Latest Odisha News

BREAKING NEWS

ଡିଜିଟାଲ ଆରେଷ୍ଟ ରୋକିବାକୁ ସାରା ଭାରତରେ ଏସଓପି ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଡିଜିଟାଲ ଆରେଷ୍ଟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଜାରି କରି କେନ୍ଦ୍ର ସରକାରଙ୍କୁ ସାରା ଭାରତରେ SOP ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଡିଜିଟାଲ୍ ଆରେଷ୍ଟ୍ରେ ଯେତିକି ଅର୍ଥ ପୀଡ଼ିତମାନେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟର ଆକାରଠାରୁ ମଧ୍ୟ ଅଧିକ ।

ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ କିମ୍ବା ସେମାନଙ୍କ ଅସାବଧାନତାରୁ ଏପରି ହେଉଥାଇପାରେ । ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡ଼ିକ ଏ ନେଇ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହିତ ସୁପ୍ରିମକୋର୍ଟ କେତେକ ନୂଆ ନିର୍ଦ୍ଦେଶନାମା ମଧ୍ୟ ଦେଇଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଟେଲିକମ୍ ବିଭାଗ ଦ୍ବାରା ପ୍ରସ୍ତୁତ ଏସଓପି ଗୁଡ଼ିକୁ ବିଚାର କରି ଏଭଳି ଅପରାଧର କଡ଼ା ମୁକାବିଲା ପାଇଁ ଏକ ଚିଠା ଏମଓୟୁ ୪ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରି ଆସିବା ଲାଗି ଗୃହ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏ ନେଇ ଏକ ଏସ୍ଓପି ପ୍ରସ୍ତୁତ କରିଛନ୍ତି । ଏଥିରେ ସାଇବର ଠକେଇକୁ ରୋକିବା ଲାଗି ସାମୟିକ ଭାବେ ଡେବିଟ୍ କାର୍ଡକୁ ବ୍ଲକ୍ କରିବା ବ୍ୟବସ୍ଥା ରହିଛି ।

ଏହା ବ୍ୟତୀତ ଡିଜିଟାଲ୍ ଆରେଷ୍ଟ୍ ମାମଲାଗୁଡ଼ିକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ମାମଲାର ତଦନ୍ତ ଅନୁମତି ସିବିଆଇକୁ ଦେବାଲାଗି ସୁପ୍ରିମକୋର୍ଟ ଗୁଜରାଟ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଡିଜିଟାଲ୍ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇଛନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.