ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରମାନଙ୍କୁ ହଟାଇବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାଙ୍କ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ କିଛି ସଂଶୋଧନ କରୁଛୁ। ଜଷ୍ଟିସ୍ ବିକ୍ରମ ନାଥ ଆଦେଶ ପଢିବା ସମୟରେ କହିଛନ୍ତି ଯେ ଏକ ଜାତୀୟ ନୀତି ଉପରେ ଆଲୋଚନା କରିବା ପାଇଁ ଆମେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିଛୁ । ସୁପ୍ରିମକୋର୍ଟ ପୂର୍ବ ଆଦେଶରେ ସଂଶୋଧନ କରି କହିଛନ୍ତି ଯେ କୁକୁରମାନଙ୍କୁ ଫେରାଇ ଦେବା ଉପରେ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ଅର୍ଥାତ୍ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ଧରି ପ୍ରଥମେ ଆଶ୍ରୟ ସ୍ଥଳ ନିଆଯିବ । ସେଠାରେ ତାଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ପୁନଶ୍ଚ ମୁକ୍ତ କରାଯିବ । କିନ୍ତୁ କୋର୍ଟ ଏହା ବି ନିର୍ଦ୍ଦେଶ ଦେଇଛନ୍ତି ଯେ ପାଗଳ ଏବଂ ରାବିଜ୍ ସଂକ୍ରମିତ ଅସୁସ୍ଥ କିମ୍ବା ହିଂସ୍ର କୁକୁରମାନଙ୍କୁ ମୁକ୍ତ କରାଯିବା ଉଚିତ୍ ନୁହେଁ।
ଆଜି ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ବୁଲା କୁକୁରଙ୍କ ଉପରେ ଣୁଣାଣି କରିଥିବା ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଯାହା କୁକୁର ପ୍ରେମୀଙ୍କୁ ଟିକିଏ ଆଶ୍ବସ୍ତି ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ଆମେ ଶୁଣିଛୁ ଏବଂ ଆମେ ଏହି ମାମଲାକୁ ସମଗ୍ର ଦେଶ ପାଇଁ ବିସ୍ତାର କରୁଛୁ। ଆମେ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରୁଛୁ ଏବଂ ହାଇକୋର୍ଟରେ ବିଚାରାଧୀନ ସମସ୍ତ ମାମଲାକୁ ଏଠାରେ ସ୍ଥାନାନ୍ତର କରୁଛୁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆଶ୍ରୟସ୍ଥଳକୁ ପଠାଯାଇଥିବା କୁକୁରମାନଙ୍କୁ ମୁକ୍ତ କରାଯିବ। ସେହି ସମୟରେ, ହିଂସ୍ର ଏବଂ ଅସୁସ୍ଥ କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ। ଏଥିସହିତ ସର୍ବ ସାଧାରଣରେ ବୁଲା କୁକୁରମାନଙ୍କୁ ଖାଇବା ଦେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି କୋର୍ଟ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ଖାଇବାକୁ ଦିଆଯିବ । କେବଳ ଯେ ଦିଲ୍ଲୀ ଏନସିଆର ତାହା ନୁହେଁ, ଏହା ଦେଶର ପ୍ରତ୍ୟେକ ସ୍ଥାନରେ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏନେଇ ସମସ୍ତ ରାଜ୍ୟକୁ ଚିଠି ମଧ୍ୟ ପଠାଇଚନ୍ତି କୋର୍ଟ ।
ଅଗଷ୍ଟ ୧୪ ତାରିଖରେ ୩ ଜଣ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି ପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତିଙ୍କ ଖଣ୍ଡପୀଠ ସେଲଟର ହୋମକୁ ବୁଲା କୁକୁର ପଠାଇବା ପାଇଁ ନିଷ୍ପତ୍ତି ଦେଇଥିଲେ, ଯାହା ବିରୁଦ୍ଧରେ ଆବେଦନ ପରେ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ଗଠନ କରାଯାଇଥିଲା। ଏହି ଖଣ୍ଡପୀଠ ସମ୍ମୁଖରେ ଏକ ଦାବି କରାଯାଇଥିଲା ଯେ ସେଲଟର ହୋମରେ ବୁଲା କୁକୁରମାନଙ୍କୁ ରଖିବା ନିଷ୍ପତ୍ତି ଉପରେ ଏକ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଉ, ଯାହା ଉପରେ କୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆଉ ଆଜି ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ୟ
