ଭୁବନେଶ୍ୱର: ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ । ପିଲାଟି ଦିନରୁ ସେ ସତ୍ୟ ସନ୍ଧାନ ପାଇଁ ବ୍ୟାକୁଳ ଥିଲେ । ଜୀବନ ଯେଉଁ ସତ୍ୟ ଦ୍ୱାରା ପରିଚାଳିତ, ସେହି ସତ୍ୟକୁ ଜାଣିବା ପାଇଁ ସେ ବ୍ୟସ୍ତ ରହୁଥିଲେ । ଯେଉଁ ସତ୍ୟ ଭିତରେ ପୃଥିବୀ ଆବଦ୍ଧ ସେହି ସତ୍ୟାଲୋକର ମହିମା ଜାଣିବା ପାଇଁ ସେ ସର୍ବଦା ତତ୍ପରତା ପ୍ରକାଶ କରୁଥିଲେ ।
ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ସେ ସବୁ ସମୟରେ ଅସ୍ଥିର ରହୁଥିଲେ । ଈଶ୍ୱରଙ୍କ ସମ୍ପର୍କରେ ଜାଣିବା ପାଇଁ ସେ ବହୁ ଆଗ୍ରହୀ ଥିଲେ । କାହାରିଠାରୁ କିଛି ଶୁଣି ଈଶ୍ୱରଙ୍କ ବିଷୟରେ ସେ କେବେ ବିଶ୍ୱାସ କରୁ ନଥିଲେ । ନିଜେ ଅନୁସନ୍ଧାନ କରି ଯାହା ଜାଣିପାରୁଥିଲେ, ତାକୁ ହିଁ କେବଳ ବିଶ୍ୱାସ କରୁଥିଲେ । ଈଶ୍ୱରଙ୍କ ଅସ୍ତିତ୍ୱରେ ସେ ବିଶ୍ୱାସୀ ଥିଲେ ।
ବହୁ ପୁସ୍ତକ ଅଧ୍ୟୟନ ସହ ନିଜର ଜ୍ଞାନ ଓ ବୁଦ୍ଧିବଳରେ ଯୁକ୍ତିବାଦୀ ହୋଇପାରିଥିଲେ । ଏହି ଯୁକ୍ତି ଫଳରେ ସେ ଦୁନିଆର ସବୁ ବିଷୟକୁ ପରୀକ୍ଷାନିରୀକ୍ଷା କରିପାରୁଥିଲେ । ତାଙ୍କ ତର୍କ ସବୁ ସମୟରେ ବୁଦ୍ଧି ଓ ବିଚାର ଉପରେ ପ୍ରତିଷ୍ଠିତ ଥିଲା ।
ସେ ନିଜେ ଯାହାକୁ ସତ୍ୟ ବୋଲି ଅନୁଭବ କରିପାରୁଥିଲେ, ତା’ ପାଇଁ ସେ ଯୁକ୍ତି ଉପସ୍ଥାପନ କରି ସେହି ସତ୍ୟର ମହିମା ପ୍ରଚାର ଲାଗି ବ୍ୟସ୍ତ ହେଉଥିଲେ ।
ସତ୍ୟ ଲାଭ ପାଇଁ ଜୀବନରେ ଯେଉଁ ବ୍ୟାକୁଳତା, ସେହି ବ୍ୟାକୁଳତା ପାଇଁ ସେ ବ୍ରାହ୍ମସମାଜରେ ଯୋଗ ଦେଇଥିଲେ ।
ସେତେବେଳେ ନରେନ୍ଦ୍ର ଏଫ୍.ଏ. ଶ୍ରେଣୀର ଛାତ୍ର ଥିଲେ । ସେହି ଛାତ୍ରାବସ୍ଥାରେ ତାଙ୍କର ସତ୍ୟସନ୍ଧାନ ପ୍ରତି ଯେଉଁ ଉତ୍କଣ୍ଠା, ତାହା ପରବର୍ତ୍ତୀ ଜୀବନରେ ସାଧକ ହେବାକୁ ଯଥେଷ୍ଟ ସାହାଯ୍ୟ କରିଛି ।
ଈଶ୍ୱରଙ୍କ ଦର୍ଶନ ପାଇଁ ଶରୀର ଓ ମନ ଭିତରେ ଯେଉଁ ପ୍ରସ୍ତୁତି ଲୋଡ଼ା ହୋଇଥାଏ, ସେହି ପ୍ରସ୍ତୁତି ବିଷୟରେ ସେ ଖୁବ୍ ସଚେତନ ଥିଲେ । ବ୍ରହ୍ମଚର୍ଯ୍ୟ ପାଇଁ ନିଷ୍ଠା ଓ ସତ୍ୟ ପାଇଁ ଆନ୍ତରିକତା ତାଙ୍କୁ ଜୀବନରେ ଏକ ଆଦର୍ଶବାଦୀ ସାଧକ କରିପାରିଥିଲା ।
ନିରାମିଷ ଭୋଜନ କରି, ରାତିରେ କମ୍ବଳ ଉପରେ ଶୋଇ ଏବଂ କେତେବେଳେ ଭୂମିରେ ଶୋଇ ସେ ଏକନିଷ୍ଠ ଭାବରେ ଈଶ୍ୱରଙ୍କ ଦର୍ଶନ ପାଇଁ ଆଶାୟୀ ହୁଅନ୍ତି ।
ପ୍ରବେଶିକ ପରୀକ୍ଷା ପରେ ପରେ ସେ ତାଙ୍କ ଆଈଙ୍କର ଗୋଟିଏ ଘର ନେଇ ସେଠାରେ ନିରୋଳାରେ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସେହି ଧ୍ୟାନ ଭାଙ୍ଗିବା ପାଇଁ କେହି ସେଠାରେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି ନାହିଁ ।
ଈଶ୍ୱରଙ୍କୁ ପାଇବାକୁ ହେଲେ ଜଗତରେ ଧ୍ୟାନ ବ୍ୟତୀତ ଆଉ କୌଣସି ମାଧ୍ୟମ ଉପଯୁକ୍ତ ନୁହେଁ ବୋଲି ତାଙ୍କର ଦୃଢ଼ ଧାରଣ ଥିଲା । ଏହି ଧ୍ୟାନରେ ସେ ସିଦ୍ଧି ଲାଭ କଲେ ।
ଧ୍ୟାନସିଦ୍ଧ ସାଧକ ଭାବରେ ସେ ଜ୍ୟୋତି ଦର୍ଶନ କରିବାକୁ ସକ୍ଷମ ହେଲେ । ସତ୍ୟ ସନ୍ଧାନ ପଥରେ ଏହି ବିଜୟୀ ମହାପୁରୁଷଙ୍କ ମହନୀୟ କାର୍ଯ୍ୟ ଚିରଦିନ ପାଇଁ ଅମର ହୋଇ ରହିଛି ।
Comments are closed.