ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ: ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ସୁନ୍ଦରଗଡ଼ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ସୁନ୍ଦରଗଡ଼ : ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ୟ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍’ବର୍ଗରେ ସେମି ଫାଇନାଲ ପର୍ୟ୍ୟାୟକୁ ଉନ୍ନୀତ ହୋଇଛି ସୁନ୍ଦରଗଡ଼।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ୟ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ପହଁଚିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ପାଇଁ ଓଡ଼ିଶା ସରକାର ସବୁବେଳେ ଧ୍ୟାନ ଦେଇଆସୁଛନ୍ତି ।”
ସ୍କଚ୍ ଗ୍ରୁପ ପକ୍ଷରୁ ଆୟୋଜିତ ୭୦ତମ ସ୍କଚ୍ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ। ସେଠାରେ ସୁନ୍ଦରଗଡ଼ ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଭିନବ କାର୍ୟ୍ୟ ଓ ପ୍ରକଳ୍ପ ଏବଂ ତାହାର ପ୍ରଭାବ ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା।
ଏହି ଅବସରରେ ସ୍କଚ୍ ଗ୍ରୁପ୍ର ଅଧ୍ୟକ୍ଷ ସମୀର କୋଚ୍ଚର “ସାଧାରଣ ଜନତାଙ୍କ ହିତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଖଣିଜ ପ୍ରତିଷ୍ଠାନର ସହଯୋଗରେ ବିଭିନ୍ନ ପ୍ରଭାବୀ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ବିଶେଷ କରି କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କାର୍ୟ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ।”
ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମ କରାଯାଉଛି । ବିଭିନ୍ନ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି । ସେଥିମଧ୍ୟରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଗର୍ଭାବସ୍ଥାରେ ଯତ୍ନ, ପୁଷ୍ଟିଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷ, ଶିଶୁଙ୍କ ପୋଷଣ, ସଡ଼କ ଓ ଯୋଗାଯୋଗ, ମୋବାଇଲ୍ ମେଡିକାଲ ୟୁନିଟ୍ ଓ ଆମ୍ବୁଲାନ୍ସ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ, ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଯତ୍ନ ପାଇଁ ବ୍ୟବସ୍ଥା, ଅତ୍ୟାଧୁନିକ ପରିମଳ ସେବା ଭଳି ଅନେକ କାର୍ୟ୍ୟକ୍ରମ ରହିଛି ।
Comments are closed.