Ganga Loses its Clean: ଏତେ ବର୍ଷ ପରେ ଚମକି ଉଠିଥିଲା ମା’ ଗଙ୍ଗା, ମାତ୍ର ଦିନ କେଇଟାରେ ଯୋଉ ଅବସ୍ଥାକୁ ସେଇ ଅବସ୍ଥା…କେବେ ସୁଧୁରିବ ମଣିଷ?
ହରିଦ୍ବାର: ମା’ ବୋଲି ଡାକୁଛୁ, ପବିତ୍ର ବୋଲି ପୂଜା କରୁଛୁ, ମୁଣ୍ଡିଆ ମାରି ଯାହାଙ୍କ ପାଣିରେ ବୁଡ଼ ପକାଇ ପାପ ଧୋଇବାକୁ ଆସୁଛୁ, ସେହି ମା’ଙ୍କ କୋଳକୁ ଆବର୍ଜନାରେ ଭରିଦେବାକୁ ଟିକିଏ ବି କୁଣ୍ଠାବୋଧ କରୁନାହୁଁ! ଥରେ ଭାବନ୍ତୁ, ଯେଉଁ ଗଙ୍ଗାକୁ ନିର୍ମଳ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ, କିନ୍ତୁ ତାହା ଆମେ କରୁନାହୁଁ, ଆଉ ଯିଏ କରୁଛି, ତାକୁ ସଫଳ ହେବାକୁ ବି ଦେଉନାହୁଁ । ଉତ୍ତରାଖଣ୍ଡର ହରିଦ୍ୱାରରୁ ଆସିଥିବା ଦୁଇଟି ଚିତ୍ର ଏବେ ମଣିଷର ଏହି ଦୋମୁହାଁ ଆଚରଣକୁ ପଦାରେ ପକାଇଛି। ୧୮ ଦିନର ବ୍ୟାପକ ସଫେଇ ପରେ ମା’ ଗଙ୍ଗାଙ୍କ ଜଳ ଏତେ ସ୍ୱଚ୍ଛ ହୋଇଥିଲା ଯେ ନଦୀର ତଳଭାଗ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ମାତ୍ର କିଛି ଦିନ ଭିତରେ ପୁଣି ସେହି ନଦୀରେ ଭାସିଲା ପ୍ଲାଷ୍ଟିକ୍, ପୁରୁଣା ଲୁଗାପଟା ଓ ଅନ୍ୟ ଆବର୍ଜନା। ଏହି ଦୃଶ୍ୟ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି, କେବେ ସୁଧୁରିବ ମଣିଷ?
ତେବେ କିଛି ଦିନ ପୂର୍ବରୁ ଗଙ୍ଗା ନଦୀର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାଟିଆ, ଗୋଳିଆ ପାଣି ନୁହେଁ, ସ୍ବଚ୍ଛ ଏବଂ ନିର୍ମଳ…ଏମିତିକି କଏନ୍ ଟିଏ ବି ପାଣି ପଡିଲେ ସ୍ପଷ୍ଟ ଦେଖାଯାଉଥିଲା । ୟାକୁ ଦେଖି ଉଲ୍ଲାସିତ ହୋଇଉଠିଥିଲା ଇଣ୍ଟରନେଟ୍ । ହେଲେ ଖୁସି ବେଶୀ ଦିନ ରହିଲା ନାହିଁ । ହଜାର ହଜାର ଲୋକଙ୍କ ଘଣ୍ଟା ଘଣ୍ଟାର ପରିଶ୍ରମକୁ ପୁଣି ଥରେ ମିନିଟକରେ ପାଣିରେ ମିଶାଛଦେଇଛନ୍ତି ସେଇ ଗଙ୍ଗା ମାର ଭକ୍ତ । ସଫେଇର ମାତ୍ର ୫ ଦିନ ଭିତରେ ପୁଣି ଅଳିଆ ଆବର୍ଜନରେ ଭରିହୋଇପଡିଛି ମା’ଗଙ୍ଗାର କୋଳ ।
ତେବେ ଗଙ୍ଗା ଏତେ ସ୍ୱଚ୍ଛ ଦେଖାଯାଉଥିଲା କାହିଁକି? ଏହା ପଛରେ ରହିଛି ୧୮ ଦିନର ଏକ ବଡ଼ ସଫେଇ ଅଭିଯାନ। ପ୍ରତିବର୍ଷ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅପର ଗଙ୍ଗା କେନାଲରେ ଜଳପ୍ରବାହକୁ କିଛି ଦିନ ବନ୍ଦ ରଖାଯାଏ। ଏଥର ଅକ୍ଟୋବର ୨୦ ଓ ୨୧ ତାରିଖ ମଧ୍ୟବର୍ତ୍ତୀ ରାତିରୁ ଜଳପ୍ରବାହ ବନ୍ଦ ହୋଇଥିଲା ଏବଂ ନଭେମ୍ବର ୭ ତାରିଖ ରାତିରେ ପୁଣି ପାଣି ଛଡ଼ାଯାଇଥିଲା। ପାଣି କମିଯିବାରୁ ନଦୀର ଯେଉଁ ଅଂଶ ସବୁବେଳେ ପାଣି ତଳେ ରହୁଥିଲା, ସେଗୁଡ଼ିକ ଦେଖାଯାଇଥିଲା। ଫଳରେ ନଦୀଶଯ୍ୟାରେ ଜମି ରହିଥିବା ପଙ୍କ, ପ୍ଲାଷ୍ଟିକ୍, ପୁରୁଣା ପୋଷାକ, ଚପଲ, ଫୁଲ ଓ ପୂଜା ସାମଗ୍ରୀକୁ ବାହାର କରିବା ସମ୍ଭବ ହୋଇଥିଲା। ଏହି ଆବର୍ଜନା ହଟିବା ପରେ ପାଣି ଫେରିବା ସମୟରେ ଗଙ୍ଗାର ଜଳ ଅତ୍ୟନ୍ତ ସ୍ୱଚ୍ଛ ଦେଖାଯାଇଥିଲା।
