Latest Odisha News

ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ

ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ।

ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ ହେବା । ଏହି ବ୍ରହ୍ମରହସ୍ୟ ଜିଜ୍ଞାସା କରିବାକୁ ତାକୁ ଲକ୍ଷାଧିକ ଯୋନିରେ ଜନ୍ମ ନେବାକୁ ପଡ଼ିଥାଏ । ଏହାହିଁ ତ’ ବ୍ରହ୍ମତତ୍ତ୍ୱ !  ରସାଳ ରସଗୋଲାର ମିଠାରେ ଛାର ମଣିଷ ମଜ୍ଜି ରହି ତା’ର ଲକ୍ଷ୍ୟସ୍ଥଳ ପରମାତ୍ମାଙ୍କ କଥା ପାଶୋରୀ ହୋଇଯାଇଥାଏ । ରସଗୋଲାର ଅପୂର୍ବ ଆକର୍ଷଣ ନିଜର ସତ୍ତାକୁ ଭୁଲିଯାଇଥାଏ ମଣିଷ । କିଛି ମୂହୁର୍ତ୍ତ ପରମାତ୍ମାଙ୍କ ସାନିଧ୍ୟ ଲାଭ କରିବାକୁ ବଞ୍ଚିତ ହୁଏ ଛାର ମଣିଷ । ଧନ, ଲୌଲତ, କାମ ବାସନା, ମଦ ମତ୍ସରର ଲୋଭର ମୋହାଚ୍ଛନ୍ନରେ ମଜ୍ଜି ରହିଥାଏ । ପରମାତ୍ମା ପରଂବ୍ରହ୍ମ ତାକୁ ଜୀବନ ନାଟକରେ ପାଦେ ପାଦେ ପଦେ ଭୋଗ ଐଶ୍ୱର୍ଯ୍ୟ ଓ ବୈରାଗ୍ୟର ତାରତମ୍ୟ ଦେଖାଇଥାଆନ୍ତି । ରଥଯାତ୍ରା ମହାପ୍ରଭୁଙ୍କର ଏକ ଦୃଷ୍ଟାନ୍ତ ମୂଳକ ମାନବୀୟ ଲୀଳା । ସୁନାବେଶର ଟିକକ ଆଗରୁ ମହାପ୍ରଭୁ କେବଳ ଫୁଲ ପତ୍ରରେ ସୁଶୋଭିତ ହେଉଥାଆନ୍ତି । ଅଳଙ୍କାର ରହିଥାଏ ଦୟାଣର ମାଳା ଖଣ୍ଡିକ । ଭକ୍ତ ନିଜ ବେକରେ ସୁନାହାରଟିଏ ପକାଇ ତୁଳସୀର ଅଳଙ୍କାର ପିନ୍ଧିଥିବା ତା’ର ଆରାଧ୍ୟ ଦେବାତାଙ୍କୁ ଦର୍ଶନ କରିଥାଏ ।

ମହାପ୍ରଭୁଙ୍କ ଏହି ସୁନାବେଶ ଅନେକ କଥା କହିଥାଏ । ସୁନାବେଶରେ ହିଁ ରହିଛି ବ୍ରହ୍ମତତ୍ତ୍ୱ । ସବୁ ରତ୍ନାଳଙ୍କାରର ଅଧିକାରୀ ହୋଇ ମଧ୍ୟ ବର୍ଷସାରା ଫୁଲ ଓ ପତ୍ରର ଅଳଙ୍କାର ପିନ୍ଧିଥାଆନ୍ତି ମହାପ୍ରଭୁ । ସମସ୍ତ ଭୋଗ ବିଳାସର ଅଧିକାରୀ ହୋଇ ମଧ୍ୟ ସେ ବୈରାଗ୍ୟ ଚେତନାରେ ଜୀଇଁବାକୁ ଶ୍ରେୟସ୍କର ମଣିଥାଆନ୍ତି ।

ଭକ୍ତଜନଙ୍କୁ ମହାପ୍ରଭୁ କହିବାକୁ ଚାହାନ୍ତି, ଦେଖ ଦେଖ ମୋର ସବୁ ଅଛି, କିଛି ନାହିଁ । ହେ ଭକ୍ତଗଣ ସବୁ ଥିଲାବେଳେ କାମ ବାସନା ଲୋଭ ମତ୍ସର ମଧ୍ୟରେ ବୁଡ଼ି ରହି ବି ତୁ ମୋତେ ମନେ ପକାଉଥାଆ । ଧନ ଦୌଲତରେ ବୁଡ଼ି ରହି ମଧ୍ୟ ମତେ ଡ଼ାକୁଥିବୁ । ଜନ୍ମ ନେଇଛୁ ଅର୍ଥ ମୃତ୍ୟୁ ସୁନିଶ୍ଚିତ । ଆସିଥିଲୁ କିଛି ନଆଣି ଯିବୁ ବି କିଛି ନନେଇ ।

