ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ରାଉରକେଲା ସହରର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର କେନ୍ଦ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ଆସନ୍ତା ଦିନରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ନୂତନ କୋଭିଡ୍ କେୟାର କେନ୍ଦ୍ର ଖୋଲିବାକୁ ଯାଉଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ସୂଚନା ଦେଇଛନ୍ତି ।
ଏହି କ୍ରମରେ ରାଉରକେଲା ସହରରେ ବିଭିନ୍ନ କୋଭିଡ-୧୯ ସମ୍ବନ୍ଧୀୟ କାର୍ଯ୍ୟରେ ୭ଜଣ ତୃତୀୟଲିଙ୍ଗୀଙ୍କୁ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।
ଗତ କିଛିମାସ ଧରି ଲକ୍ଡାଉନ ଓ ସଟ୍ଡାଉନ ଆଦି ସମସ୍ୟା ଯୋଗୁଁ ତୃତୀୟଲିଙ୍ଗୀମାନେ ଜୀବନ ଜୀବିକା ସମସ୍ୟା ଥିଲେ । ଏନେଇ ସୁନ୍ଦରଗଡ଼ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ନିଯୁକ୍ତି ଦେବା ନିମନ୍ତେ ସେମାନେ ପ୍ରଶାସନକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କୋଭିଡ ପରିଚାଳନା ବ୍ୟବସ୍ଥାର ଅଧ୍ୟକ୍ଷ ନିଖିଲ ପୱନ କଲ୍ୟାଣଙ୍କ ପରାମର୍ଶ କ୍ରମେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ୭ଣ କିନ୍ନରଙ୍କୁ କୋଭିଡ ପରିଚାଳନା କାର୍ଯ୍ୟରେ ନିଯୁକ୍ତି ଦେଇଛନ୍ତି ।
ସହରର ଛେଣ୍ଡ, ବାଗବୁଡ଼ିରେ ଥିବା କୋଭିଡ୍-୧୯ ପଞ୍ଜୀକରଣ କେନ୍ଦ୍ରରେ ୨ଜଣ ଓ ବିପିୟୁଟି ପରିସରରେ ଥିବା କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ୫ଜଣଙ୍କୁ ନିଯୁକ୍ତି ମିଳିଛି । ଏହି ୭ଜଣଙ୍କୁ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ବେତନ ପ୍ରଦାନ କରାଯିବ ଓ ଏ ସମସ୍ତଙ୍କ ନିଯୁକ୍ତି ଆଉଟସୋର୍ସିଂ ବ୍ୟବସ୍ଥାରେ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Comments are closed.