ଗୌହାଟି: ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏକ ତାଲିମ ମିସନ ସମୟରେ ଭାରତୀୟ ବାୟୁସେନା (IAF)ର ଏକ ସୁଖୋଇ Su-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବାବଦରେ ବାୟୁସେନା ନିଶ୍ଚିତ କରିଛି। IAF କହିଛି ଯେ ତାଲିମ ମିସନରେ ଥିବା Su-30MKI ବିମାନ ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଅପରେସନ ଜାରି ରହିଛି।
ପୂର୍ବରୁ, ପ୍ରତିରକ୍ଷା ମନ୍ତ୍ରଣାଳୟର ପିଆରଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ ଏକ ବିବୃତ୍ତିରେ କହିଥିଲେ ଯେ ଏକ ଭାରତୀୟ ବାୟୁସେନା Su-30 MKI ବିମାନ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ବିମାନଟି ଆସାମର ଜୋରହାଟ ବାୟୁସେନା ଘାଟିରୁ ଉଡ଼ାଣ ଭରିବା ପରେ ସନ୍ଧ୍ୟା ୭ଟା ୪୨ରେରେ ଶେଷ ଥର ପାଇଁ ଯୋଗାଯୋଗ କରାଯାଇଥିଲା।
ଯୁଦ୍ଧ ବିମାନଟିକୁ ଠାବ କରିବା ପାଇଁ ସର୍ଚ୍ଚ ଅଭଯାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିମାନକୁ ଠାବ କରିବା ପାଇଁ ସମସ୍ତ ଉପଲବ୍ଧ ସମ୍ବଳ ବ୍ୟବହାର କରାଯାଉଥିଲା। ପାଇଲଟଙ୍କ ଅବସ୍ଥା ବିଷୟରେ ତୁରନ୍ତ କୌଣସି ସୂଚନା ମିଳିନାହିଁ। ଏହି ସମୟରେ, ବୋକାଜାନ ଉପଖଣ୍ଡର ଚୋକିହୋଲାର ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଜଙ୍ଗଲରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଯାଞ୍ଚ କରିବା ପାଇଁ ଏକ ଦଳ ପହଞ୍ଚିଛି। ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣା ନିଶ୍ଚିତ ହୋଇଛି।