Latest Odisha News

BREAKING NEWS

କେବଳ ମହିଳାଙ୍କ ପାଇଁ..

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଆମ ଚାରିପାଖରେ ଏମିତି କିଛି ରଙ୍ଗ ଅଛି ଯାହାକୁ ଆମେ ଦେଖିପାରୁନାହୁଁ ? ସାଧାରଣ ମଣିଷ ୧୦ ଲକ୍ଷ ରଙ୍ଗ ଦେଖୁଥିବା ବେଳେ ଏହି ଦୁନିଆରେ ଏମିତି କିଛି ‘ସୁପରଓମ୍ୟାନ’ ବା ନିଆରା ମହିଳା ଅଛନ୍ତି, ଯେଉଁମାନେ ୧୦ କୋଟି ରଙ୍ଗ ଦେଖିପାରନ୍ତି ! ହୁଏତ ବିଶ୍ୱାସ ହେଉନଥିବ, କିନ୍ତୁ ଏହା ପଛରେ ରହିଛି ବିଜ୍ଞାନର ଏକ ବଡ଼ ରହସ୍ୟ ।

ଏହା କୌଣସି ଯାଦୁ ନୁହେଁ, ବରଂ ଏକ ଦୁର୍ଲଭ ପ୍ରକ୍ରିୟା, ଯାହାକୁ ବିଜ୍ଞାନ ଭାଷାରେ କୁହାଯାଏ ‘ଟେଟ୍ରାକ୍ରୋମେସି’ (Tetrachromacy)। ଏହି ଦୁନିଆରେ ଏପରି କିଛି ମହିଳା ଅଛନ୍ତି ଯେଉଁମାନଙ୍କୁ ସେହି ରଙ୍ଗ ବି ଦେଖାଯାଏ, ଯାହା ପୁରୁଷଙ୍କ ପାଇଁ ଅଦୃଶ୍ୟ ।

ସାଧାରଣ ମଣିଷ ଆଖିରେ ୩ଟି କୋନ୍ ସେଲ୍, ନାଲି, ସବୁଜ ଓ ନୀଳ ରହିଛି, ଯାହା ୧୦ ଲକ୍ଷ ରଙ୍ଗ ଦେଖିପାରିଥାଏ । ତେବେ ଏହି ବିଶେଷ ମହିଳାମାନଙ୍କ ଆଖିରେ ୪ଟି କୋନ୍ ସେଲ୍ ଥାଏ। ଯେଉଁଠି ଆମେ ସବୁଜ ରଙ୍ଗର ୧୦୦ଟି ଶେଡ୍ ଦେଖୁ, ଏହି ମହିଳାମାନେ ସେଥିରେ ୧୦ ହଜାର ଶେଡ୍ ଦେଖିପାରନ୍ତି। ତେବେ ପ୍ରଶ୍ନ ଉଠୁଛି, ଏହା କେବଳ ମହିଳାମାନଙ୍କ କ୍ଷେତ୍ରରେ କାହିଁକି ଦେଖାଯାଏ ?
ରଙ୍ଗ ଚିହ୍ନୁଥିବା ଜିନ୍ X-କ୍ରୋମୋଜୋମ୍‌ରେ ଥାଏ। ମହିଳାଙ୍କ ପାଖରେ ଦୁଇଟି X-କ୍ରୋମୋଜୋମ୍ ଥିବାରୁ ସେମାନେ ଅଧିକ ରଙ୍ଗ ଦେଖିପାରନ୍ତି । କିନ୍ତୁ ପୁରୁଷଙ୍କ ପାଖରେ କେବଳ ଗୋଟିଏ X-କ୍ରୋମୋଜୋମ୍ ଥିବାରୁ ସେମାନେ ଏଥିରୁ ବଞ୍ଚିତ।

ଏହି ବିଲକ୍ଷଣ ଶକ୍ତିର ସମ୍ପର୍କ ପକ୍ଷୀମାନଙ୍କ ସହ ମଧ୍ୟ ରହିଛି । ଶୁଆ ଏବଂ କପୋତ ଭଳି ପକ୍ଷୀମାନେ ଅଲ୍ଟ୍ରାଭାଇଓଲେଟ୍ ଲାଇଟ୍ ଦେଖିପାରନ୍ତି, ଯାହା ସେମାନଙ୍କୁ ଖାଦ୍ୟ ଖୋଜିବାରେ ସାହାଯ୍ୟ କରେ। ବିବର୍ତ୍ତନ କ୍ରମରେ ମଣିଷ ଭିତରେ ମଧ୍ୟ ଏହି ଶକ୍ତିର ଏକ ଅଂଶ ରହିଯାଇଛି, ଯାହା କିଛି ମହିଳାଙ୍କ କ୍ଷେତ୍ରରେ ସକ୍ରିୟ ହୋଇଉଠେ।

ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଅଷ୍ଟ୍ରେଲୀୟ କଳାକାର କୋନସେଟା ଆଣ୍ଟିସୋ। ତାଙ୍କ ପେଣ୍ଟିଂରେ ହଜାର ହଜାର ଏପରି ରଙ୍ଗର ଶେଡ୍ ଦେଖିବାକୁ ମିଳେ, ଯାହା ଜଣେ ସାଧାରଣ ମଣିଷ ପାଇଁ ଚିନ୍ତା କରିବା ମଧ୍ୟ ଅସମ୍ଭବ। ବିଜ୍ଞାନ ଅନୁସାରେ ଦୁନିଆର ପ୍ରାୟ ୨ ରୁ ୩ ପ୍ରତିଶତ ମହିଳାଙ୍କ ପାଖରେ ଏହି ଜେନେଟିକ୍ କ୍ଷମତା ରହିଛି ।

ଯଦି ଆପଣ ଜଣେ ମହିଳା ଏବଂ ଆପଣଙ୍କୁ ରଙ୍ଗ ମଧ୍ୟରେ ଥିବା ଅତି ସୂକ୍ଷ୍ମ ପାର୍ଥକ୍ୟ ତୁରନ୍ତ ଜଣାପଡ଼ିଯାଉଛି, ତେବେ ହୁଏତ ଆପଣ ମଧ୍ୟ ଏହି ‘ସୁପରଓମ୍ୟାନ’ ତାଲିକାରେ ଥାଇପାରନ୍ତି। ପ୍ରକୃତିର ଏହି ଅଦ୍ଭୁତ ଉପହାର ଆମକୁ ମନେ ପକାଇ ଦିଏ ଯେ, ଏହି ରଙ୍ଗୀନ ଦୁନିଆରେ ଏବେ ବି ଅନେକ ରହସ୍ୟ ଲୁଚି ରହିଛି।

Leave A Reply

Your email address will not be published.