Latest Odisha News

BREAKING NEWS

ବଡଖବର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍

ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ‘ସୁଭଦ୍ରା’ ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ।

୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ପରେ ହୋଇନଥିବ । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ସୁଭଦ୍ରା କାର୍ଡ । ସେହିପରି ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିବା ମହିଳାମାନେ ଅଯୋଗ୍ୟ ବିବେଚିତ ହେବେ । ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ମଧ୍ୟ ପାଇବେନି ସୁଭଦ୍ରା ଯୋଜନାର ଲାଭ । ସେହିପରି ଆୟକର ଦେଉଥିବା ମହିଳାମାନେ ପାଇବେନି ସୁଭଦ୍ରା ସହାୟତା । ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମଧ୍ୟ ମିଳିବନି ଏହି କାର୍ଡ । କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍‌ସନ୍‌ ପାଉଥିଲେ ମିଳିବନି ଏହି ସହାୟତା । ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ ବିବେଚିତ ହେବେ ମହିଳା ।

’ସୁଭଦ୍ରା’ ଯୋଜନା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ । ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ ମହିଳା । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ । ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ । ତେବେ ମହିଳାମାନଙ୍କୁ ‘ସୁଭଦ୍ରା ଡିବିଟି କାର୍ଡ’ ପ୍ରଦାନ କରିବେ ସରକାର । ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।

Comments are closed.