ଭୁବନେଶ୍ବର: ମହିଳାଙ୍କ ପାଇଁ କେତେ କରିଛନ୍ତି କିଏ? ବିଜେଡି ସମୟରେ ଚାଲିଥିବା ମିଶନ ଶକ୍ତି ନା ଏବେକାର ସୁଭଦ୍ରା ଯୋଜନା ଭଲ? କେଉଁ ଯୋଜନାରେ କେତେ ଲାଭବାନ ହେଉଛନ୍ତି ମହିଳା? ଗତ ନିର୍ବାଚନରେ ବିଜେପିର ଫୋକସରେ ରହିଥିଲେ ରାଜ୍ୟର ଅଧା ଜନସଂଖ୍ୟା, ମହିଳା । କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୫୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ସରକାର ଗଢିବା ପରେ କଥା ରଖି ସୁଭଦ୍ରା ଯୋଜନା ଆରମ୍ଭ କଲା । ହେଲେ ଏକାଥରକେ ୫୦ହଜାର ନଦେଇ ପ୍ରତି ୬ମାସରେ ୫ହଜାର ଟଙ୍କା ଦେବା ଯୋଜନାକୁ ବିରୋଧୀଙ୍କ ସମେତ ଅନେକ ନାପସନ୍ଦ କଲେ । ବିରୋଧୀ ଏହାକୁ ମହିଳାଙ୍କ ସହ ବିଶ୍ବାସଘାତ କହୁଥିବା ବେଳେ ବିଜେପି ସୁଭଦ୍ରାକୁ ଫ୍ଲାଗସିପ୍ ଯୋଜନା ଭାବେ ପ୍ରଦର୍ଶିତ କରିଛି । ତେବେ ଗତ ବର୍ଷକ ମଧ୍ୟରେ ମହିଳାଙ୍କ ମନ ଜିତିବାରେ କେତେ ସଫଳ ହୋଇଛନ୍ତି ବିଜେପି ସରକାର ? ଦେଖିବା ମୋହନ ସରକାର ରିପୋର୍ଟ କାର୍ଡ, ନମ୍ବର-୫ ।
ସୁଭଦ୍ରା…ସମାଲୋଚନା ରାଜନୀତି
ପୂର୍ବ ବିଜେଡି ସରକାର କେବଳ ସ୍ଲୋଗାନରେ ସୀମିତ ଥିବା ବେଳେ ବିଜେପି ସରକାର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଛନ୍ତି । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନା ଲାଗୁ କରିବା ସହ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ପୂରା ଦେଶରେ ଦ୍ବିତୀୟ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ସୁଭଦ୍ରା ସମାଲୋଚନାକାରୀଙ୍କୁ ନିନ୍ଦୁକ କହିବା ସହ ସେମାନେ ସଫଳତା ହଜମ କରିପାରୁନଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ତେବେ ବିଜେପି ସରକାରକୁ ପ୍ରଚାର ସର୍ବସ୍ବ କହିବା ସହ ମିଶନ ଶକ୍ତିର ଉପଲବ୍ଧି ଗଣାଇଛି ବିଜେଡି । ଦିନକୁ ୨୭ଟଙ୍କା ଦେଇ ବିଜେପି ସରକାର ବାଃ ବାଃ ନେଉଛନ୍ତି । ମହିଳା ଯୋଜନାର କିଛି ଉପକାର ପାଇବେନି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ଦେଇଛନ୍ତି ।
ମହିଳାଙ୍କୁ କେତେ ସଶକ୍ତ କରିଛି ସୁଭଦ୍ରା?
