Latest Odisha News

BREAKING NEWS

ରାଉରକେଲାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦ୍‌ଘାଟିତ; ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ

ରାଉରକେଲା: ସୁନ୍ଦରଗଡ଼ ପରେ ରାଉରକେଲାରେ ଖୋଲିଲା “ସୁଦକ୍ଷ” କୋଚିଂ କେନ୍ଦ୍ର । କୋଏଲ ନଗରଠାରେ ଗୁରୁବାର ଦିନ ଏହି କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି ।

ସୁନ୍ଦରଗଡ଼ ସହିତ ରାଉରକେଲାସ୍ଥିତ “ସୁଦକ୍ଷ” କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି । ଖୁବଶୀଘ୍ର ବଣାଇଁଠାରେ ମଧ୍ୟ ଏକ କୋଚିଂ କେନ୍ଦ୍ର ଖୋଲିବାକୁ ଯାଉଛି । ପ୍ରତି କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ତିନିମାସିଆ କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି ।

“ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା “ସୁଦକ୍ଷ” କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରାର୍ଥୀମାନେ ମାଗଣାରେ କୋଚିଂ ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ଉଦଘାଟନୀ କାର୍ଯ୍ୟକ୍ରମରେ ଡିଏମଏଫ ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା, ଓମ୍ବାଡସିର ଜୀବିକା ବିଶେଷଜ୍ଞ ଅର୍ପଣ ଦାସ, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

“+୩ ପାଠ ପଢ଼ା ଶେଷ ହେବା ପରେ ମୁଁ ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ଦେବାକୁ ଚାହୁଁଥିଲି । ହେଲେ ଟଙ୍କା ଅଭାବରୁ କୌଣସି କୋଚିଂ ସେଣ୍ଟରରେ ନାମ ଲେଖାଇ ପାରୁନଥିଲି । “ସୁଦକ୍ଷ”କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ କୋଚିଂ ଦିଆଯାଉଥିବା ଜାଣିବାକୁ ପାଇ ମୁଁ ଏଥିରେ ନାମ ଲେଖାଇଥିବା, କହିଛନ୍ତି ରାଉରକେଲା କେନ୍ଦ୍ରର ଛାତ୍ର ପ୍ରବୀଣ କୁମାର ସାହୁ ।

ସୁନ୍ଦରଗଡ଼ ଜିଲ୍ଲାର +୨ ବା +୩ ପାସ୍ କରିଥିବା ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ “ସୁଦକ୍ଷ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି “ସୁଦକ୍ଷ”ର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି ।

ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍‌, ଷ୍ଟାଫ୍ ସିଲେକ୍ସନ୍‌, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍‌, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି । ଏଥିପାଇଁ ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା ସହ ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି ।

ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି । ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯିବ । ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯିବ ।

Comments are closed.