Latest Odisha News

BREAKING NEWS

ବଲାଙ୍ଗୀର ଓ ଭୈଁସାପାଲ୍ଲୀ ମଧ୍ୟରେ ପରୀକ୍ଷା ମୂଳକ ନୂଆ ରେଳ ଲାଇନ୍ ଚାଲୁ ହେଲା

ବଲାଙ୍ଗୀର: ଖୋର୍ଦ୍ଧା ଓ ବଲାଙ୍ଗୀର ରେଳପଥ ମଧ୍ୟରେ ନୂତନ ଭାବେ ନିର୍ମିତ ହୋଇଥିବା ବଲାଙ୍ଗୀର- ଭୈଁସାପାଲ୍ଲୀ ରେଲୱେ ଲାଇନ ମଙ୍ଗଳବାର ଦିନ ପରୀକ୍ଷାମୂଳକ ଭାବେ ଚାଲୁ ହୋଇଛି ।

ଏହି ୧୯ କିଲୋମିଟର ଦୂରତାର ରେଲୱେ ଲାଇନର ପରୀକ୍ଷଣକୁ ରେଲୱେ ସେଫ୍ଟି କମିଶନର୍ (ସିଆରଏସ)କୁ ତଦାରଖ କରିଥିଲେ । ଏହି ପରୀକ୍ଷାମୂଳକ ରେଳଲାଇନ ଚାଲୁ ହେବା ସମୟରେ ସମ୍ବଲପୁରରର ଡ଼ିଭିଜନାଲ୍ ରେଲୱେ ମ୍ୟାନେଜର ଏବଂ ଅନ୍ୟାନ୍ୟ ବରିଷ୍ଠ ରେଲୱେ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ ।

ମିଳିଥିବା ସୂଚନାନୁଯାୟୀ, ରେଲୱେ ସିଆରସି ଏବଂ ତାଙ୍କର ଏକ ଟିମ୍ ଭୈଁସାପାଲ୍ଲୀ ରେଲୱେ ଷ୍ଟେସନରେ ପହଞ୍ଚିବେ । ସେଠାରେ ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଛି । ଭୈଁସାପାଲ୍ଲୀ ରେଲୱେ ଷ୍ଟେସନରେ ଏହି ଟିମର ଆଗମନ ପରେ ଏହି ସ୍ୱତନ୍ତ୍ର ଟ୍ରେନଟି ଭୈଁସାପାଲ୍ଲୀରୁ ବଲାଙ୍ଗୀର ଅଭିମୁଖେ ଏକ ସ୍ପିଡ଼ ଟେଷ୍ଟ କରିବ ।

“ସିଆରସି ଏହି ସ୍ପିଡ଼ ଟେଷ୍ଟ କଲାପରେ ରେଲୱେ ବିଭାଗକୁ ଏହି ରେଲୱେ ଟ୍ରାକ୍ ସମ୍ପର୍କୀତ ଏକ ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ ଅନୁଯାୟୀ ଏହି ରେଳପଥ ମଧ୍ୟ ଦେଇ ସ୍ୱାଭାବିକ ଭାବେ ରେଳ ଚଳାଚଳ ଆରମ୍ଭ କରିବାକୁ ଏକ ଦିନ ଧାର୍ଯ୍ୟ ହେବ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସମ୍ବଲପୁର ରେଳଷ୍ଟେସନର ଷ୍ଟେସନ ମ୍ୟାନେଜର ନିକୁଞ୍ଜ ବିହାରୀ ବେଉରା ।

ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ଥିବା ୨୮୯ କିମି ରେଳପଥରୁ ଖୋର୍ଦ୍ଧା ଓ ନୟାଗଡ଼ ମଧ୍ୟରେ ଥିବା ୬୬ କିମି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଛି । ତେବେ ବଲାଙ୍ଗୀର ଓ ଭୈଁସାପାଲ୍ଲୀ ମଧ୍ୟରେ ଏହି ୧୯ କିମି ରେଳପଥ କାର୍ଯ୍ୟ ହୋଇସାରିଥିବା ଯୋଗୁଁ ଅଦ୍ୟାବଧି ସମୁଦାୟ ୮୫ କିମି ରେଳରାସ୍ତା ସମ୍ପୂର୍ଣ୍ଣ ହୋଇପାରିଛି । ରାଜ୍ୟ ସରକାର ମଧ୍ୟ ଏଥିଲାଗି ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ଏବଂ ଏହା ଶେଷ ହେବାପରେ ରେଲୱେ କର୍ତ୍ତୃପକ୍ଷ ରେଲୱେ ଟ୍ରାକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

କେନ୍ଦ୍ର ସରକାର ୨୦୧୮ ମସିହା ଆର୍ଥୀକ ବଜେଟ ଉପସ୍ଥାପନ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଯୋଜନା ଲାଗି ୬୨୫ କୋଟି ଟଙ୍କା ବ୍ୟୟ ବରାଦ କରି ମଞ୍ଜୁର କରିଥିଲେ ।

ଏହି ରେଲୱେ ଯୋଜନାଟି ରାଜ୍ୟ ସବୁଠାରୁ ପୁରୁଣା ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରେଲୱେ ଯୋଜନା । ଏହି ରେଲୱେ ଯୋଜନାଟି ସମ୍ପୂର୍ଣ୍ଣ ହୋଇପାରିଲେ ରାଜ୍ୟର ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶା ସଂଯୋଗୀକରଣ ହୋଇପାରିବ ।

Leave A Reply

Your email address will not be published.