ନୂଆଦିଲ୍ଲୀ: ଗତ ମଙ୍ଗଳବାର ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ । ଆଉ ଆରମ୍ଭରୁ ସିଏଜି ରିପୋର୍ଟକୁ ନେଇ ବିଧାନସଭାରେ ହଙ୍ଗାମା କାରଣରୁ ଏବେ ଦିଲ୍ଲୀ ବିଧାନସଭାକୁ ମନା ଆପ୍ ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଆପର ୨୦ ଜଣ ନେତାଙ୍କୁ ଏବେ ଦିଲ୍ଲୀ ବିଧାନସଭାରୁ ନିଲମ୍ବିତ କରାଯାଇଛି । ଗୃହରେ ହଙ୍ଗାମା କରିବା ପାଇଁ ସେମାନଙ୍କୁ ତିନି ଦିନ ପାଇଁ ନିଲମ୍ବିତ କରାଯାଇଥିଲା । ଯାହାକୁ ନେଇ ଏବେ ମହାଭିଯୋଗ ଆଣିଛନ୍ତି ଆପ୍ ନେତା । ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆଜି ଆପ ବିଧାୟକମାନଙ୍କୁ ଦିଲ୍ଲୀ ବିଧାନସଭାରେ ପ୍ରବେଶ କରିବାରୁ ବାରଣ କରାଯାଇଥିଲା । ଏଥିସହିତ ବିଧାୟକମାନେ ଦାବି କରିଥିଲେ ଯେ, ବିଧାନସଭା ପରିସର ଭିତରକୁ ସେମାନେ ଯେପରି ନପସନ୍ତି ସେଥିପାଇଁ ପ୍ରବେଶ ରାସ୍ତାରେ ବ୍ୟାରିକେଡ୍ ଲଗାଯାଇଛି ।
ତେବେ ଆପ୍ ବିଧାୟକଙ୍କ କହିବାନୁଯାୟୀ, ବିଧାନସଭାରେ ପସିବାକୁ ଚେଷ୍ଟା କରିଥିବା ବେଳେ ସେମାନଙ୍କୁ ପୋଲିସ୍ ରୋକିଥିଲା ଦିଲ୍ଲୀ ବିଧାନସଭା ବାହାରେ ଆତିଶୀଙ୍କୁ ଭିତରକୁ ପ୍ରବେଶ କରିବାରୁ ବାରଣ କରାଯିବା ପରେ ପୋଲିସ ଓ ଆପ୍ ମୁହାଁମୁହିଁ ହୋଇଥିଲେ । ବିଧାୟକମାନଙ୍କୁ ପ୍ରବେଶ କରିବାରୁ ବାରଣ କରିବା ନିର୍ଦ୍ଦେଶ ବିଷୟରେ ସେ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ ଏବଂନିର୍ଦ୍ଦେଶନାମା ଦେଖିବାକୁ ଦାବି କରିଥିଲେ । ଯାହାକୁ ନେଇ ଆତିଶୀ କହିଥିଲେ, ମହାଶୟ, ଘଟଣା କ’ଣ? ମୋତେ ନିର୍ଦ୍ଦେଶ ଦେଖାନ୍ତୁ । ଆଦେଶ କିଏ ଦେଇଛି? ବୋଲି ପ୍ରଶ୍ନ କରିଥିଲେ । ଏଡାର ଉତ୍ତରରେ ଜଣେ ପୋଲସ୍ ଜବାବ ଦେଇ କହିଥିଲେ, ଏହା ବାଚସ୍ପତିଙ୍କ ନିର୍ଦ୍ଦେଶ । ଏଥିରେ ବିଶ୍ୱାସ ନ କରି, ଆତିଶୀ ଆହୁରି ଚାପ ପକାଇ କହିଲେ, କେଉଁଠାରେ ଲେଖାଯାଇଛି ଯେ ବିଧାୟକମାନେ ପ୍ରବେଶ କରିପାରିବେ ନାହିଁ । ଏଥିସହିତ ଏସମ୍ବନ୍ଧିତ ସରକାରୀ ଡକ୍ୟୁମେଣ୍ଟ ଦେଖିବାକୁ ମଧ୍ୟ ଜିଦ୍ କରିଥିଲେ ଆତିଶୀ । ହେଲେ ପୋଲିସ୍ ଶୁଣିନଥିଲା ।
ଯାହାକୁ ନେଇ ବିରୋଧୀ ଦଳ ନେତା ଆତିଶୀ ନିଜ ଏକ୍ସରେ କଡା ନିନ୍ଦା କରିଛନ୍ତି । ସେ ଲେଖିଛନ୍ତି, ବିଜେପିର ଏକଚ୍ଛତ୍ରବାଦ ଶାସନକୁ ଆହୁରି ଉପରକୁ ନେଇଛି । ‘ଜୟ ଭୀମ’ ସ୍ଲୋଗାନ ଦେବା ପାଇଁ ଆପ ବିଧାୟକମାନଙ୍କୁ ତିନି ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା । ଆଉ ଆଜି, ସେମାନଙ୍କୁ ବିଧାନସଭା ପରିସରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ । ଏହା ଦିଲ୍ଲୀ ବିଧାନସଭା ଇତିହାସରେ କେବେ ହୋଇନାହିଁ ବୋଲି ସେ ଉଳ୍ଲେଖ କରିଛନ୍ତି ।
ସେପଟେ, ଏହାକୁ ନେଇ ନିଲମ୍ବନକୁ ସମର୍ଥନ କରିଛନ୍ତି, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା । କହିଛନ୍ତି, ବିଧାୟକମାନେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଯେତେବେଳେ ଉପରାଜ୍ୟପାଳ ଗୃହକୁ ସମ୍ବୋଧିତ କରୁଛନ୍ତି ସେତେବେଳେ ଆପ ବିଧାୟକ ସ୍ଲୋଗାନ ଦେଇପାରିବେ ନାହିଁ । ଯଦି ସେମାନେ ଏହିପରି ଆଇନ ଭଙ୍ଗ କରନ୍ତି, ତେବେ ଏହା ଭଲ ହେବ ନାହିଁ ।
ତେବେ କହିରଖୁଛୁ, ଚଳିତ ଦିଲ୍ଲୀ ବିଧାନସଭା ଅଧିବେଶନ ସମୟରେ ସମସ୍ତ ୧୪ ଟି ବିଚାରାଧୀନ ସିଏଜି ରିପୋର୍ଟ ଉପସ୍ଥାପନ କରିବ ବିଜେପି ସରକାର । ଯାହାକୁ ନେଇ ମଙ୍ଗଳବାର ଗୋଟିଏ ରିପୋର୍ଟ, ଦିଲ୍ଲୀ ମଦ ସ୍କାମ ନେଇ ପ୍ରକାଶ ପାଇଯାଇଛି । ଆସନ୍ତାକାଲି ଆଉ ଏକ ରିପୋର୍ଟ ପାଇବା ନେଇ ସୂଚନା ରହିଛି । ହେଲେ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଉପରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଆପ୍ ନେତାଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ଅନୁରୋଧ କ୍ରମେ ମଧ୍ୟ ଚୁପ୍ ହୋଇନଥିଲେ ଆପ୍ ବିଧାୟକ । ଫଳରେ ଉପରାଜ୍ୟପାଳଙ୍କ ଅଭିଭାଷଣ ଦେବାରେ ବାଧା ସୃଷ୍ଟି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତ୍ରୀ ଆତିଶୀଙ୍କ ସମେତ ଆପର ୨୧ ବିଧାୟକଙ୍କୁ ୩ ଦିନ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ।
Comments are closed.