Latest Odisha News

BREAKING NEWS

କୋଭିଡ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଦାବି ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌ ପିଟିସନ ସଂଖ୍ୟା ୧୮୦୫ରେ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ଆଦେଶ ଦେଇଛନ୍ତି ।

କୋର୍ଟ ନିର୍ଦ୍ଦେଶ ଜାରି କରି କହିଛନ୍ତି, ୨୦ ମାର୍ଚ୍ଚ ୨୦୨୨ ପୂର୍ବରୁ କୋଭିଡ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ କ୍ଷତିପୂରଣ ଅର୍ଥରାଶି ପାଇବା ଲାଗି ୨୪ ମାର୍ଚ୍ଚ, ୨୦୨୨ ଠାରୁ ୬୦ ଦିନର ଅତିରିକ୍ତ ବାହ୍ୟ ସମୟସୀମା ଧାର୍ଯ୍ୟ କରାଯାଇଛି । ଭବିଷ୍ୟତରେ ହେବାକୁ ଥିବା କୋଭିଡ ମୃତ୍ୟୁ ପାଇଁ କ୍ଷତିପୂରଣ ନିମନ୍ତେ ସମୟସୀମା ମୃତ୍ୟୁ ତାରିଖ ଠାରୁ ୯୦ ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି। କ୍ଷତିପୂରଣ ଦାବିର ଯାଞ୍ଚ ଏବଂ ଅର୍ଥ ପଇଠର ବାସ୍ତବ ଅବଧି ଦାବି ହସ୍ତଗତ ହେବାର ତିରିଶ ଦିନ ମଧ୍ୟରେ କରାଯିବ । ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ଆଦେଶ ଲାଗୁ ହେବ ।

ଏହାବ୍ୟତୀତ, କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନକଲି ଦାବି ଆଶଙ୍କାକୁ ଯଥାସମ୍ଭବ କମାଇବା ପାଇଁ ୫ ପ୍ରତିଶତ ଦାବି ଆବେଦନକୁ ପ୍ରଥମ ଥର ରେଣ୍ଡମ ଯାଞ୍ଚ କରାଯିବ । କୌଣସି ବ୍ୟକ୍ତି ନକଲି ଦାବି କରିଥିବା ଧରାପଡ଼ିଲେ, ତାଙ୍କ ବିରୋଧରେ ବିପର୍ଯ୍ୟୟ ପ୍ରଶମନ ଆଇନ, ୨୦୦୫ର ଧାରା ୫୨ ଅଧୀନରେ ବିଚାର କରାଯିବ ଏବଂ ତଦନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ।

Comments are closed.