Latest Odisha News

BREAKING NEWS

ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଆଶ୍ଚର୍ଯ୍ୟ ଓ ଅପମାନିତ ଅଟେ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ କଡ଼ା ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବା ବେଳେ, ତାଙ୍କର ଏପରି ମନ୍ତବ୍ୟ ଦେବା ଅତ୍ୟନ୍ତ ନିରାଶ ଜନକ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ -“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ, କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି ।

ପୀଡ଼ିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତ୍ତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଆଉ ଯଦି ପୀଡିତା ଜଣକ ଓଡିଆ ଝିଅ ବୋଲି ତାଙ୍କର ସେଥିପାଇଁ ଦରଦ ନାହିଁ ତେବେ ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ । ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ ।

ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି, ତାହାହେଲେ କରିବେ କାହାଠାରୁ ବୋଲି ଶ୍ରୀମତି ପରିଡା ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି କହିଥିଲେଯେ, ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ । ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରାଯାଅଛି ।

Comments are closed.