Latest Odisha News

ସ୍ବର୍ଣ୍ଣାଦ୍ରି ପରିକ୍ରମା : ଲିଙ୍ଗରାଜ ମନ୍ଦିର ଓ ବେଢ଼ା

ସୁକାନ୍ତ ପଣ୍ଡା

ସ୍ବର୍ଣ୍ଣାଚଳ ପାହାଡ଼ ଉପରେ ଭୁବନେଶ୍ୱର ନିର୍ମିତ ହୋଇଥିବାରୁ ଏହାର ଅନ୍ୟ ନାମ ସ୍ବର୍ଣ୍ଣାଦ୍ରି । ତେଣୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରାର୍ଥନା ରେ କୁହାଯାଇଛି :

କୃତିବାସ ନମସ୍ତେସ୍ତୁ ଲିଙ୍ଗରାଜ ମହେଶ୍ବର।
ସ୍ବର୍ଣ୍ଣକୂଟ ପତେ ଶମ୍ଭୋ ଜୟ ତ୍ରିଭୁବନେଶ୍ବର ।

ପ୍ରାଚୀନ ଶାସ୍ତ୍ରମାନଙ୍କରେ ଭୁବନେଶ୍ବରକୁ ସ୍ବର୍ଣ୍ଣାଚଳ ବା ସ୍ବର୍ଣ୍ଣାଦ୍ରୀ, ଏକାମ୍ରକ୍ଷେତ୍ର, କୃତିବାସ କଟକ, ଗୁପ୍ତ କାଶୀ ଓ ତ୍ରିଭୁବନେଶ୍ବର ବା ଭୁବନେଶ୍ବର ନାମରେ ବର୍ଣ୍ଣନା କରାଯାଇଛି । କପିଳ ସଂହିତା ଅନୁଯାୟୀ ଏକାମ୍ରକ୍ଷେତ୍ରର ଆକାର ଚକ୍ର ପରି ଅଟେ। ବାର ମାଇଲ ପରିବ୍ୟାପ୍ତ ଏ କ୍ଷେତ୍ରରେ ସମୁଦାୟ ୪୫ ଖଣ୍ଡ ଗାଁ ଅନ୍ତର୍ଭୁକ୍ତ । ଉତ୍ତରରେ ବରାହୀ ଦେବୀ ମନ୍ଦିରଠାରୁ ଆରମ୍ଭ କରି ଦକ୍ଷିଣରେ ବହିରଙ୍ଗେଶ୍ବର, ପଶ୍ଟିମରେ ଖଣ୍ଡଗିରି ଓ ପୂର୍ବରେ ଭାବକୁଣ୍ଡଳେଶ୍ବର ମନ୍ଦିର ଏହି ପବିତ୍ର କ୍ଷେତ୍ରରେ ଚୌହଦି ଅଟେ । କେଶରୀ ବଂଶର ରାଜାମାନଙ୍କ ଦ୍ବାରା ପ୍ରତିଷ୍ଠିତ ଭୁବନେଶ୍ବର ସମ୍ପର୍କରେ ହୁଏନ୍ଶାଙ୍କ ବିବରଣୀରେ ଉଲ୍ଲେଖ ରହିଛି । । ୬୩୪ ରୁ ୬୪୦ ଖୀଷ୍ଟାଦ୍ଦ ମଧ୍ୟରେ ଏହି ଚୀନ ପରିବ୍ରାଜକ ଭାରତ ପରିଦର୍ଶନ କରିଥିଲେ ।

କେଶରୀ ବଂଶର ରାଜା ଯଯାତିକେଶରୀ ଭୁବନେଶ୍ବରରେ ରାଜଧାନୀ ପ୍ରତିଷ୍ଠା କରିଥିଲେ ଏବଂ ଭୁବନେଶ୍ବରର ଅଧିକାଂଶ ମନ୍ଦିର କେଶରୀ ବଂଶ ସମୟରେ ହିଁ ଗଢି ଉଠିଥିଲା । ନୃପକେଶରୀଙ୍କ ସମୟରେ ଦ୍ବାଦଶ ଶତାଦ୍ଦୀରେ ରାଜଧାନୀ ଭୁବନେଶ୍ବରରୁ କଟକକୁ ସ୍ଥାନାନ୍ତରିତ ହୋଇଥିଲା ବୋଲି ଗବେଷକ ମାନଙ୍କ ମତ । ଅନେକ କୀର୍ତ୍ତି ରାଜି ସୁଶୋଭିତ ମନ୍ଦିର ନଗରୀ ଭୁବନେଶ୍ବରର ସର୍ବଶ୍ରେଷ୍ଠ ପରିଚୟ ହେଉଛି ଲିଙ୍ଗରାଜ ମନ୍ଦିର । ଶିଳାବ୍ରହ୍ମ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ବିଜେସ୍ଥଳୀ । ସ୍ଥାନୀୟ ଭାବରେ ବଡ ଦେଉଳ ଭାବରେ ପରିଚିତ ୧୬୦ ଫୁଟ ଉଚ୍ଚତା ବିଶିଷ୍ଟ ଲିଙ୍ଗରାଜ ମନ୍ଦିର ଉତ୍କଳୀୟ ଶିଳ୍ପ କଳା ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ । ୫୮୮ ଶକାଦ୍ଦ ବା ୬୬୨ ଖ୍ରୀଷ୍ଟାଦ୍ଦରେ ଏହା ନିର୍ମାଣ କରାଯାଇଥିଲା ବୋଲି ଅନେକ ଐତିହାସିକ ମତ ଦେଇ ଛନ୍ତି। ରାଜା ଯଯାତିକେଶରୀଙ୍କ ସମୟରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ଲଲାଟେନ୍ଦୁ କେଶରୀଙ୍କ ରାଜତ୍ଵରେ ଶେଷ ହୋଇଥିଲା ।

ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀରେ ଗୌଡର ରାଜା ଶଶାଙ୍କ ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମହାପ୍ରଭୁଙ୍କର ଏକ ଉତୁଙ୍ଗ ମନ୍ଦିର ତିଆରି କରିଥିଲେ ।କାଳକ୍ରମେ ଏହି ଦୁର୍ବଳ ହୋଇ ଯିବାରୁ କେଶରୀ ବଶର ରାଜା ମହାଶିବଗୁପ୍ତ ଯଯାତି ଦଶମ ଶତାବ୍ଦୀରେ ବର୍ତ୍ତମାନର ମନ୍ଦିର ଆରମ୍ଭ କରିଥିଲେ ଓ ଏକାଦଶ ଶତାବ୍ଦୀରେ ଲଲାଟେନ୍ଦୁ କେଶରୀଙ୍କ ସମୟରେ ଏହା ସମ୍ପୂର୍ଣ୍ଣ ହୋଇଥିଲା ।

ଲିଙ୍ଗରାଜ ମନ୍ଦିର ଓ ଏହାର ପ୍ରାଙ୍ଗଣ ପ୍ରାୟ ସାଢେ ପାଞ୍ଚ ଏକର ଜମି ଉପରେ ନିର୍ମିତ । ଏହାର ଦୈର୍ଘ୍ୟ ୫୨୦ ଫୁଟ ଥିବାବେଳେ ପ୍ରସ୍ଥ ୪୬୫ ଫୁଟ । ମନ୍ଦିରର ପୂର୍ବ, ଉତ୍ତର ଓ ଦକ୍ଷିଣ ଦିଗରେ ତିନି ଗୋଟି ଦ୍ବାର ରହିଥିବା ବେଳେ ପୂର୍ବ ଦ୍ବାର ହିଁ ମୁଖ୍ୟ ଦ୍ବାର ଅଟେ । ପୂର୍ବ ଦ୍ବାରରେ ଦୁଇ ଯୋଡ଼ା ସିଂହ ରହିଛନ୍ତି । ପୂର୍ବ ଦ୍ବାରା ଅତିକ୍ରମ କରିବା ପରେ ସିଦ୍ଧ ବିନାୟକ ମନ୍ଦିର । ତା ପରେ ୬ ଗୋଟି ପାହାଚ, ଯାହାକୁ କି ପୁରୀ ପରି ୨୨ ପାହାଚ କୁହାଯାଏ। ତାହାକୁ ଆରୋହଣ କରି ମୁଖ୍ୟ ମନ୍ଦିର ବେଢାକୁ ଭକ୍ତ ଯାଇଥାନ୍ତି । ଶ୍ରୀ ଲିଙ୍ଗରାଜଙ୍ଗ ପୀଠ ହେଉଛି ଯୋଗୀ ପୀଠ । ତେଣୁ ଏହି ୬ଟି ପାହାଚ ଷଡରିପୁ ଯଥା – କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟର ପ୍ରତୀକ ଅଟେ । ଭକ୍ତକୁ ଷଡ଼ରିପୁକୁ ଅତିକ୍ରମ କରିବା ପରେ ଯାଇ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ ବୋଲି ପଣ୍ଡିତ ମାନଙ୍କ ମତ ରହିଛି । ଏହି ପାହାଚ ଗୁଡିକ ଅତିକ୍ରମ କରିବା ପରେ ଲିଙ୍ଗରାଜ ଙ୍କ ମନ୍ଦିର ସମ୍ମୁଖରେ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଗୋଟିଏ ସ୍ତମ୍ଭ ଉପରେ ନନ୍ଦୀଙ୍କ ମୂର୍ତ୍ତି ଶୋଭା ପାଉଛି । ପରବର୍ତ୍ତୀ ସମୟରେ ହରିହର ତତ୍ତ୍ବ ଆରୋପିତ ହେବା ପରେ ସେଠାରେ ଗରୁଡଙ୍କ ମୂର୍ତ୍ତି ମଧ୍ୟ ସ୍ଥାନିତ ହୋଇଛି ।

