Latest Odisha News

BREAKING NEWS

ତିନୋଟି ରାଜ୍ୟରେ ଚାଂଚଲ୍ୟ ଖେଳାଇଲା ଧଳା ସ୍କୋର୍ପିଓ

ମାଲକାନଗିରି: ତିନିତିନୋଟି ରାଜ୍ୟର ସୁରକ୍ଷା ବଳୟ ଭାଙ୍ଗିଲା ଏକ ଧଳା ସ୍କୋର୍ପିଓ ଗାଡି । ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ସୀମାକୁ ଭେଦ କରିବା ସହ ପୋଲିସର ସାତଟି ବ୍ୟାରିକେଡ ଭାଙ୍ଗି ଶେଷରେ ସିଆରପିଏଫ୍ ଗୁଳିରେ ଅଟକିଥିଲା ।

ମିିଳିଥିବା ସୂଚନା ଅନୁଯାୟୀ ଏକ ଅମାନିଆ ସ୍କୋର୍ପିଓ ଗାଡିକୁ ଛତିଶଗଡ କୋଣ୍ଟାଠାରେ ସିଆରପିଏଫ ଜବାନଙ୍କ ଗୁଳି ଅଟକାଇବାରେ ସକ୍ଷମ ହୋଇଛି । ଏହି ଗାଡିକୁ ଚଳାଉଥିଲା ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ସୁଲତାନପୁର ବାସିନ୍ଦା ହନୁମାନ ମୋହିତ । ଏହି ଯୁବକ ଜଣକ ଆନ୍ଧ୍ରପ୍ରଦେଶ ଚିତ୍ତୁର ସହରରୁ MH27 DA 6332 ନମ୍ବର ବିଶିଷ୍ଟ ଏକ ସ୍କୋର୍ପିଓ ଗାଡି ନେଇ ଓଡିଶା ଅଭିମୁଖେ ବାହାରିଥିଲା । ମୋଟୁ ସୀମାନ୍ତ ଚେକ୍‌ପୋଷ୍ଟରେ ପୋଲିସ ଗାଡିକୁ ଅଟକାଇବାରୁ ଗାଡି ଚାଳକ ଚେକପୋଷ୍ଟ ଭାଙ୍ଗି ଦୃତଗତିରେ ଚମ୍ପଟ୍ ମାରିଥିଲା । ଏପରିକି ଏମ୍‌ଭି- ୭୯, କାଲିମେଳା ଓ ପଡିଆ ଥାନା ପୋଲିସ ମଧ୍ୟ ଗାଡିଟିକୁ ଅଟକାଇବାକୁ ବିଫଳ ହୋଇଥିଲା ।

ପରେ ଗାଡିଟି ଛତିଶଗଡ ସୀମାନ୍ତରେ ବ୍ୟାରିକେଡ ଭାଙ୍ଗି ଦୋର୍ନାପାଲ, ଏରାବୋର ଓ ଇଂଜାରାମ ପୋଲିସକୁ ଚକମା ଦେଇ ଶେଷରେ କୋଣ୍ଟା ନିକଟରେ ସିଆରପିଏଫ ବାହିନୀର ଗୁଳିର ଶିକାର ହୋଇଥିଲା । ଆହତ ଗାଡି ଚାଳକର ପିଠିରେ ଗୁଳି ବାଜିଥିବାରୁ ତାକୁ ଗିରଫ କରାଯାଇ ଅଧିକ ଚିକିତ୍ସା ପାଇଁ ଜଗଦଲପୁର ପଠାଯାଇଛି । ହେଲେ ଚାଳକ ଜଣକ କାହିଁକି ଏପରି ଦୃତଗତିରେ ଗାଡି ଚଳାଉଥିଲା ତାହା ଏବେ ବି ଛତିଶଗଡ ପୋଲିସକୁ ଚିନ୍ତାରେ ପକାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା ।

Leave A Reply

Your email address will not be published.