ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶରିଆ ଅଦାଲତ ବା କାଜି ଅଦାଲତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଆଇନ ଅନୁଯାୟୀ ଶରିଆ ଅଦାଲତ ବା କାଜି ଅଦାଲତର କୌଣସି ଆଇନଗତ ମାନ୍ୟତା ନାହିଁ ଏବଂ ଏହାର ନିଷ୍ପତ୍ତି ମାନିବାକୁ କେହି ବାଧ୍ୟ ନୁହଁନ୍ତି। କେବଳ ଯେଉଁ ପକ୍ଷମାନେ ଏହି ନିଷ୍ପତ୍ତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରନ୍ତି ଏବଂ ତାହା ଅନ୍ୟ ଆଇନ ସହ ସାଙ୍ଘାତିକ ନ ହୁଏ, କେବଳ ସେହି କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହୋଇପାରିବ।
ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଅହସାନୁଦ୍ଦୀନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ୪ ଫେବୃଆରୀରେ ଏହି ରାୟ ଶୁଣାଇଥିଲେ, ଯାହାର ବିସ୍ତୃତ ତଥ୍ୟ ଏବେ ସାମ୍ନାକୁ ଆସିଛି। ଅଦାଲତ କହିଛନ୍ତି, ଶରିଆ ଅଦାଲତ, କାଜି ଅଦାଲତ କିମ୍ବା ଦାରୁଲ କଜା ଭଳି ସଂସ୍ଥାଗୁଡ଼ିକର ଭାରତୀୟ ସମ୍ବିଧାନ ଅନୁଯାୟୀ କୌଣସି ଆଇନଗତ ବୈଧତା ନାହିଁ।
ସୁପ୍ରିମକୋର୍ଟ କ’ଣ କହିଛନ୍ତି?
୨୦୧୪ରେ ବିଶ୍ୱରଞ୍ଜନ ମଦନ ମାମଲାରେ ଦିଆଯାଇଥିବା ରାୟକୁ ଉଦ୍ଧୃତ କରି ଅଦାଲତ କହିଛନ୍ତି, ଏଭଳି ନିଷ୍ପତ୍ତିର କୌଣସି ଆଇନଗତ ମହତ୍ତ୍ୱ ନାହିଁ ଏବଂ ଏଗୁଡ଼ିକୁ ଜୋରଜବରଦସ୍ତୀ ଲାଗୁ କରାଯାଇପାରିବ ନାହିଁ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଅମାନୁଲ୍ଲା କହିଛନ୍ତି, “କାଜି ଅଦାଲତ, ଦାରୁଲ କଜା, ଶରିଆ ଅଦାଲତ… ଯେକୌଣସି ନାମରେ ଡକାଯାଉ ନା କାହିଁକି, ଆଇନ ଅନୁଯାୟୀ ଏଗୁଡ଼ିକର କୌଣସି ମାନ୍ୟତା ନାହିଁ। ଏଭଳି ନିଷ୍ପତ୍ତି କେବଳ ସେତେବେଳେ ଗ୍ରହଣୀୟ ହୋଇପାରେ, ଯେତେବେଳେ ସମ୍ପୃକ୍ତ ପକ୍ଷମାନେ ଏହାକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରନ୍ତି ଏବଂ ଏହା ଅନ୍ୟ କୌଣସି ଆଇନର ଉଲ୍ଲଂଘନ ନ କରେ।”
ମାମଲା କ’ଣ?
