‘୨୪ ବର୍ଷ ଓଡିଶାର ସୁରକ୍ଷା କବଚ ସାଜିଥିଲେ ନବୀନ’, ଭୋଗରାଇରେ ବିଜେଡିର ପଦଯାତ୍ରା, ସୁଜାତା ରାଉତଙ୍କ ଶକ୍ତି ପ୍ରଦର୍ଶନ…
ବାଲେଶ୍ୱର: ଭୋଗରାଇରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପ୍ରଥମ ଶକ୍ତି ପ୍ରଦର୍ଶନ । ରାଜନୈତିକ କ୍ୟାରିଅରର ପ୍ରଥମ ପବ୍ଲିକ ରାଲି ସହ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଛନ୍ତି ସୁଜାତା । ନିକଟରେ ବାତ୍ୟା ବନ୍ୟା ପରିସ୍ଥିତିର ମୁକାବିଲା ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ କାଦୁଆ ଫିଙ୍ଗା ରାଜନୀତି ଚାଲିଥିବା ବେଳେ ବାଲେଶ୍ୱରରେ ସୁଜାତାଙ୍କ ଉଦବୋଧନ ଖୁବ ଚର୍ଚ୍ଚା ସାଉଁଟିଛି । ରାଜ୍ୟ କେତେ ବନ୍ୟା ବାତ୍ୟା ଦୈବି ଦୁର୍ବିପାକ ଦେଖିଛି । ହେଲେ ସେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ସାଙ୍ଗରେ ଥିଲେ, ଓଡିଶାର ସୁରକ୍ଷା କବଚ ସାଜିଥିଲେ ବୋଲି କହିଛନ୍ତି ସୁଜାତା । ନୂଆ ସରକାର ଗୋଟିଏ ବାତ୍ୟା ବନ୍ୟାର ମୁକାବିଲାରେ ଫେଲ୍ ବୋଲି ସବାରୁ ଇଙ୍ଗିତ କରିଛନ୍ତି ସୁଜାତା ।
ସୋମବାର ଭୋଗରାଇ ଗସ୍ତରେ ଯାଇ ସୁଜାତା ରାଉତ ସକାଳୁ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ବିଶାଳ ପଦଯାତ୍ରା । ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଥାନା ଛକ ହେଲିପ୍ୟାଡ୍ ପଡ଼ିଆରେ ପହଞ୍ଚିଥିଲା । ଭୋଗରାଇ ବିଧାୟକ, ଜିଲ୍ଲା ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଭୋଗରାଇ ମାଟିରେ ସୁଜାତା ରାଉତଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
