ନୂଆଦିଲ୍ଲୀ: କାହାର ରହିବ, କାହାର କଟିବ ଆସନ?
ନିର୍ବାଚନ ପୂର୍ବରୁ ବଢିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା…
ଜାତୀୟ ରାଜନୀତିରୁ ଏବେ ସବୁଠାରୁ ବଡ଼ ଖବର ଆସୁଛି। ଚାରିଟି ବିଜେପି ରାଜ୍ୟରେ ନୂତନ ରାଜ୍ୟ ସଭାପତିଙ୍କ ଘୋଷଣା ପରେ, ମୋଦି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନର କଳ୍ପନାଜଳ୍ପନା ଜୋର ଧରିଛି। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରିପାରନ୍ତି। ଏହି ଅଦଳବଦଳରେ କିଛି ବର୍ତ୍ତମାନର ମନ୍ତ୍ରୀଙ୍କୁ ବହିଷ୍କାର କରି ସେମାନଙ୍କ ସ୍ଥାନ ନେଇପାରେ ନୂଆ ଚେହେରା । ଆଉ ବିଦା ହୋଇଥିବା ମନ୍ତ୍ରୀଙ୍କୁ ନୂତନ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ।
ତେବେ ଚର୍ଚ୍ଚା ହେଉଛି, ଜାନୁଆରୀରେ ବିଜେପି ଜାତୀୟ ସଭାପତି ପଦ ଗ୍ରହଣ କରିଥିବା ନୀତିନ ନବୀନ ଏହି ମାସ ଶେଷ ସୁଦ୍ଧା ତାଙ୍କର ନୂଆ ଟିମ୍ ଘୋଷଣା କରିପାରନ୍ତି । ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଯୋଜନା କରାଯାଉଛି। ଏହି ସମୟରେ ବିଜେପି ପଞ୍ଜାବ, ହରିୟାଣା, ତ୍ରିପୁରା ଏବଂ ଦିଲ୍ଲୀରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରିଛି। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ନୂଆ ସଭାପତି ଭାବରେ ନିଯୁକ୍ତ କରାଯାଇଛି, ଯେତେବେଳେ କି କେନ୍ଦ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଜେପିର ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ଅପରପକ୍ଷେ ୨୪ ରାଜ୍ୟସଭା ଆସନ ଏବଂ ଗୋଟିଏ ଉପ-ନିର୍ବାଚନ ପାଇଁ ଜୁନ ୧୮ ତାରିଖରେ ଭୋଟ୍ ଅନୁଷ୍ଠିତ ହେବାକୁ ଯାଉଛି । ବିଧାୟକଙ୍କ ସଂଖ୍ୟା ଆଧାରରେ, ବିଜେପି ୧୦ ଆସନ ଜିତିବ ବୋଲି ଆଶା କରାଯାଉଛି। ଏଥିରେ ଗୁଜୁରାଟରେ ୪ଟି, ରାଜସ୍ଥାନରେ ୨ଟି, ମଧ୍ୟପ୍ରଦେଶରେ ୨ଟି, ମଣିପୁରରେ ଗୋଟିଏ ଏବଂ ଅରୁଣାଚଳ ପ୍ରଦେଶରେ ଗୋଟିଏ ଆସନ ରହିଛି। ଏହା ବ୍ୟତୀତ, ବିଜେପି ମଧ୍ୟ ଓଡ଼ିଶାରେ ଉପନିର୍ବାଚନ ଆସନ ଜିତିବା ନିଶ୍ଚିତ। ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ପୁଣି ରାଜ୍ୟସଭା ପଠାଇବାକୁ ଯାଉଛି । ଆଉ ତାଙ୍କ ଜିତିବା ପ୍ରାୟ ନିଶ୍ଚିତ ।
କିନ୍ତୁ ସବୁଠୁ ବଡ କଥା ହେଉଛି, ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିଏନ୍ଙ୍କୁ ପୁନର୍ବାର ରାଜ୍ୟସଭା ଆସନ ପାଇଁ ମନୋନୀତ କରାଯାଇ ନାହିଁ, ଯଦିଓ ସେମାନଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଛି। କୁହାଯାଉଛି, ରଭନୀତ ସିଂହ ବିଟ୍ଟୁଙ୍କୁ ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏକ ପ୍ରମୁଖ ଦାୟିତ୍ୱ ଦିଆଯାଇପାରେ। ଅନ୍ୟପଟେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଜର୍ଜ କୁରିଆନ କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ପ୍ରମୁଖ ଖ୍ରୀଷ୍ଟିଆନ ମୁହଁମାନଙ୍କ ମଧ୍ୟରୁ ଜଣେ। ତେଣୁ ତାଙ୍କୁ ଟିକେଟ୍ ନ ମିଳିବା ରାଜନୈତିକ ମହଲରେ ମୋଦି କ୍ୟାବିନେଟ ରିସଫଲର ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। ଉଭୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁନ୍ ୨୧ରେ ଶେଷ ହେବାକୁ ଯାଉଛି। ଏହା ସହିତ ବିଜେପି ନିକଟରେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ କ୍ୟାବିନେଟ୍ ପୁନର୍ଗଠନ ନେଇ ଅଟକଳ ବଢ଼ିଛି।
ସେପଟେ ପଶ୍ଚିମବଙ୍ଗରେ ବିଜୟ ଦ୍ୱାରା ଉତ୍ସାହିତ ହୋଇ ବିଜେପି ଏବେ ସମ୍ପୂର୍ଣ୍ଣ ଭାବରେ ପଞ୍ଜାବ ଉପରେ ଧ୍ୟାନ ଦେଉଛି। ଦଳ ସମ୍ପ୍ରତି ଶିଖ ବ୍ୟକ୍ତିତ୍ୱ କେୱଲ ସିଂହ ଢିଲୋଙ୍କୁ ଏହାର ନୂତନ ସଭାପତି ଭାବରେ ନିଯୁକ୍ତ କରିଛି, ଯାହା ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ଏହା ଶିରୋମଣି ଅକାଳି ଦଳ ବିନା ଆଗାମୀ ବିଧାନସଭା ନିର୍ବାଚନ ନିଜେ ଲଢ଼ିବ। ଦଳ ପଞ୍ଜାବରେ ଆଇନ ଶୃଙ୍ଖଳା, ନିଶାଦ୍ରବ୍ୟ ଅପବ୍ୟବହାର, ଧର୍ମାନ୍ତରୀକରଣ ଏବଂ ଅଟକି ରହିଥିବା ବିକାଶକୁ ଏକ ପ୍ରମୁଖ ପ୍ରସଙ୍ଗ କରି ଆମ ଆଦମୀ ପାର୍ଟିକୁ କ୍ଷମତାରୁ ବାହାର କରିବାକୁ ପ୍ରସ୍ତୁତି କରୁଛି। ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖରଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯାଇପାରେ।