ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ କଂଗ୍ରେସ ଦେଇଛନ୍ତି ନୂଆ ମୁହଁ । ବିଜେଡିରୁ ସଂଜୟ ଦାସ ଓ କଂଗ୍ରେସରୁ ରଞ୍ଜନ ବେହେରା ପ୍ରାର୍ଥୀ ହୋଇଛନ୍ତି । ଧାମନଗର ପୁଣି କବଜା କରିବ ବିଜେପି ନା ବାଜି ମାରିନେବ ବିଜେଡି ?
ସୂର୍ଯ୍ୟବଂଶୀ ସୂରଜ କ୍ରେଜ୍
କେବଳ ଧାମନଗର ନୁହେଁ ନିର୍ବାଚନ ମଣ୍ଡଳୀ ବାହାରେ ବି ସୂର୍ଯ୍ୟବଂଶୀ ସୂରଜଙ୍କର କ୍ରେଜ୍ ରହିଛି । ବିଶେଷ କରି ସୂରଜଙ୍କୁ ଯୁବପୀଢିଙ୍କର ସମର୍ଥନ ମିଳୁଛି । ସୋସିଆଲ୍ ମିଡିଆ ହେଉ କି ନିର୍ବାଚନ ଗ୍ରାଉଣ୍ଡ ସୂରଜ ରାଜ୍ୟ ରାଜନୀତିରେ ଆଗଧାଡ଼ିର ଯୁବ ଚେହେରା ପାଲଟିଛନ୍ତି । ୨୦୨୨ରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ହୋଇଥିଲା । ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇ ବାଜିମାତ୍ କରିଥିଲେ। ନିର୍ବାଚନ ଜିତିବା ପରଠୁ ଧାମନଗରରେ ବେଶ୍ ଆକ୍ଟିଭ୍ ସୂରଜ । ଏଥର ତାଙ୍କୁ ଭଦ୍ରକ ଲୋକସଭାରୁ ବି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଶେଷରେ ଧାମନଗରରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସୂରଜ ।
ବିଜେଡି କଂଗ୍ରେସରୁ ନୂଆ ମୁହଁ
ବିଜେପି ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ତ ଧାମନଗର ଲଢେଇରେ ବିଜେଡି ଓ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛନ୍ତି । ବିଜେଡି ଡାକ୍ତର ସଂଜୟ ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ରୋଗୀସେବାରୁ ଜନସେବା ପାଇଁ ମନ ବଳାଇଥିବା ସଂଜୟ ୨୦୨୨ରେ ବିଜେଡିରେ ସାମିଲ ହୋଇଥିଲେ । ସେବେଠୁ ଧାମନଗରରେ ସଂଗଠନ ସଜାଡୁଛନ୍ତି ସଂଜୟ । ୨୦୦୯ ଓ ୨୦୧୪ରେ ଏଠାରୁ ବିଜେଡି ଜିତିଥିବା ବେଳେ ଏଥର ପୁଣି ଧାମନଗର କବଜା କରିବାକୁ ସେ ଜାନ୍ ଲଗାଇଛନ୍ତି । ସେପଟେ କଂଗ୍ରେସ ଯୁବନେତା ରଞ୍ଜନ ସାହୁଙ୍କୁ ଭରସା କରିଛି । ପୂର୍ବରୁ ରଞ୍ଜନ ସରପଞ୍ଚ ଥିଲେ। ଏଥର ବିଧାୟକ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଖେଳ ବିଗାଡିବେ ରାଜୁ ଦାସ !
ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପୁଣି ବିଜେଡିକୁ ଫେରିଛନ୍ତି । ଗତଥର ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରିବାରୁ ସେ ସ୍ବାଧୀନ ଭାବେ ଲଢି ୮ହଜାରରୁ ଅଧିକ ଭୋଟ୍ ପାଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ପ୍ରଥମେ ସୋର ବିଧାନସଭାରୁ ପ୍ରାର୍ଥୀ କରିଥିଲା । ତେବେ ଶେଷ ମୁହୁର୍ତ୍ତରେ ରାଜୁଙ୍କ ଟିକେଟ୍ କାଟି ପର୍ଶୁରାମ ଧଡାଙ୍କୁ ପ୍ରାର୍ଥୀ କଲା । ଏହାପରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ୨୦୦୯ରେ ବିଜେଡିରୁ ବିଧାୟକ ହୋଇଥିଲେ ରାଜୁ । ୨୦୧୪ରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ୨୦୧୯ରେ ସେ ବିଷ୍ଣୁସେଠୀଙ୍କଠାରୁ ହାରିଥିଲେ । ଉପନିର୍ବାଚନରେ ରାଜୁଙ୍କ ବିନା ସହଯୋଗରେ ଧାମନଗର ଜିତିଥିଲେ ସୂର୍ଯ୍ୟବଂଶୀ ସୂରଜ । ତେବେ ଏଥର ରାଜୁଙ୍କ ସମର୍ଥକ ବିଜେଡି ଆଡକୁ ଗଲେ ଧାମନଗର ସମୀକରଣ ବଦଳିପାରେ ।
ଧାମନଗର ବିଜେଡି ଗୋଷ୍ଠୀ କନ୍ଦଳ !
ଧାମନଗରରେ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ସାମନାକୁ ଆସିଛି । ଧାମନଗରର ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ବିଜେଡିର ଏକ ଗୋଷ୍ଠୀ ଖୋଲାଖୋଲି ବିରୋଧ କରୁଛି । ନେତୃତ୍ବ ପରିବର୍ତ୍ତନ ନକଲେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି । ବିଜେଡି ସେଠାରେ କଳି ନତୁଟାଇଲେ ଦଳୀୟ ପ୍ରାର୍ଥୀ ସଂଜୟ ଦାସଙ୍କୁ ଏହା ମହଙ୍ଗା ପଡିପାରେ ।
୨୦୧୯ରେ ୪ହଜାର ୬୨୫ ଭୋଟ୍ ବ୍ୟବଧାନରେ ଧାମନଗର ଜିତିଥିଲେ ବିଷ୍ଣୁଚରଣ ସେଠୀ । ତାଙ୍କ ପରଲୋକ ପରେ ଉପନିର୍ବାଚନରେ ବିଜୟ ବ୍ୟବଧାନକୁ ୯ହଜାର ୮୮୧କୁ ବଢାଇଥିଲେ ସୂର୍ଯ୍ୟବଂଶୀ ସୂରଜ । ତେବେ ଉପନିର୍ବାଚନରେ ଅନୁକମ୍ପାମୂଳକ ଭୋଟ୍ ପାଇଥିବା ସୂରଜ ଏଥର ନିଜ ଦମରେ ନିର୍ବାଚନ ଲଢୁଛନ୍ତି । ସେପଟେ ବିଜେଡି କ୍ୟାମ୍ପକୁ ରାଜୁ ଦାସ ଫେରିବା ପରେ ସମୀକରଣ ବଦଳିପାରେ । ତେବେ କାହାକୁ ଭରସା କରିବେ ଧାମନଗର ଭୋଟର ?
Comments are closed.