Latest Odisha News

BREAKING NEWS

ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍‌

କଟକ: କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ପରେ ଚେତିଲା ବିଭାଗ। ଭୁବନେଶ୍ବର ଏମ୍‌ସ ସମେତ ୩୫ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ। ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ରାଜ୍ୟ ସରକାରଙ୍କ ମୁଣ୍ଡରେ ଏକ କଳଙ୍କ ବୋଳିଥିଲା। ଘଟଣାକୁ ନେଇ ବିଭାଗ ଚେତିବା ସହ ତତ୍ପରତା ଦେଖାଇଥିବା ଜଣାପଡ଼ିଛି।

ରାଜ୍ୟର ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିଛି ବିଭାଗ। ଏହାସହ ବୈଧତା ସରିଥିବା ୩୫ରୁ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ବା ସୋ’ କଜ୍ ନୋଟିସ୍ ଜାରି କରିଛି ବିଭାଗ। ନୋଟିସ୍ ଜାରି ସହ ଆଗାମୀ ୫ ଦିନ ମଧ୍ୟରେ ନବୀକରଣ ପ୍ରମାଣପତ୍ର ଦାଖଲ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ହସ୍ପିର୍ଟଲ ଗୁଡ଼ିକ ପ୍ରମାଣପତ୍ର ଦାଖଲ ନ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ଚେତାବନୀ ଦେଇଛି।

ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଏସସିବି ମେଡିକାଲ ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କ ଜୀବନ ଯାଇଥିଲା। ତଦନ୍ତ କମିଶନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ଏପରିକି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାକୁ ନେଇ ବିକ୍ଷୋଭ ମଧ୍ୟ ହୋଇଥିଲା।

Comments are closed.