୨୦-୨୧ ବ୍ୟାଚର ଦୁଇଜଣ ଛାତ୍ରଙ୍କୁ ବହିଷ୍କାର କରାଗଲା ତାହା ଏବେ ପ୍ରଶ୍ନବାଚୀ ।
Comments are closed.