ତେଣୁ ଧନ-ଦୌଲତ ବାସନା ରସନାରେ ବୁଡ଼ି ରହିଲେ ବି ତୋର ମନ ବିବେକଟା ମୋ ଠାରେ ରଖିଥିବୁ । ମୋତେ ଆଜି ଦେଖ, ମୋର ସବୁ ଧନ ରତ୍ନ ରହିଛି, ବର୍ଷ ତମାମ ମୁଁ ପିନ୍ଧୁଛି ଛିଟକନା ଟିକକ । ଗାମୁଛା ପରିଧାନରେ ବର୍ଷ କଟୁଛି ମୋର । କିନ୍ତୁ ଭଣ୍ଡାରରେ ରତ୍ନାଳଙ୍କାର ଭରପୁର, ମୋର ସେଥିରେ ତିଳେ ହେଲେ ମୋହ କି ଲୋଭ ନାହିଁ । ହେ ଭକ୍ତ ତୋତେ ଦେଖେଇଦବାକୁ ଚାହେଁ ସବୁ ଥାଇକି ବି ତୁ ବୈରାଗ୍ୟକୁ ବରି ନେଏ । ସୁନାବେଶରେ ମହାପ୍ରଭୁ ସମଗ୍ର ଜଗତର ଐଶ୍ୱର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଆନ୍ତି ।

 

କେବେ ହୁଏ ସୁନାବେଶ
ତିନିଠାକୁରଙ୍କ ସୁନାବେଶ ବର୍ଷର ଦୋଳପୂର୍ଣ୍ଣିମା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଓ ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ତଥା ବାହୁଡ଼ା ଯାତ୍ରାର ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ।

ରଥ ଉପରେ କାହିକି ହେଉଛି ସୁନାବେଶ?
ଅନେକ ସମୟରେ ଭକ୍ତମାନେ ବହୁ ଧନ, ରତ୍ନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଦାନ କରିଥାନ୍ତି । ଭକ୍ତମାନେ ଦାନ କରିଥିଲେ ମଧ୍ୟ ପୂର୍ବରୁ ମନ୍ଦିରରେ ଗଚ୍ଛିତ ରହିଥିବା ଧନ ରତ୍ନଗୁଡ଼ିକ ମଧ୍ୟରେ ଗଜପତି କପିଳେନ୍ଦ୍ରଦେବ ଦାନ ସର୍ବାଧିକ ।

କିମ୍ବଦନ୍ତୀରୁ ଜଣାଯାଏ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ଜୟକରି ସେଠାରୁ ୧୬ଗୋଟି ହାତୀ ପିଠିରେ ପ୍ରଚୁର ଧନ, ରତ୍ନାଳଙ୍କାର ଆଣି ଶ୍ରୀମନ୍ଦିରକୁ ଦାନ କରି ଦେଇଥିଲେ । ଏହି ଦାନ ପରେ ବଡ଼ ବଡ଼ଉ ସେବକ ଗଜପତିଙ୍କୁ ପ୍ରସ୍ତାବ ଦେଲେ ଯେ, ରତ୍ନ ସିଂହାସନରେ ହେଉଥିବା ବେଶକୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରୁନଥିବା ଭକ୍ତମାନେ ଦେଖିବାର ଅପୂର୍ବ ସୁଯୋଗ ପାଉନାହାନ୍ତି । ତେଣୁ ସବୁ ବର୍ଗର ଭକ୍ତମାନେ ଦର୍ଶନ କରିବା ନିମନ୍ତେ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ସିଂହଦ୍ୱାର ଠାରେ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶ କରାଯାଉ । ମହାରାଜା କପିଳେନ୍ଦ୍ର ଦେବ ସେବାୟତମାନଙ୍କର ଏହି ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ରଥ ଉପରେ ସୁନାବେଶ କରାଇବାର ସମସ୍ତ ପ୍ରକାର ଆୟୋଜନ କରିଥିଲେ । ଏହି କାରଣରୁ ଏହି ସୁନାବେଶକୁ ମଧ୍ୟ ବଡ଼ ବଡ଼ଉ ବେଶ ମଧ୍ୟ କୁହାଯାଇଥାଏ ।

ସୁନାବେଶରେ କେଉଁ ସ୍ୱର୍ଣ୍ଣାଳଙ୍କାରମାନ ପିନ୍ଧିଥାଆନ୍ତି ତିନିଠାକୁର?
ବଡ଼ଠାକୁର ଶ୍ରୀବଳଭଦ୍ର : ଶ୍ରୀପୟର, ଶ୍ରୀଭୁଜ, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ ଚନ୍ଦ୍ରିକା, ଅଳକା, ଟ୍ନୋବା କଣ୍ଠି, ହଳ, ମୂଷଳ ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି, ତ୍ରିଖଣ୍ଡିକା, କମରପଟି ।

ଦେବୀ ସୁଭଦ୍ରା : କିରିଟ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଘଗଡ଼ା ମାଳି, କଦମ୍ବ ମାଳି, ସେବତୀମାଳି ।

ମହାପ୍ରଭୁ ଶ୍ରୀଜଗନ୍ନାଥ : ଶ୍ରୀପୟର, ଶ୍ରୀଭୁଜ, କମର ଝୁମ୍ପା, ଧୁକୁଧୁକିଆ ଝୁମ୍ପା, ରୌପ୍ୟଶଙ୍ଖ, ହରିଡ଼ା ମାଳି, ସ୍ୱର୍ଣ୍ଣଚକ୍ର, ତାବିଜ ମାଳି, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ ଚନ୍ଦ୍ରିକା, ଅଳକା, ଟ୍ନୋବା କଣ୍ଠି, ହଳ, ମୂଷଳ ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି, ତ୍ରିଖଣ୍ଡିକା, କମରପଟି, ହରିତକ ମାଳା, ଅପରାଜିତା, ଚିତା, ନାକୁଆଶି ଆଦି ।

Leave A Reply

Your email address will not be published.