ପୂର୍ବରୁ, ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ନିଷ୍ପତ୍ତି ପରେ, କୁକୁର ପ୍ରେମୀମାନେ ବୁଲା କୁକୁର ଧରିବା ଅଭିଯାନକୁ ବିରୋଧ କରିଥିଲେ। ଏହାକୁ ନେଇ ଅନେକ ସ୍ଥାନରେ ପ୍ରତିବାଦ ମଧ୍ୟ କରାଯାଇଥିଲା। କୁକୁର କାମୁଡ଼ାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଏହାର ବିଚାର କରି ନିର୍ଦ୍ଦେଶ ଦେଇଥିଲେ ଯେ, ଏନସିଟି ଦିଲ୍ଲୀ, ଏମସିଡି ଏବଂ ଏନଡିଏମସି ସମସ୍ତ ଅଞ୍ଚଳରୁ, ବିଶେଷକରି ସମ୍ବେଦନଶୀଳ ଅଞ୍ଚଳ ଏବଂ ସହର ଉପକଣ୍ଠରୁ ଯଥାଶୀଘ୍ର ବୁଲା କୁକୁର ଉଠାଇବା ଆରମ୍ଭ କରିବା ଉଚିତ। ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖାଯିବା ଉଚିତ। ଧରାପଡ଼ିଥିବା ଏବଂ ବଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖାଯିବାର ରେକର୍ଡ ବଜାୟ ରଖିବା ଉଚିତ। କୁକୁର ଆଶ୍ରୟସ୍ଥଳରେ ବୁଲା କୁକୁରମାନଙ୍କର ବନ୍ଧ୍ୟାକରଣ ଏବଂ ଟୀକାକରଣ ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ରହିବେ। ରାସ୍ତା/କଲୋନୀ/ସାର୍ବଜନୀନ ସ୍ଥାନରେ ବୁଲା କୁକୁରମାନଙ୍କୁ ଛଡ଼ାଯିବ ନାହିଁ। କୌଣସି କୁକୁରକୁ ଛାଡିବା କିମ୍ବା ବାହାରକୁ ନ ନେବା ନିଶ୍ଚିତ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ। ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ବୁଲା କୁକୁରଙ୍କୁ ଉଠାଇବା ବାରଣ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ୭ରୁ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯାହା କୁକୁର ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢାଇଥିଲା ।
ତେବେ କହିରଖୁଛୁ, ୨୦୨୪ ମସିହାରେ ସାରା ଦେଶରେ କୁକୁର କାମୁଡ଼ାର ୩୭.୧୫ ଲକ୍ଷ ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ, କୁକୁର କାମୁଡ଼ାର ଶିକାର ହୋଇଥିବା ଲୋକଙ୍କ ପାଇଁ ଏକ ହେଲ୍ପଲାଇନ୍ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ, ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଶୁଣାଣି ସମୟରେ, ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ୨୦୨୪ ମସିହାରେ ସାରା ଦେଶରେ ୩୭.୧୫ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜିକୃତ ହୋଇଥିଲା, ଅର୍ଥାତ୍ ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ କୁକୁର କାମୁଡ଼ାଉଥିଲେ। ଡବ୍ଲୁଏଚ୍ଓ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ କୁକୁର କାମୁଡ଼ା ଯୋଗୁଁ ୩୦୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଶୁଣାଣି ସମୟରେ, ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ କୋର୍ଟ ବୁଲା କୁକୁରଙ୍କ ଜୀବନ ପ୍ରତି ମଧ୍ୟ ସହାନୁଭୂତିଶୀଳ।
Comments are closed.