Latest Odisha News

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ ହୋଇଛି ।

ଅନ୍ୟପଟେ ପୋଲିସ ଚୋରାମଦ ବେପାରୀଙ୍କୁ ଧରିବା ଲାଗି ରେଡକୁ ଜୋରଦାର କରିଛି । ମଦ କାରବାର ସହ ଜଡ଼ିତ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ । ୪ ହଜାର ଲିଟରରୁ ଅଧିକ ବେଆଇନ୍ ମଦ ଜବତ କରାଯାଇଥିବା ବେଳେ ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି ।

ମଦ ମୃତ୍ୟୁ ପାଇଁ ମଶରକ ଥାନାର ଏସଏଚଓ ଓ ଜଣେ ଚୌକିରାଦରଙ୍କୁ ନିଲମ୍ବିତ କରାଯାଇଛି । ସ୍ଥାନୀୟ ଏସଡିପିଓଙ୍କୁ ବଦଳି ପାଇଁ ସୁପାରିସ କରାଯାଇଛି । ବିଷାକ୍ତ ମଦ ନେଇ କୌଣସି ସୂଚନା ଥିଲା ପ୍ରଶାସନକୁ ଦେବା ଲାଗି ଲୋକଙ୍କୁ ଜିଲ୍ଲାପାଳ ଓ ଏସପି ନିବେଦନ କରିଛନ୍ତି ।

୨୦୧୬ରେ ବିହାରର ନୀତିଶ ସରକାର ମଦ ବିକ୍ରି ଓ ସେବନ ଉପରେ କଟକଣା ଜାରି କରିଥିଲେ । ବିହାରରେ ମଦ ବନ୍ଦ ପରେ ବିଷାକ୍ତ ମଦ ପିଇ ଲୋକଙ୍କ ଜୀବନ ଯିବା ସରକାରକୁ ବ୍ୟାକଫୁଟକୁ ଟାଣି ଆଣିଛି । ବିରୋଧୀ ବିଜେପି ନୀତିଶ ସରକାରକୁ ସମାଲୋଚନା କରୁଥିବା ବେଳେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି ।

ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ଚର୍ଚ୍ଚାରେ ରହିଛି । ନୀତିଶ କୁମାର କହିଛନ୍ତି, ଯିଏ ନକଲି ମଦ ପିଇବ ସେ ତ ମରିବ । ଲୋକଙ୍କୁ ନିଜେ ଭାବିବାକୁ ପଡ଼ିବ । ଯେତେବେଳେ ବିହାରରେ ମଦ ବନ୍ଦ ନଥିଲା, ସେତେବେଳେ ବି ଲୋକ ବିଷାକ୍ତ ମଦ ପିଇ ମରୁଥିଲେ । ଅନ୍ୟ ରାଜ୍ୟରେ ବି ସମାନ ଘଟଣା ଘଟୁଥିବା ନୀତିଶ କୁମାର କହିଛନ୍ତି ।

Leave A Reply

Your email address will not be published.