Latest Odisha News

ବାଲୁକା କଳାରେ ପ୍ରଭୁ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଗଣେଶ ଚତୁର୍ଥୀ। ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ। ଧୁମଧାମ୍‌ରେ ଚାଲିଛି ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ପୁରୀ ନୀଳାଦ୍ରି ବିଚରେ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି। ଏଠାରେ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳା ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି। ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ସୁନ୍ଦର ଭାବେ ସଜ୍ଜା ଯାଇଛି। ବାଲୁକା କଳାରେ ୨୦ ପ୍ରକାରର ଫଳକୁ ବ୍ୟବହାର କରି ସୁନ୍ଦର ଗଜାନନଙ୍କ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶ୍ୱରେ ଶାନ୍ତି ବଜାୟ ରଖିବା ଲାଗି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି।

ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ପବିତ୍ର ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଛା ଜଣାଇଛୁ । ୨୦ଟି ବିଭିନ୍ନ ଫଳକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି। ଫଳରେ ଗଣେଶର କଳାକୃତି ନିର୍ମାଣ ହୋଇଛି। ଏଥି ସହିତ ବିଶ୍ଵ ଶାନ୍ତି ପାଇଁ ଆମେ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛୁ।”

Comments are closed.