ଭୁବନେଶ୍ଵର: ଆଜି ଥିଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଏନେଇ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହେବାକୁ ଯାଉଛନ୍ତି।
ଗତକାଲି ଅର୍ଥାତ ସୋମବାର ବିଜେପି ପ୍ରାର୍ଥୀ ସୁଜିତ କୁମାର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ପ୍ରଭାତୀ ପରିଡା, ବିଜେପି ସଭାପତି ମନମୋହନ ସାମଲଙ୍କ ସହ ୩୦ ବିଧାୟକ ଉପସ୍ଥିତ ଥିଲେ। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବା ନେଇ ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ। ସେ ଆହୁରି କହିଥିଲେ, ପଶ୍ଚିମ ଓଡ଼ିଶାରେ ରେଳପଥର ସହ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ସୂଚନାଯୋଗ୍ୟ, ସୁଜିତ କୁମାରଙ୍କ ଇସ୍ତଫା ପରେ, ଓଡ଼ିଶାରୁ ରାଜ୍ୟସଭାର ଗୋଟିଏ ଆସନ ଖାଲି ପଡ଼ିଥିଲା। ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସୁଜିତଙ୍କ କାର୍ଯ୍ୟକାଳ ରହିଥିଲା। କିନ୍ତୁ ଏହା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।
ତାଙ୍କ ପୂର୍ବରୁ ମମତା ମହନ୍ତ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ। ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତଙ୍କୁ ରାଜ୍ୟସଭାକୁ ପଠାଉଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।
ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ଅର୍ଥାତ ଆଜି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ତେଣୁ ସୁଜିତ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ବର୍ତ୍ତମାନ ବିଜେପିର ରାଜ୍ୟସଭା ସାଂସଦ ଭାବରେ ଅଶ୍ଵିନୀ ବୈଷ୍ଣବ ଓ ମମତା ମହନ୍ତ ରହିଛନ୍ତି।
Comments are closed.