ଏହି ମାମଲା ଜଣେ ମୁସଲିମ ମହିଳାଙ୍କର, ଯିଏ ଗୁଜାରା ଭତ୍ତା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମହିଳାଜଣକ ୩ ଅଗଷ୍ଟ ୨୦୧୮ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିଥିଲେ, ଯେଉଁଥିରେ ତାଙ୍କ ସ୍ୱାମୀଙ୍କଠାରୁ ଗୁଜାରା ଭତ୍ତା ଦାବିକୁ ଫ୍ୟାମିଲି କୋର୍ଟ ଖାରଜ କରିଦେଇଥିଲା।
ମହିଳାଙ୍କ ଓ ତାଙ୍କ ସ୍ୱାମୀଙ୍କ ବିବାହ ୨୦୦୨ରେ ହୋଇଥିଲା, ଯାହା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ ଥିଲା। ଏହି ବିବାହରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ। ୨୦୦୫ରେ ସ୍ୱାମୀ ଭୋପାଳର ‘କାଜି କୋର୍ଟ’ରେ ତଲାକ ପାଇଁ ଆବେଦନ କରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ବୁଝାମଣା ହେବାରୁ ଏହା ଖାରଜ ହୋଇଥିଲା। ମହିଳାଙ୍କ ଅଭିଯୋଗ ଥିଲା ଯେ ସ୍ୱାମୀ ତାଙ୍କୁ ଯୌତୁକ ଦାବି ନେଇ ହଇରାଣ କରୁଥିଲେ ଏବଂ ୨୦୦୮ରେ ତାଙ୍କୁ ଓ ପିଲାମାନଙ୍କୁ ଘରୁ ବାହାର କରିଦେଇଥିଲେ।
ଫ୍ୟାମିଲି କୋର୍ଟ ଓ ହାଇକୋର୍ଟଙ୍କ ରାୟ
୨୦୦୮ରେ ମହିଳାଜଣକ ଫ୍ୟାମିଲି କୋର୍ଟରେ ନିଜ ପାଇଁ ମାସିକ ୫,୦୦୦ ଟଙ୍କା ଏବଂ ପିଲାମାନଙ୍କ ପାଇଁ ୧,୦୦୦ ଟଙ୍କା ଗୁଜାରାଣ ଭତ୍ତା ଦାବି କରିଥିଲେ। ଫ୍ୟାମିଲି କୋର୍ଟ ଝିଅ ପାଇଁ ୧,୫୦୦ ଟଙ୍କା ଓ ପୁଅ ପାଇଁ ୧,୦୦୦ ଟଙ୍କା ଗୁଜୁରାଣ ଭତ୍ତା ମଞ୍ଜୁର କରିଥିଲା, କିନ୍ତୁ ମହିଳାଙ୍କ ପାଇଁ ଭତ୍ତା ଦେବାକୁ ମନା କରିଦେଇଥିଲା। କୋର୍ଟର ମତ ଥିଲା ଯେ ସ୍ୱାମୀ ମହିଳାଙ୍କୁ ଛାଡ଼ି ନ ଥିଲେ, ବରଂ ମହିଳା ନିଜ ଇଚ୍ଛାରେ ଅଲଗା ହୋଇଯାଇଥିଲେ।
ଏହାପରେ ମହିଳା ହାଇକୋର୍ଟରେ ଆପୀଲ କରିଥିଲେ, କିନ୍ତୁ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନ ଖାରଜ କରିଦେଇଥିଲା। ହାଇକୋର୍ଟ କହିଥିଲେ ଯେ ମହିଳା ବିନା ଉଚିତ କାରଣରେ ସ୍ୱାମୀଙ୍କଠାରୁ ଅଲଗା ରହୁଥିବାରୁ ଫ୍ୟାମିଲି କୋର୍ଟର ରାୟକୁ ଭୁଲ ବୋଲି କୁହାଯାଇପାରିବ ନାହିଁ।
ସୁପ୍ରିମକୋର୍ଟର ପର୍ଯ୍ୟବେକ୍ଷଣ
ଏହି ଅପିଲର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ବୁଝାମଣା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ କୌଣସି ଦୃଢ଼ ଆଧାର ନ ଥିଲା, ତେଣୁ ଗୁଜୁରାଣ ଭତ୍ତା ଆବେଦନ ଖାରଜ କରାଯାଇଛି।
Comments are closed.