Latest Odisha News

BREAKING NEWS

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ଦିନ ଶପଥ ଗ୍ରହଣ କରିବେ ଏବଂ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ସରକାରୀ ମୁଖ୍ୟ ସଚେତକ ଭାବେ ଶପଥ ଗ୍ରହଣ କରିବେ ବୋଲି ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ।

ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ ମସିହାରୁ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ନବୀନ ମନ୍ତ୍ରୀମଣ୍ଡଳରେ ମଧ୍ୟ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଗତ ମନ୍ତ୍ରୀମଣ୍ଡଳରେ ଶ୍ରୀ ପାତ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟୀ ସୁରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇ କହିଛନ୍ତି, ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଫୋନ କରି ବାଚସ୍ପତି ପଦ ଲାଗି ମନୋନୀତ କରିଥିବା ଇଚ୍ଛା ପ୍ରକାଶ କରିଛନ୍ତି । “ଦୀର୍ଘ ବର୍ଷ ଧରି (୨୨ ବର୍ଷ)ମୁଁ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି । ଏହା ମୋ ଲାଗି ନୂଆ ଦାୟିତ୍ୱ ତଥା ନୂତନ ଅନୁଭବ ହେବ,” ଓଡ଼ିଶା ସମ୍ବାଦକୁ ସେ କହିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବରୁ ସ୍ଥାନ ପାଇଥିଲେ । ମାତ୍ର ଡ଼ାଲି ଦୁର୍ନିତିରେ ସଂପୃକ୍ତି ଅଭିଯୋଗରେ ସେ ଫେବୃଆରୀ ୨୦୧୧ରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଥିଲେ ।

ମିଳିଥିବା ସୂଚନାନୁଯାୟୀ, ଦଳର ନେତୃତ୍ୱ ଶ୍ରୀ ପାତ୍ର ଓ ଶ୍ରୀମତୀ ମଲ୍ଲିକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନଦେଇ ବରିଷ୍ଠତା ଦୃଷ୍ଟିରୁ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି ।

Comments are closed.