ଶ୍ରୀ ଲିଙ୍ଗରାଜଙ୍କ ମୁଖ୍ୟ ମନ୍ଦିର ବିମାନ ପଞ୍ଚରଥ ଶ୍ରେଣୀୟ ରେଖ ଦେଉଳ ଅଟେ । ଜଗମୋହନ ପୀଢ ଦେଉଳ ଅଟେ । ଜଗମୋହନକୁ ଲାଗି ନାଟମଣ୍ଡପ ଓ ଶେଷକୁ ଭୋଗମଣ୍ଡପ ରହିଛି। ଭୋଗମଣ୍ଡପରେ ମହାପ୍ରଭୂଙ୍କର ଛତ୍ର ଭୋଗ କରାଯାଇଆସୁଅଛି ।

ଶ୍ରୀ ଲିଙ୍ଗରାଜ ସ୍ବୟମ୍ଭୁ । ପରଶମଣି ପଥରର ଲିଙ୍ଗ।ଯାହାକୁ ତମ୍ବା ବା ଲୁହା ଆଦି ଧାତୁ ସ୍ପର୍ଶ କଲେ ତାହା ସୁନା ହୋଇଯାଉଥିଲା ।ତେଣୁ ପରବର୍ତ୍ତୀ ସମୟରେ ଲିଙ୍ଗ ଓ ଶକ୍ତି ର ଅନେକ ଭାଗ କୁ ମୁଗୁନି ପଥରରେ ଆଛାଦିତ କରାଯାଇଛି । ସେ ସନାତନ ବ୍ରହ୍ମ ଲିଙ୍ଗ । ହରିହର ଭାବରେ ପୂଜିତ। ଉଭୟ ବେଲପତ୍ର ଓ ତୁଳସୀରେ ତାଙ୍କର ପୂଜା କରାଯାଇଥାଏ ।

ଲିଙ୍ଗରାଜ ମନ୍ଦିର ବେଢା ମଧ୍ୟରେ କେବଳ ଲିଙ୍ଗରାଜ ମନ୍ଦିର ଚୂଡାରେ ହିଁ ପତାକା ଉଠିଥାଏ । ବେଢାରେ ଅନ୍ୟ କୌଣସି ମନ୍ଦିର ଚୂଡାରେ ପତାକା ଉଡିବାର ବିଧି ନାହିଁ ।

ଅନ୍ୟ ଶିବ ମନ୍ଦିର ପରି ଲିଙ୍ଗରାଜ ମନ୍ଦିର ଚୂଡାରେ ପତାକା ତ୍ରିଶୂଳ ଉପରେ ଉଡାଯାଏ ନାହିଁ । ବ୍ରହ୍ମର ପ୍ରତୀକ ସ୍ବରୂପ ଅଣ୍ଡ ଆକୃତିର ସ୍ତମ୍ବ ଉପରେ ଧ୍ବଜା ଉଡ଼ାଯାଏ । ଜନଶ୍ରୃତି ଅନୁଯାୟୀ ତତ୍‌କାଳୀନ ରାଜାମାନଙ୍କ ସହ ମତାନ୍ତର ଯୋଗୁ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନେ ରାଜାଙ୍କୁ ପ୍ରାକ୍‌ ସୂଚନା ଦେଇ ତଥା ସୁରକ୍ଷା ବଳୟ ଭେଦ କରି ରାତିର ଅନ୍ଧକାରରେ ମନ୍ଦିର ଚୂଡାରେ ଚଢି ସେ ଅଣ୍ଡକୃତି ସ୍ତମ୍ବର କିଛି ଅଂଶ କାଟି ଦେଇଥିଲେ । ପରେ ରାଜା ସେମାନଙ୍କ ସାହସ ଯୋଗୁ ସେମାନଙ୍କୁ ନିଶଙ୍କ ଉପାଧି ପ୍ରଦାନ କରିଥିଲେ। ସେମାନେ ବର୍ତ୍ତମାନ ନୂଆପଲ୍ଲୀ ଅଞ୍ଚଳରେ ବସବାସ କରନ୍ତି । ତେଣୁ ସେ ସ୍ତମ୍ବର ବର୍ତ୍ତମାନ ରୂପକୁ ଦେଖି କେହି କେହି ଏହାକୁ ପିନାକ ଧନୁ ବୋଲି ମଧ୍ୟ ମତ ଦେଇଥାନ୍ତି ।

