ଭୁବନେଶ୍ବର: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ୟୁନିଟ-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ସମାରୋହ ଉଦ୍ଘାଟିତ ହୋଇଛି। ଶିଶୁ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ସମାରୋହ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ପାଠପଢା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ସୁରଭି ପ୍ଲାଟଫର୍ମ ସୃଷ୍ଟି ହୋଇଛି ବୋଲି କହିଥିଲେ।
ଏହି ମଞ୍ଚ ସୁରଭି ମାଧ୍ୟମରେ ପିଲାଙ୍କ ଭିତରେ ଲୁକ୍କାୟିତ କଳାକୁ ପ୍ରଦର୍ଶନ କରିବାର ଏକ ପ୍ରୟାସ କରିଛି। କ୍ଲଷ୍ଟର ସ୍ତରରୁ ରାଜ୍ୟସ୍ତରରେ ପହଞ୍ଚି ଅନେକ ଛାତ୍ରଛାତ୍ରୀ ନିଜ କଳା କୌଶଳ ଓ ପ୍ରତିଭା ପାଇଁ ପ୍ରଦର୍ଶନ କରିପାରିଛନ୍ତି। ଗୋଟିଏ ଜାଗାରେ ଏକାଠି ହେଉଥିବାରୁ କଠିନ ପରିଶ୍ରମ ପାଇଁ ପିଲାମାନଙ୍କୁ ମଧ୍ୟ ବେଶ୍ ପ୍ରେରଣା ମିଳୁଛି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଚିନ୍ତା କରିବା ଆବଶ୍ୟକତା ରହିଛି। ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ହୁଏ। ତେଣୁ ଶିକ୍ଷାର ବିକାଶ ନିତାନ୍ତ ଆବଶ୍ୟକ। ଆଗାମୀ ଦିନରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବବୋଲି ମଧ୍ୟ ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।
ଏହି ଅବସରରେ ଶିକ୍ଷକମାନେ ନିଜକୁ ରାଷ୍ଟ୍ର ସେବାରେ ଉତ୍ସର୍ଗୀକୃତ କରିବାକୁ ସେ କହିବ ସହ ବଦଳି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ। ସବୁ ଶିକ୍ଷକ ସହରକୁ ଆସିବାକୁ ଚାହିଁଲେ ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଏମ୍ସି ମେୟର ସୁଲୋଚନା ଦାସ, ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାଶ, ଏସ୍ସିଇଆରଟି ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାର ଲୋକ କଳା ଓ ଲୋକ ନୃତ୍ୟ ଥିମ୍ରେ ସୁରଭି ଆରମ୍ଭ ହୋଇଥିବା ବେଳେ ଏଥିରେ ସମଗ୍ର ରାଜ୍ୟରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।