ନୂଆଦିଲ୍ଲୀ : କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ । କେତେ ଟଙ୍କା ଦିଆଯିବ, ତାହା ନିର୍ଦ୍ଧାରଣ କରିବା ସହ ଅନ୍ୟାନ୍ୟ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଏନଡିଏମଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ୬ ସପ୍ତାହର ମହଲତ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସବୁ କଥା ଧରାବନ୍ଧା ନିୟମରେ ନଥାଏ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଏନଏଡିଏମଏକୁ ଭର୍ତ୍ସନା କରିବା ସହ କୋଭିଡ ମ଼ୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏନଡିଏମଏ ବାଧ୍ୟ ବୋଲି କହିଛନ୍ତି କୋର୍ଟ ।
ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଲିଫର ସର୍ବନିମ୍ନ ମାନକ ସ୍ଥିର କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡରେ ମୃତ ବ୍ୟକ୍ତିଙ୍କ ପରିବାର ଲାଗି ଏହା ବଡ ସହାୟତା ହେବ । କେତେ ପରିମାଣର ଅର୍ଥ ସହାୟତା ଦିଆଯିବ, ତାହା କର୍ତ୍ତୃପକ୍ଷଙ୍କ ବିବେକ ଉପରେ ନିର୍ଭର କରେ । କୋର୍ଟ କହିଛନ୍ତି ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ରିଲିଫର ସର୍ବନିମ୍ନ ମାନକ ସ୍ଥିର କରିବା ବାଧ୍ୟତାମୂଳକ । ଏହା ଇଚ୍ଛାଧୀନ ନୁହେଁ ।
ସେହିପରି କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ ତାରିଖ, ମୃତ୍ୟୁର କାରଣ ଦର୍ଶାଇବା ସହ ଏହାକୁ ସଂଶୋଧନ କରିବା ବ୍ୟବସ୍ଥା ରହିବା ଦରକାର । କୋଭିଡ ମୃତ୍ୟୁଜନିତ କ୍ଷତିପୂରଣ ୪ ଲକ୍ଷ ଟଙ୍କା ଦେବା ଲାଗି ହୋଇଥିବା ଆବେଦନ ପରିପ୍ରେକ୍ଷୀରେ କୋର୍ଟ ଏହା କହିଛନ୍ତି । କିଛି ଦିନ ତଳେ କୋର୍ଟଙ୍କୁ ସରକାର କହିଥିଲେ ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ କ୍ଷତିପୂରଣ ଦେବାର ବ୍ୟବସ୍ଥା ନାହିଁ ।
Comments are closed.