Latest Odisha News

BREAKING NEWS

ପୁଣି ବର୍ଷିଲେ ସୁଦର୍ଶନ, କହିଲେ ରତ୍ନ ଭଣ୍ଡାର ନ ଖୋଲିବାକୁ ହୋଇଛି ଯୋଜନା

ପୁରୀ: ରାଜ୍ୟରେ ସରକାର ବଦଳିଛି । ସରକାର ବଦଳିବା ପରେ ଏବେ ପୂରା ଜୋରଦାର ଚାଲିଛି କାମ । ହେଲେ ଏବେ ବି ଗୋଟିଏ ପ୍ରସଙ୍ଗ ଉପରେ ପ୍ରଶ୍ନବାଚୀ, କେବେ ଖୋଲିବ ରତ୍ନ ଭଣ୍ଡାର ? ଏନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ନିର୍ଦ୍ଦିଷ୍ଟ ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବା ସହିତ ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି ମଣତି କରାଯିବ ବୋଲି କହି ଲୋକଙ୍କୁ ଆଶ୍ବସନା ଦେଇଥିଲେ ମଧ୍ୟ ଏବେ ବି ଏ ଦ୍ବନ୍ଦ ଉପରୁ ପରଦା ହଟିନି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି ବାଲୁକା ଶିଲ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରତ୍ନ ଭଣ୍ଡାର କାହିଁକି ଖୋଲାଯାଉନାହିଁ କହି ସରକାରଙ୍କୁ ଅନେକ ଥର ପ୍ରଶ୍ନର କାଠଗଡାକୁ ଟାଣିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ମିଳିଛି ଖାଲି ଆଶ୍ବାସନା । ଖୁବ୍ ଶୀଘ୍ର ଖୋଲାଯିବ ! ଯାହାକୁ ନେଇ ଏବେ ପୂରା ଖପ୍ପା ସୁଦର୍ଶନ । ଏନେଇ ଏକ ବଡ ଅଭିଯୋଗ ଆଣି କହିଛନ୍ତି, ରତ୍ନଭଣ୍ଡାରକୁ ନ ଖୋଲେଇ ଦେବା ପାଇଁ ପୂର୍ବରୁ ଯୋଜନା ହୋଇଛି । ବାରମ୍ବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡ଼ାଇ ଦିଆଯିବା ପରେ ଏପରି ହୋଇଥିବା ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ନୂଆ ସରକାର ଆସୁ ଆସୁ ଚାରି ଦ୍ଵାର ଖୋଲିବା ନିଷ୍ପତ୍ତି ନେଲେ । ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ହେଲେ ଏହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କିଛି ବି ଆଲୋଚନା ହେଲା ନାହିଁ । ସରକାରଙ୍କୁ ଏ ଦିଗରେ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ବ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଦର୍ଶନ ।

ସେ ଆହୁରି ମଧ୍ୟ କହିଛନ୍ତି ରତ୍ନ ସିଂହାସନ ମରାମତି ପାଇଁ ଶ୍ରୀବିଗ୍ରହକୁ ଅସ୍ଥାୟୀ ସିଂହାସନକୁ ଆଣି ମରାମତି କାର୍ଯ୍ୟ କରାଯାଇଥିଲା । କିନ୍ତୁ ରତ୍ନ ଭଣ୍ଡାରକୁ କେବଳ ରଥଯାତ୍ରା ସମୟରେ ଖୋଲାଯିବା କଥା କହିବା କାରଣ କ’ଣ ଜଣା ପଡୁନାହିଁ । ୨୦୧୮ ରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଇଥିବା ପ୍ରାଧିକୃତ କମିଟି ରିପୋର୍ଟ ଓ ୨୦୨୩ ରେ ଲେଜର୍ ସ୍କାନିଁ ରିପୋର୍ଟରେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ସ୍ପଷ୍ଟ ହେବା ପରେ ବି ପରିଚାଳନା କମିଟି କିନ୍ତୁ ଏ ବାବଦରେ ମୁହଁ  ନ ଖୋଲିବାଟା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୁଦର୍ଶନ ।

Comments are closed.