Latest Odisha News

BREAKING NEWS

ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀବିଗ୍ରହ; ଗଜପତି ମହାରାଜାଙ୍କୁ ଦିଆଗଲା ଖବର

ପୁରୀ: ଅଣସର ଘରେ ଜରରେ ପଡିଥିବା ଶ୍ରୀଜୀଉ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି।

ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କୁ ଏନେଇ ଅବଗତ କରାଇଛନ୍ତି ଦଇତାପତି ସେବାୟତମାନେ।
ଶ୍ରୀମନ୍ଦିର ବୈଦ୍ୟମାନେ ଦଶମୂଳ ପ୍ରସ୍ତୁତ କରି ଗତକାଲି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବା ପରେ ଆଜି ଏହା ଲାଗି ହୋଇଥିଲା।

ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏହି ଦଶମୂଳ ଉପଚାରରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଶ୍ରୀମନ୍ଦିର ବୈଦ୍ୟଙ୍କ ସୂଚନା ମୁତାବକ, ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପ୍ରସ୍ତୁତ ଏହି ଦଶମୂଳ ପ୍ରସ୍ତୁତି ପାଇଁ ଶାଳପର୍ଣ୍ଣୀ, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋଡ଼ି, ଦେଶୀଘିଅ, ମହୁ, ନବାତ, ‌ଖୁଆସର ଆଦି ବ୍ୟବହାର କରାଯାଇଥାଏ।
ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଠାରେ ଧଳାଫୁଲ ଲାଗି କରାଯାଉଥିବା ବେଳେ ଆଜି ପୁନଃ ତୁଳସୀ ଲାଗି ହୋଇଛି। ମହାପ୍ରଭୁଙ୍କୁ ତୁଳସୀ ଲାଗି ପରେ ଶ୍ରୀମନ୍ଦିର ବୈଦ୍ୟରାଜ ପ୍ରଦାନ କରିଥିବା ଦଶମୂଳ ଲାଗି ହୋଇଥିଲା। ଗୋପନ ନୀତି ଶେଷ ହେବା ପରେ ଚକଟା ଭୋଗ ଲାଗି ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଗୋପନ ନୀତି କରୁଛନ୍ତି। ଆୟୁର୍ବେଦ ବିଧି ମୁତାବକ ବୈଦ୍ୟରାଜମାନେ ଏହା ପ୍ରସ୍ତୁତ କରିଥାନ୍ତି। ଆସନ୍ତାକାଲି ରାଜପ୍ରସାଦ ବିଜେ ‌ନୀତି ହେବ।

ସେପଟେ ରଥଯାତ୍ରାକୁ ଆଉ ଖୁବ୍ କମ୍‌ ଦିନ ଥିବାରୁ ମହାରଣା, ଭୋଇ, ରୂପକାର, ଚିତ୍ରକର ସେବାୟତମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ। ସବୁ ବର୍ଷ ଭଳି ଏବର୍ଷ ବି ଯଦି ପରିସ୍ଥିତି ସାମାନ୍ୟ ଥାନ୍ତା ତେବେ ଘଣ୍ଟଘଣ୍ଟା, କାହାଳୀ, ମୃଦଙ୍ଗ ଶଦ୍ଦରେ ପୂରି ଉଠିଥାନ୍ତା ଶ୍ରୀମନ୍ଦିର। ଉତ୍ସବ ମୁଖରିତ ହୋଇଥାନ୍ତା ବଡଦାଣ୍ଡ।

Leave A Reply

Your email address will not be published.