Latest Odisha News

BREAKING NEWS

ଆମେରିକାରେ ‘ହିନ୍ଦୁମିସିଆ’ର ଚିନ୍ତାଜନକ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଆମେରିକାର କିଛି ସହରରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମନ୍ଦିର ଉପରେ ଆକ୍ରମଣ ହେଉଛି । ଲେଖା ଯାଉଛି ହିନ୍ଦୁ ବିରୋଧୀ ସ୍ଲୋଗାନ । ନ୍ୟୁୟର୍କ ପରେ ସାକ୍ରାମେଂଟୋରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି । ଅସୁରକ୍ଷିତ ମନେ କରୁଛନ୍ତି ହିନ୍ଦୁ । ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ପଛରେ କିଏ ଅଛି, ତାହା ଜଣାପଡିନାହିଁ । ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ହେଟ୍ କ୍ରାଇମ ବା ଘୃଣା ଅପରାଧ ଭାବେ ବିବେଚନା କରି ତଦନ୍ତ ଚଳାଇଛି ପୋଲିସ । ଆମେରିକାରେ ହିନ୍ଦୁମିସିଆ ବା ହିନ୍ଦୁଙ୍କ ପ୍ରତି ଘୃଣା  ମନୋଭାବ ବଢିଚାଲିଛି ।

ମନ୍ଦିରରେ ଆକ୍ରମଣ ସହ ହିନ୍ଦୁ ବିରୋଧୀ ସ୍ଲୋଗାନ

୧୦ ଦିନ ମଧ୍ୟରେ ଆମେରିକାରେ ଆଉ ଏକ ମନ୍ଦିରକୁ ଟାର୍ଗେଟ କରାଯାଇଛି । ହିନ୍ଦୁଙ୍କୁ ଭୟଭୀତ କରିବା ପାଇଁ ପୁଣି ଉଦ୍ୟମ । କାଲିଫର୍ଣ୍ଣିଆରେ ସାକ୍ରାମେଂଟୋରେ ଥିବା ସ୍ୱାମୀ ନାରାୟଣ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ । ମନ୍ଦିରରେ ଭଙ୍ଗାରୁଜା ସହ ଲେଖାଯାଇଛି ହିନ୍ଦୁ ବିରୋଧୀ ସ୍ଲୋଗାନ । ହିନ୍ଦୁସ୍ ଗୋ ବ୍ୟାକ୍ ସ୍ଲୋଗାନ ଲେଖାଯାଇ ଭୟର ବାତାବରଣ ସୃଷ୍ଟି କରାଯାଇଛି । ଆକ୍ରମଣ ନେଇ ସାକ୍ରାମେଂଟୋ ସ୍ୱାମୀ ନାରାୟଣ ମନ୍ଦିର ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ନ୍ୟୁୟର୍କର ସ୍ୱାମୀ ନାରାୟଣ ମନ୍ଦିର ଉପରେ ଆକ୍ରମଣ ପରେ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଆକ୍ରମଣ ହୋଇଛି । ଏବେ କାଲିଫର୍ଣ୍ଣିଆର ସାକ୍ରାମେଂଟୋ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ଉପରେ ହୋଇଛି ଆକ୍ରମଣ । ହିନ୍ଦୁ ଫେରିଯାଅ ସ୍ଲୋଗାନ ଲେଖାଯାଇଛି । ଆମେ ଏହି ଘୃଣା ବିରୋଧରେ ଏକଜୁଟ୍ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଛି ବୋଲି ମନ୍ଦିର ପକ୍ଷରୁ ଏକ୍ସରେ କୁହାଯାଇଛି । ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ସ୍ୱୀକାର କରିଛି । ମନ୍ଦିରରେ ଭଙ୍ଗାରୁଜା କରାଯିବା ସହ ପାଇପଲାଇନକୁ ବି ଉପଦ୍ରବକାରୀ କାଟି ଦେଇଥିବା ସୂଚନା ଦେଇଛି ସ୍ଥାନୀୟ ପ୍ରଶାସନ । ଭଙ୍ଗାରୁଜା ପରେ ମଧ୍ୟ ବହୁସଂଖ୍ୟାରେ ଲୋକ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଂଚିଥିଲେ । ଭକ୍ତଙ୍କ ମଧ୍ୟରେ ସାମିଲ ହୋଇଥିଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ କାଲିଫର୍ଣ୍ଣିଆ ଷ୍ଟେଟ୍ ଆସେମ୍ବ୍ଲି ସଦସ୍ୟ ଷ୍ଟେଫନ ଗୁଏନ ।

ନ୍ୟୁୟର୍କ ସ୍ୱାମୀ ନାରାୟଣ ମନ୍ଦିର ଉପରେ ବି ଆକ୍ରମଣ

ସେପଟେମ୍ବର ୧୬ ତାରିଖରେ ନ୍ୟୁୟର୍କରେ ମଧ୍ୟ ମନ୍ଦିର ଉପରେ ହୋଇଥିଲା ଆକ୍ରମଣ । ମନ୍ଦିରରେ ଭଙ୍ଗାରୁଜା କରିଥିଲେ ଉପଦ୍ରବକାରୀ । ଲେଖିଥିଲେ ଭାରତ ଓ ହିନ୍ଦୁ ବିରୋଧୀ ସ୍ଲୋଗାନ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଲେଖାଯାଇଥିଲା । ନ୍ୟୁୟର୍କ ଓ ସାକ୍ରେମେଂଟୋ ମନ୍ଦିର ଆକ୍ରମଣ ପଛରେ ଖଲିସ୍ତାନୀ ସମର୍ଥକଙ୍କ ହାତ ଥିବା ସନ୍ଦେହ କରାଯାଉଛି । ପୋଲିସ ଏହାକୁ ହିନ୍ଦୁମିସିଆ ବା ହିନ୍ଦୁଙ୍କ ପ୍ରତି ଘୃଣା ବୋଲି ଦର୍ଶାଇଛି । ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ହେଟ୍ କ୍ରାଇମ ଭାବେ ଶ୍ରେଣୀଭୁକ୍ତ କରୁଛି ପୋଲିସ । ଗତବର୍ଷ ମଧ୍ୟ ଆମେରିକାର ପ୍ରମୁଖ ସହରରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଥିଲା । କିଛି ମନ୍ଦିର ଉପରେ ଆକ୍ରମଣ ହୋଇଥିଲା ।

 

Leave A Reply

Your email address will not be published.