Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ୪ଜଣ ବିଚାରପତିଙ୍କ ନିଯୁକ୍ତି ଲାଗି କଲେଜିୟମଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ : ବରିଷ୍ଠ ବିଚାରପତି ମାନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ନୂଆ ବିଚାରପତି ଭାବେ ୪ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଚାରପତି ଜଷ୍ଟିସ ଏମ ବି ଲୋକୁର, ଜଷ୍ଟିସ କୁରିୟନ ଯୋଶେଫ୍, ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଏସ ଏ ବୋବଡେଙ୍କୁ ନେଇଗଠିତ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ କଲେଜିୟମ ସର୍ବସମ୍ମତି କ୍ରମେ ଏହି ସୁପାରିଶ କରିଥିବା ନେଇ ଜଣାପଡିଛି ।

ଏହି ସୁପାରିଶରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏମ ଆର ଶାହ, ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆର ସୁବାସ ରେଡ୍ଡି ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀ ଆଦିଙ୍କ ନାମ ରହିଛି ।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ କଲେଜିୟମ ଦେଶର ଉଚ୍ଚତମ ନ୍ୟାୟାଳୟରେ ବିଚାରପତିଙ୍କ ନିଯୁକ୍ତିି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥାନ୍ତି । ଏହି ନିୟମାନୁଯାୟୀ ୪ ବିଚାରପତିଙ୍କ ନାମ ସୁପାରିଶ କରାଯାଇଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟରେ ସର୍ବାଧିକ ୩୧ ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଥିବାବେଳେ ଅଦ୍ୟାବଧି ସୁପ୍ରିମକୋର୍ଟରେ ୭ଟି ବିଚାରପତି ଆସନ ଖାଲି ପଡିଛି । ଆହୁରି ମଧ୍ୟ ଚଳିତ ବର୍ଷ ୨ଜଣ ବିଚାରପତି ଭାବେ ଜଷ୍ଟିସ କୁରିୟନ ଜୋଶେଫ ଓ ଜଷ୍ଟିସ ଏମ ବି ଲୋକୁର ଅବସର ନେବା ନେଇ ସୂଚନା ମିଳୁଛି ।

Leave A Reply

Your email address will not be published.