ସୁଭଦ୍ରା, ମଧ୍ୟପ୍ରଦେଶର ଲୋକପ୍ରିୟ ଲାଡଲୀ ବେହେନ ଯୋଜନାର ପରିବର୍ତ୍ତିତ ରୂପ ବୋଲି କୁହାଯାଉଛି । ସୁଭଦ୍ରାରେ ମହିଳାଙ୍କୁ ୬ମାସରେ ୫ହଜାର ଟଙ୍କା ଦେଉଛନ୍ତି ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ସୁଭଦ୍ରା ଶକ୍ତିମେଳା ଆୟୋଜନ କରାଯାଉଛି । ଏହାଦ୍ବାରା ଏସଏଚଜି ମହିଳାଙ୍କୁ ବଜାର ଯୋଗାଇ ଦିଆଯାଉଛି । ଏପରିକି ଗତ ବର୍ଷକ ମଧ୍ୟରେ ୧୭ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିଥିବା ନେଇ ଉପଲବ୍ଧି ଗଣାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବିରୋଧୀଙ୍କ ପ୍ରଶ୍ନ, ୬ମାସରେ ୫ହଜାର ଟଙ୍କା ଦେଇ କେମିତି ଉଦ୍ୟୋଗପତି ସୃଷ୍ଟି କରିବେ ସରକାର? ବର୍ତ୍ତମାନ ସମୟରେ ଦରଦାମ ଯାହା ସେଥିରେ ୫ହଜାର ଟଙ୍କାରେ କେଉଁ ଉଦ୍ୟୋଗ କରିବେ ମହିଳା? ଯୋଜନା ମାଧ୍ୟମରେ ରାଜ୍ୟ ସରକାର କେବଳ ଭୋଟବ୍ୟାଙ୍କ ପ୍ରସ୍ତୁତ କରୁଥିବା ବିରୋଧୀ କହୁଛନ୍ତି ।
ମିଶନ ଶକ୍ତି ବନାମ ସୁଭଦ୍ରା
୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଥିଲେ ପୂର୍ବ ବିଜେଡି ସରକାର । ମହିଳାଙ୍କୁ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଭାବେ ସଶକ୍ତ କରିବାକୁ ମିଶନ ଶକ୍ତି କାର୍ଯ୍ୟକ୍ରମ କରାଯାଇଥିଲା । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଘର କୋଣରୁ ବାହାର କରି ଉଦ୍ୟୋଗୀ ବନାଇବାକୁ ଉଦ୍ୟମ କରାଯାଇଥିଲା । ନିଜେ ବ୍ୟବସାୟ କରି କେମିତି ରୋଜଗାରକ୍ଷମ ହେବେ ମହିଳା ସେନେଇ ପଦକ୍ଷେପ ନିଆଯାଇଥିଲା । ଏପରିକି ସେତେବେଳେ ବିଜେଡି ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ମହିଳା ମାସିକ ୧୦ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ ବୋଲି ବିଜେଡି କହିଛି । ତେବେ ମିଶନ ଶକ୍ତିକୁ ବିଜେଡିର ଭୋଟବ୍ୟାଙ୍କ ବୋଲି ସେବେଠୁ ଅଭିଯୋଗ କରିଆସୁଥିଲା ବିଜେପି । ଏପରିକି ଏସଏଚଜି ମହିଳାଙ୍କୁ ବିଜେଡି ନିଜ ଭୋଟ୍ ମେସିନ୍ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କ ମାଧ୍ୟମରେ ବିଜେଡି ସମାନ୍ତରାଳ ପ୍ରଚାର, ଅନ୍ଧାରୀ ବିଜେ କରି ଭୋଟ୍ ହାତେଇବାକୁ ଉଦ୍ୟମ କରୁଥିବା କହିଥିଲା ବିଜେପି । ଫଳରେ ନିର୍ବାଚନ ସମୟରେ ତତ୍କାଳୀନ ମିଶନ ଶକ୍ତି ସଚିବ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନଙ୍କୁ ପଦରୁ ବିଦା କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ସିଆରପିଙ୍କୁ ବି ବହିଷ୍କାର କରିବା ଖବର ଆସିଥିଲା । ପରେ କ୍ଷମତାକୁ ଆସିବା ପରେ ସୁଭଦ୍ରା ଯୋଜନା ଆଣିଥିଲେ ବିଜେପି ସରକାର । ହେଲେ ବିଜେଡି ବିରୋଧରେ ଭୋଟବ୍ୟାଙ୍କ ରାଜନୀତି ନେଇ ଅଭିଯୋଗ ଆଣିଥିବା ବିଜେପି, ଏବେ ନିଜେ ସେଇ ରାସ୍ତାରେ ଚାଲିଥିବା ଅଭିଯୋଗ ହେଉଛି । ବିଜେପି ସରକାରରେ ମହିଳା ବିରୋଧୀ ଅପରାଧ ବଢିଥିବା ବିରୋଧୀ କହୁଛନ୍ତି । ମହିଳାଙ୍କୁ କେବଳ ଭୋଟବ୍ୟାଙ୍କ ସଜାଇ ସରକାର ସେମାନଙ୍କ ସାମଗ୍ରିକ ଉନ୍ନତି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।
Comments are closed.