Latest Odisha News

BREAKING NEWS

କୋଭିଡ୍ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାଉପରେ ଗୁରୁତ୍ବ ଦେଇଛନ୍ତି । ମହାମାରୀକୁ ରୋକିବାରେ ଟିକାକରଣକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ସଂକ୍ରମଣକୁ ମାତ୍ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏଭଳିସ୍ଥିତିରେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ରମନ୍ତ୍ରୀ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତୃତୀୟ ଲହରକୁ ନଜରରେ ରଖି ପ୍ରସ୍ତୁତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ହସ୍‌ପିଟଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, ସାରା ବିଶ୍ବରେ ବର୍ତ୍ତମାନ ଭାରତର କୋଭିଡ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି । କିନ୍ତୁ ଓଡ଼ିଶାରେ କୋଭିଡ ସଂଖ୍ୟା ୨.୭ ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୧.୦୯ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହା ୦.୪୦ ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍‌ ରହୁଛି । ଓଡ଼ିଶାର ବର୍ତ୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨ ରହିଛି । ଏହାସହ ରାଜ୍ୟରେ ବର୍ତ୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍‌ ଅକ୍ସିଜେନ ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ବୈଠକରେ ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିବା ବେଳେ, ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ବର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିଶନରମାନେ ସୂଚନା ଦେଇଥିଲେ ।

Leave A Reply

Your email address will not be published.