ଭୁବନେଶ୍ୱର: ଡିଏଲକୁ ନେଇ ଆସିଛି ବଡ଼ ଖବର। ବିନା ନୋଟିସରେ ଡିଏଲ କ୍ୟାନସଲରେ ଲାଗିବ ରୋକ୍। ଅର୍ଥାତ୍ ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର। ଯଦି ଆପଣ ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି ଏନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ସନ୍ତୋଷଜନକ ଉତ୍ତର ଦେଲେ, ଡିଏଲ୍ ବାତିଲ୍ ହେବନି। ପ୍ରକୃତରେ ନିୟମ ଉଲ୍ଲଂଘନ କରିଥିଲେ, ପରିବହନ ବିଭାଗ ଡିଏଲ୍ ବାତିଲ କରିବ। ଏମିତିକି ଡିଏଲ୍ ପୁନଃ ନବୀକରଣ ପୂର୍ବରୁ ସମ୍ପୃକ୍ତ ଅମାନିଆ ଗାଡ଼ି ଚାଳକଙ୍କୁ ୩ ଦିନିଆ ରିଫ୍ରେର୍ସସ୍ ତାଲିମ୍ ବି ନେବାକୁ ପଡ଼ିବ।
ଟ୍ରାଫିକ୍ ନିୟମ ଭାଙ୍ଗିଲେ ପରିବହନ ବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ କିମ୍ବା ଟ୍ରାଫିକ୍ ପୋଲିସ ସମ୍ପୃକ୍ତ ଗାଡି଼ ଚାଳକର ଡିଏଲ୍କୁ ବାତିଲ କରୁଥିଲା। ୩ ମାସ ଅବଧି ପରେ ଏହି ଡିଏଲ୍ଟି ସ୍ୱୟଂଚାଳିତ ଭାବେ ପୁନଃ କାର୍ଯ୍ୟକ୍ଷମ ହେଉଥିଲା। କିନ୍ତୁ ସମ୍ପୃକ୍ତ ଅମାନିଆ ଗାଡ଼ି ଚାଳକର ବେପରୁଆ ମନୋବୃତ୍ତିରେ ସେତେଟା ପରିବର୍ତ୍ତନ ଆସୁନଥିଲା। ଡିଏଲ୍ ଫେରିପାଇବା ପରେ ପୁଣି ନିୟମ ଭାଙ୍ଗୁଥିବାର ଦେଖିବାକୁ ମିଳିଛି। ମନଇଚ୍ଛା ଡିଏଲ୍ ବାତିଲ୍ କରିବା ଯୋଗୁଁ ଅନେକ ଗାଡି଼ଚାଳକ ନିର୍ଦ୍ଦୋଷରେ ଫସୁଥିବାର ଅଭିଯୋଗ ଉଠୁଥିଲା।
ସେଥିପାଇଁ ସୁପ୍ରିମ୍କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଡିଏଲ୍ ବାତିଲ୍ ପ୍ରକ୍ରିୟାରେ ଏକ ବଡ଼ ସଂଶୋଧନ କରିଛନ୍ତି। ମୋଟରଯାନ (ସଂଶୋଧିତ) ଆଇନ୍ ୨୦୧୯ ଅନୁସାରେ ଉଂଲ୍ଲଘନକାରୀଙ୍କ ଡିଏଲ୍ ବାତିଲ କରାଯିବା ପୂର୍ବରୁ ‘ସାରଥୀ’ ପୋର୍ଟାଲରେ ତଥ୍ୟ ଅପଲୋଡ କରାଯିବ। ନିୟମ ଉଲ୍ଲଂଘନ ବାବଦକୁ ଡିଏଲ୍ କ’ଣ ପାଇଁ ବାତିଲ କରାନଯିବ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଯଦି ତାଙ୍କ ଉତ୍ତର ସନ୍ତୋଷଜନକ ନହେଲା, ତେବେ ୩ ମାସ ପାଇଁ ଡିଏଲ୍ ବାତିଲ କରାଯିବ। ୟା’ ଭିତରେ ଅମାନିଆଜଣକ ଅନ୍ଲାଇନ୍ରେ ୩ ଦିନ ଯାଏ ସଡ଼କ ସୁରକ୍ଷା ସମ୍ପର୍କୀତ ଟ୍ରେନିଂ ନେବାକୁ ବାଧ୍ୟ। ତା’ପରେ ତାଙ୍କୁ ଡିଏଲ୍କୁ ନବୀକରଣ କରାଯିବ। ଯଦି ସେ ୩ ମାସ ଭିତରେ ତାଲିମ ନନିଅନ୍ତି, ତେବେ ଡିଏଲ୍ ଫେରାଯିବନି।