Latest Odisha News

BREAKING NEWS

ନିର୍ଦ୍ଦେଶ ସତ୍ତ୍ୱେ ସବୁ ଥାନାରେ ଲାଗୁନି CCTV, ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା । କେନ୍ଦ୍ର ସରକାରଙ୍କ ସହ ଏକାଧିକ ରାଜ୍ୟ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନା ହାଜତରେ ନିର୍ଯାତନା ବନ୍ଦ ଓ ନାଗରିକର ମୌଳିକ ଅଧିକାରକୁ ନେଇ ଥାନାରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା ।

ସିବିଆଇ, ଇଡି, ଏନ୍ଆଇଏ ଭଳି ତଦନ୍ତକାରୀ ସଂସ୍ଥା ସହ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଗତବର୍ଷ ଡିସେମ୍ବର ୨ରେ ଜାରି କରିଥିବା ନିର୍ଦ୍ଦେଶନାମା ବର୍ତ୍ତମାନ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଚିଠିରେ ଆବେଦନ କରିଥିଲେ । ଏଥିପାଇଁ ଅଧିକ ସମୟ ମାଗିଥିଲେ ସରକାର । କେନ୍ଦ୍ରର ଆବେଦନକୁ ଅଗ୍ରାହ୍ୟ କରିବା ସହ ଜଷ୍ଟିସ୍ ଆର.ଏଫ୍ ନରିମନ, ବି.ଆର୍ ଗଭାଇ ଓ ହୃଷିକେଶ ରୟଙ୍କ ଖଣ୍ଡପୀଠ କହିଛନ୍ତି- ଆମେ ଚିଠିରେ ଦର୍ଶାଯାଇଥିବା କାରଣକୁ ଗ୍ରହଣ କରୁନାହୁଁ । ଆମକୁ କୁହ ଏଥିପାଇଁ କେତେଟଣ୍ଟା ଆବଣ୍ଟନ ହୋଇଛି । ଏହାଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସମୟ ମାଗିଥିବା ବେଳେ ନିର୍ଦ୍ଦେଶକ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟ ୩ ସପ୍ତାହ ସମୟ ଦେଇଛନ୍ତି ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଥାନାରେ ନାଇଟ୍ ଭିଜନ୍ ସିସିଟିଭି ଲଗାଇବାକୁ ଗତବର୍ଷ ଡିସେମ୍ବର ୨ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସିସିଟିଭି ସହ ରେକର୍ଡ ଫୁଟେଜ୍ ୧୨ ମାସ ଯାଏ ରହିବ ବୋଲି କୋର୍ଟ କହିଥିଲେ । ଏହାଦ୍ୱାରା ହାଜତ ମୃତ୍ୟୁ ଅଭିଯୋଗର ତଦନ୍ତ ସଠିକ୍ ହେବ ବୋଲି କୁହାଯାଇଥିଲା । ଏଥିସହ ସିବିଆଇ, ଏନ୍ଆଇଏ, ଇଡି, ଏନସିବି ଓ ଏସଏଫଆଇଓ କାର୍ଯ୍ୟାଳୟରେ ସିସିଟିଭି ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ମଙ୍ଗଳବାର ଏହା ଉପରେ ଅଧିକାଂଶ ରାଜ୍ୟ ନିର୍ଦ୍ଦେଶ କାର୍ଯ୍ୟକାରୀ ଲାଗି ସୁପ୍ରିମକୋର୍ଟଙ୍କୁ ଦେଢ଼ବର୍ଷ ସମୟ ମାଗିଛନ୍ତି । ଭୌଗଳିକ ପରିସୀମା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ୩ ବର୍ଷ ସମୟ ମାଗିଥିବା ବେଳେ ପଶ୍ଚିମବଙ୍ଗ ସରକାର ସମସ୍ତ ଥାନାରେ ସିସିଟିଭି ଲଗାଇବା ଲାଗି ୫ ବର୍ଷ ସମୟ ଚାହିଁଛନ୍ତି ।

ବିହାର ଓ ତେଲଙ୍ଗାନା ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ନିର୍ଦ୍ଦେଶ ସହ ଖେଳୁଛ କି ବୋଲି ପଚାରିଛନ୍ତି । ବିହାର ଓ ତେଲଙ୍ଗାନା ପକ୍ଷରୁ ଦିଆଯାଇଥିବା ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ସଚିବଙ୍କୁ ତଥ୍ୟ ଦେବାକୁ କହିଛନ୍ତି । ଅଧିକାଂଶ ରାଜ୍ୟ ବଜେଟରେ ଏନେଇ ବ୍ୟୟ ବରାଦ କରିନାହାଁନ୍ତି । ମାସକ ଭିତରେ ଏଥିପାଇଁ ଅର୍ଥ ଯୋଗାଇ ଦେବା ସହ ଆଗାମୀ ୪ ମାସ ଭିତରେ ନିର୍ଦ୍ଦେଶ ଅନୁପାଳନ କରିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଆସାମ, ପଶ୍ଚିମବଙ୍ଗ, ତାମଲନାଡ଼ୁ, କେରଳରେ ନିର୍ବାଚନ ଥିବାରୁ ଏହି ସବୁ ରାଜ୍ୟର ଥାନାରେ ସିସିଟିଭି ସ୍ଥାପନ ପାଇଁ ଚଳିତବର୍ଷ ଶେଷ ଯାଏ ସମୟ ଦିଆଯାଇଛି ।

Leave A Reply

Your email address will not be published.