କେନ୍ଦ୍ରାପଡ଼ା : ତାଙ୍କ ହାତର ନିହଣ ଇତିହାସ ଲେଖେ । ସେ ଇତିହାସ ନିଜ ସଂଘର୍ଷର । ନିଜ ସଫଳତାର । ସେ ଇତିହାସରେ ଯଶ କି ଅପଯଶ ନଥାଏ । ସେ ଇତିହାସ ଦିଏ ବଞ୍ଚିବାର ପ୍ରେରଣା, ସଂଘର୍ଷ କରିବା ପାଇଁ ସାହସ । ସେ ଭିନ୍ନକ୍ଷମ, ହେଲେ ନିଜକୁ ଅସହାୟ ବୋଲି ଭାବିନାହାନ୍ତି କି ସମୟ ସୁଅରେ ତାଙ୍କ ଜୀବନ ଠଙ୍ଗାକୁ ଭସାଇ ଦେଇ ନାହାନ୍ତି । ପ୍ରତିଟି ମୁହୂର୍ତ୍ତକୁ ସେ ନିଜ କର୍ମ ଭିତରେ ବାନ୍ଧି ରଖିପାରିଛନ୍ତି । ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସେ ଭିନ୍ନକ୍ଷମ ହୋଇ ବି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ନିଜ ପରିଚୟ ନିଜେ ସୃଷ୍ଟି କରିଛନ୍ତି । ପରିବାର ଚଳାଉଛନ୍ତି ଆଉ ସ୍ୱାଭିମାନର ସହ ବଞ୍ଚିଛନ୍ତି । ସେ ହେଉଛନ୍ତି ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ କେଶରପୁର ଗ୍ରାମ ର ଅମୁଲ୍ୟ ଓଝା।
ଅମୁଲ୍ୟ ଜନ୍ମରୁ ଭିନ୍ନକ୍ଷମ । ବାମ ଗୋଡ ହରାଇଛନ୍ତି । ଡାହାଣ ହାତର ଚାରୋଟି ଆଙ୍ଗୁଠି ଅଚଳ । ଜୀବନ ପଙ୍ଗୁ ସଜାଇ ଦେଇଛି । କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମ ବିଶ୍ୱାସ ବଳରେ ସେ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି । ଅସହାୟତା, ଶାରୀରିକ ଅକ୍ଷମତା ଅସହ୍ୟ ହେଲେ ବି ସେ କେବେ ଅଧୈର୍ଯ୍ୟ ହୋଇ ପଡ଼ି ନାହାନ୍ତି । ନିଜ ଭାଗ୍ୟ ନିଜେ ଲେଖିଛନ୍ତି। ନିଜ ଚେଷ୍ଟାରେ ଖୋଲିଛନ୍ତି କମାରଶାଳଟିଏ । ସେଥିରେ ସେ ଲାଗିପଡି କାମ କରନ୍ତି । ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳାନ୍ତି ।
ପିଲାଟି ଦିନରୁ ଲୁହା ପଜାଇବା କାମ ଶିଖିଥିଲେ କମାରଶାଳରେ । ପରେ ନିଜେ ନିଜ ପ୍ରଚେଷ୍ଟା ରେ ଏକ ଛୋଟ କମାରଶାଳ କରି ଲୋକଙ୍କ ଦାଆ, କଟୁରୀ, କୁରାଢ଼ୀ, କୋଦାଳ ଭଳି ବିଭିନ୍ନ ଲୌହ ସାମଗ୍ରୀ ପଜାଇ ନିଜ ପରିବାର ପ୍ରତିପୋଷଣ କରିବା ସହ ଗୁଜୁରାଣ ମେଣ୍ଟାଉଛନ୍ତି । ସକାଳ ହେଲେ ଗୋଟାଏ ଗୋଡ଼ରେ ସାଇକେଲ ଚଲାଇ ଘରୁ ବାହାରି ପଡ଼ନ୍ତି କମାରଶାଳ । ଘର ଠାରୁ ଏକ କିଲୋମିଟର ଦୂର କମାରଶାଳା । ରକ୍ତକୁ ପାଣି କରି କାମ କରନ୍ତି । ଯାହା ରୋଜଗାର କରନ୍ତି ସେଥିରେ ଚଳେ ପରିବାର । ତାଙ୍କର ଏ ପରିଶ୍ରମ, ଆତ୍ମବିଶ୍ୱାସ ଦେଖି ଗାଁ ଲୋକ ବି ଆଶ୍ଚର୍ଯ୍ୟ । ସୁସ୍ଥ ସବଳ ପିଲା କାମ ନ କରି ଘରେ ଅନ୍ୟର ହାତଟେକାକୁ ଚାହିଁ ବସିଥିବାବେଳେ ଅମୂଲ୍ୟଙ୍କର ଏ ସାହାସ, ପରିଶ୍ରମ ସମସ୍ତଙ୍କୁ ପ୍ରଭାବିତ କରିଛି ।
ସରକାର ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇ ଆସୁଛି । ହେଲେ ଏପର୍ଯ୍ୟନ୍ତ ଅମୁଲ୍ୟ ଏପରି ସହାୟତାରୁ ବଞ୍ଚିତ ଅଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ ଗୋଟିଏ ହୁଇଲ ଚେୟାର ମଧ୍ୟ ମିଳିନାହିଁ । ସ୍ଥାନୀୟ ଲୋକ ତାଙ୍କ ପାଇଁ ଏକ ଯlନ୍ତ୍ରିକ ଗାଡି ଯୋଗାଇ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି । ସେ ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ସତ କିନ୍ତୁ ନିଜ ପ୍ରଚେଷ୍ଟାରୁ କେବେ ଓହରିଯାଇ ନାହାନ୍ତି ।
Comments are closed.