ଏହି ଅଭିଯାନରେ ୩୨ଟି ସଂଗଠନର ୧୩ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ହରିଦ୍ୱାର ଜିଲ୍ଲା ପ୍ରଶାସନ କହିଛି। ଏଥିରେ ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ ଯୋଗ ଦେଇଥିଲେ। ଅନ୍ୟ ଏକ ରିପୋର୍ଟ ଅନୁସାରେ, ପ୍ରତିଦିନ ପ୍ରାୟ ୨୦୦ ଜଣ କର୍ମଚାରୀ ଓ ସ୍ୱେଚ୍ଛାସେବୀ ନଦୀଶଯ୍ୟା ସଫା କରିବାରେ ନିୟୋଜିତ ଥିଲେ। ଖଡ଼ଖଡ଼ିରୁ ଜ୍ୱାଳାପୁର ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଅଞ୍ଚଳରୁ ପ୍ରାୟ ୧୫୦ ମେଟ୍ରିକ୍ ଟନ୍ ଆବର୍ଜନା ବାହାର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଏହି ସଫେଇ କାର୍ଯ୍ୟ ୨୦୨୭ ଅର୍ଦ୍ଧକୁମ୍ଭ ପୂର୍ବରୁ ଘାଟଗୁଡ଼ିକୁ ସଫା ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ମଧ୍ୟ କରାଯାଇଥିଲା।
ହେଲେ ଏତେ ପରିଶ୍ରମ ପରେ ମଧ୍ୟ ଗଙ୍ଗାର ଚିତ୍ର ପୁଣି ଇଣ୍ଟରନେଟକୁ ବ୍ୟଥିତ କରିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ନୂଆ ଭିଡିଓରେ ପ୍ଲାଷ୍ଟିକ୍ ବ୍ୟାଗ୍, ପଲିଥିନ୍, ପୁରୁଣା ପୋଷାକ ଓ ପୂଜା ସାମଗ୍ରୀ ନଦୀରେ ଭାସୁଥିବା ଦେଖାଯାଉଛି। ଏହାକୁ ଦେଖି ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ନଦୀରେ ଅଳିଆ ଫିଙ୍ଗୁଥିବା ଲୋକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବାକୁ ଦାବି କରିଛନ୍ତି।
ଏବେ ୨୦୨୭ ଅର୍ଦ୍ଧକୁମ୍ଭକୁ ଦୃଷ୍ଟିରେ ରଖି ଗଙ୍ଗାରେ ଆବର୍ଜନା ଅଟକାଇବା ପାଇଁ ଟ୍ରାଶ୍ ବୁମ୍ ଇଣ୍ଟରସେପ୍ଟର୍ ଲଗାଇବାର ଯୋଜନା ମଧ୍ୟ ହୋଇଛି। ଏହା ନଦୀରେ ଭାସୁଥିବା ପ୍ଲାଷ୍ଟିକ୍, ପୋଷାକ ଓ ଫୁଲ ଭଳି ଆବର୍ଜନାକୁ ଗୋଟିଏ ପାର୍ଶ୍ୱକୁ ଅଟକାଇ ନେଇଯିବ, ଯେଉଁଠାରୁ ସେଗୁଡ଼ିକୁ ବାହାର କରାଯାଇପାରିବ। କିନ୍ତୁ କେବଳ ଯନ୍ତ୍ର, ସଫେଇ କର୍ମଚାରୀ କିମ୍ବା ସରକାରୀ ଅଭିଯାନ ଦ୍ୱାରା ଗଙ୍ଗାକୁ ସବୁଦିନ ସ୍ୱଚ୍ଛ ରଖିହେବ ନାହିଁ। ଯେଉଁ ମଣିଷ ଗଙ୍ଗାକୁ ମା’ ବୋଲି ପୂଜା କରୁଛି, ସେହି ମଣିଷ ଯଦି ନଦୀରେ ଅଳିଆ ଫିଙ୍ଗିବା ବନ୍ଦ ନକରିବ, ତେବେ ଏଭଳି ସଫେଇ ଅଭିଯାନର ଲାଭ କେତେ ଦିନ ରହିବ? ମା’ ଗଙ୍ଗାଙ୍କୁ ପୂଜା କରିବା ସହ ତାଙ୍କୁ ସ୍ୱଚ୍ଛ ରଖିବା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ। କେବଳ ଗଙ୍ଗା ନୁହେଁ, ନିଜ ଅଞ୍ଚଳରେ ଥିବା ପ୍ରତିଟି ନଦୀ ଓ ପୋଖରୀକୁ ସ୍ବଚ୍ଛ ରଖିବା ଆମର ଦାୟିତ୍ବ । କାରଣ ଜଳ ହିଁ ଜୀବନ । ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ବି…।
