Latest Odisha News

BREAKING NEWS

ରଥରେ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନ ଲାଗି ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲା

ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଏକାଦଶୀ ତିଥି । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରିବେ ସୁନା ବେଶରେ । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ମୁହାଁ ହୋଇଛନ୍ତି ମହାପ୍ରଭୁ ।

ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ୍ଙ୍କ ଭିଡ଼ ଜମିବାରେ ଲାଗିଛି । ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ସ୍ୱଚକ୍ଷୁରେ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ସୋମବାର ସନ୍ଧ୍ୟାରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ ।

 

ଦିନ ୪ଟାବେଳୁ ସୁନାବେଶ ନୀତି ଆରମ୍ଭ ହୋଇ ରଥରେ ମହାପ୍ରଭୁଙ୍କ ସୁନାଅଳଙ୍କାର ଆଭୁଷଣର ବେଶ ୫ଟାବେଳେ ସମ୍ପନ୍ନ ହେବ ଏବଂ ଭକ୍ତମାନେ ସନ୍ଧ୍ୟା ୬:୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରୁରୁ ଜଣାପଡ଼ିଛି ।

ରଥ ଉପରେ ସୁନାବେଶ ଅନୁଷ୍ଠିତ ହେଉଥିବାରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

“ ସୁନାବେଶ ଦର୍ଶନ କରିବାକୁ ପ୍ରାୟ ୮ରୁ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆମେ ମ୍ୟୁନିସିପାଲ ମାର୍କେଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ଼ ସ୍ଥାପନ କରିଛୁ, ଫଳରେ ଦର୍ଶନନାର୍ଥୀମାନେ ଆରାମରେ ଧାଡ଼ିକରି ସୁନାବେଶ ଦେଖିପାରିବେ, ବୋଲି କହିଛନ୍ତି ପୋଲିସ ଏଡ଼ିଜି ସତ୍ୟଜିତ ମହାନ୍ତି” ।

ସେବାୟତମାନେ ସୋମବାର ଦିନ ସକାଳେ ରଥରେ ମଙ୍ଗଳ ଆଳତୀ, ମଇଲମ ଓ ତଡ଼ପଲାଗି ଦୈନିକ ନୀତି ସେବା କରିସାରିଛନ୍ତି । ରଥରେ ମଧ୍ୟ ଅବକାଶ, ଗୋପାଳବଲ୍ଲଭ ଓ ସକାଳଧୂପ ଦିନଚର୍ଯ୍ୟା ନୀତି ସମାପ୍ତ ହୋଇସାରିଛି । ତେବେ ସୁନାବେଶ ଆରମ୍ଭ ପୂର୍ବରୁ ମଇଲମ ଲାଗି, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଆଳତି ପରି ନୀତି ଯଥାରୀତି ସମ୍ପନ୍ନ ହେବାର ସ୍ଥିର ହୋଇଛି ।

Leave A Reply

Your email address will not be published.