Latest Odisha News

ବିବାହ ପବିତ୍ର ସଂସ୍କାର ଅଟେ, ଏହାକୁ ବ୍ୟବସାୟ ବନାନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଏହି ଘଟଣା ଏବେ ଦେଶବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି କରିଥିବାବେଳେ, ଆଜି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇଛି ।

ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ, ଭରଣପୋଷଣ ଭତ୍ତା ନାମରେ ସ୍ବାମୀଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟିବା ଭୁଲ୍‌ ଅଟେ । ଆର୍ଥିକ ସ୍ଥିତିକୁ ସ୍ବାମୀଙ୍କ ସମାନ କରିବାକୁ ଏହି ଭତ୍ତା ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଜୀବନଯାପନ ସ୍ତରକୁ ଉତ୍ତମ କରିବା ପାଇଁ ଦିଆଯାଇଥାଏ । ମହିଳା ଏଥିପ୍ରତି ସାବଧାନ ରହିବା ଉଚିତ୍ ଯେ ଆଇନ ସେମାନଙ୍କ ସୁରକ୍ଷା ପାଇଁ ରହିଛି ।

ସ୍ବାମୀଙ୍କୁ ଦଣ୍ଡ ଦେବାକୁ, ଧମକାଇବାକୁ, ତାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା ପାଇଁ ଆଇନକୁ ବ୍ୟବହାର କରାଯାଇପାରିବ ନାହିଁ । ଏନେଇ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଖଣ୍ଡପୀଠ କହିଥିଲେ ଯେ, ଅନେକ ସମୟରେ ଭରଣପୋଷଣ ଭତ୍ତା ଜନିତ ଆବେଦନରେ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥାଏ । ସ୍ବାମୀର ସମ୍ପତ୍ତି, ସ୍ଥିତି ଏବଂ ଆୟ ବିଷୟରେ ଜଣାପଡ଼ିଥାଏ । ପରେ ପତ୍ନୀ ନିଜ ସ୍ବାମୀ ଠାରୁ ଅଧା ସମ୍ପତ୍ତି ଚାହିଁଥାଆନ୍ତି ।

ପତ୍ନୀଙ୍କ ଅଭିଯୋଗ ଥିଲା ଯେ ସ୍ୱାମୀ ତାଙ୍କୁ ମୂଳ ସମ୍ପତ୍ତି ଅପେକ୍ଷା ବହୁତ କମ୍ ଅଂଶ ଦେଉଛନ୍ତି । ସମାନ ବଣ୍ଟନର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ଆବେଦନକାରୀ ମହିଳାଙ୍କୁ ପ୍ରଶ୍ନ କରିଥିଲେ ଯେ, ବିବାହ ବିଚ୍ଛେଦ ପରେ ଯଦି ସ୍ବାମୀ କୌଣସି କାରଣରୁ ସମସ୍ତ ଅର୍ଥ ହରାନ୍ତି ତେବେ ସେ କ’ଣ ନିଜ ସମ୍ପତ୍ତିର ସମାନ ହକ୍‌ ତାଙ୍କ ସ୍ବାମୀକୁ ଦେବେ? ଖଣ୍ଡପୀଠ ମତ ଦେଇଥିଲେ ଯେ ହିନ୍ଦୁଙ୍କ ପାଇଁ ବିବାହ ପବିତ୍ର ସଂସ୍କାର ହୋଇଥାଏ । ଏହାକୁ ବ୍ୟବସାୟ ଭାବେ ଦେଖିବା ଅନୁଚିତ୍ ।

Leave A Reply

Your email address will not be published.