ଲିଙ୍ଗରାଜ ମନ୍ଦିର ବେଢାରେ ସର୍ବମୋଟ ୧୨୫ଟି ଛୋଟବଡ ମନ୍ଦିର ରହିଛି । ତନ୍ମଧ୍ୟରୁ ୭୦ଟିରେ ଶିବ ଲିଙ୍ଗ ପୂଜିତ । ଏତଦ୍‌ବ୍ୟତୀତ ମନ୍ଦିର ବେଢାରେ ଭୁବନେଶ୍ବରୀ, ପାର୍ବତୀ, ସାବିତ୍ରୀ, ମଙ୍ଗଳା, କାଳୀ, ପାଷାଣଦୂର୍ଗା ଆଦି ଦେବୀ ମାନଙ୍କର ମନ୍ଦିର ରହିଛି । ୨୨ ପାହାଚକୁ ଲାଗି ପାଷାଣ ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ଅର୍ଦ୍ଧ ନିର୍ମିତ ମଣ୍ଡପର ସିଂହାସନ ଉପରେ ପାର୍ବତୀ ମୂର୍ତ୍ତୀ ମଧ୍ୟ ପୂଜା ପାଉଛନ୍ତି । ଭୁବନେଶ୍ବରୀ ଓ ସାବିତ୍ରୀଙ୍କ ମନ୍ଦିର ଶକ୍ତି ପୂଜା ପାଇଁ ଉଦ୍ଦିଷ୍ଟ ଖାକର ଶ୍ରେଣୀର ହୋଇଥିବା ବେଳେ, ପାର୍ବତୀଙ୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ପରି ଅଟେ । ଏହାର ବିମାନ ରେଖ ଦେଉଳରେ ହୋଇଥିବା ବେଳେ ଜଗମୋହନ ପୀଢ ଦେଉଳ ଅଟେ। ଏହାସହିତ ନାଟମଣ୍ଡପ ଓ ଭୋଗମଣ୍ଡପ ମଧ୍ୟ ସଂଯୁକ୍ତ ହୋଇ ରହିଅଛି ।

ସେହିପରି ଅନ୍ୟ ମନ୍ଦିର ମାନଙ୍କ ମଧ୍ୟରେ ପୂର୍ବାଭିମୁଖୀ ସତ୍ୟନାରାୟଣ ମନ୍ଦିର, ପଶ୍ଚିମାଭିମୁଖୀ ଲକ୍ଷ୍ମୀନୃସିଂହ ମନ୍ଦିର, ଉତ୍ତାରାଭିମୁଖୀ ଅନନ୍ତେଶ୍ବର ମନ୍ଦିର ରହିଥିବା ବେଳେ ଭୋଗମଣ୍ଡପର ଉତ୍ତରପାର୍ଶ୍ବରେ ଲକ୍ଷ୍ମୀନାରାୟଣ ଏବଂ ଲିଙ୍ଗରାଜ ମନ୍ଦିରର ବିମାନର ପଶ୍ଚିମ ପାର୍ଶ୍ବରେ ନିଶା କାର୍ତ୍ତୀକଙ୍କ ତଳ ମହଲାରେ ପତିତପାବନ ଭାବରେ ଜଗନ୍ନାଥ ପୂଜିତ ।ଅନନ୍ତେଶ୍ବର ଙ୍କ ମନ୍ଦିରରେ ଅନନ୍ତ ,ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ପୂଜା ପାଉଛନ୍ତି ।

ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପୂର୍ବ ଦିଗରେ ତଥା ବିନାୟକ ମନ୍ଦିର ପୃଷ୍ଠ ଭାଗରେ ମଳୟଗିରି ରେ ପୂର୍ବ ପଶ୍ଚିମ ହୋଇ ଦୁଇଟି ମନ୍ଦିର ରହିଛି । ଏହି ମନ୍ଦିର ରେ କୌଣସି ଦେବତା ଙ୍କ ମୂର୍ତ୍ତି ନାହାନ୍ତି ।ଗବେଷକ ମାନଙ୍କ ମତରେ ପୂର୍ବାଭିମୁଖୀ ମନ୍ଦିରରେ ଥିବା ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଓ ପଶ୍ଚିମାଭିମୁଖୀ ମନ୍ଦିର ରେ ଅର୍ଦ୍ଧ ନାରୀଶ୍ବର ମୂର୍ତ୍ତି ପୂଜିତ ହେଉଥିଲେ । ପରବର୍ତ୍ତୀ ସମୟରେ ଏହି ମୂର୍ତ୍ତି ଦ୍ଵୟ ଯଥାକ୍ରମେ ଲିଙ୍ଗରାଜ ମନ୍ଦିର ଭୋଗ ମଣ୍ଡପର ଉତ୍ତର ଭାଗରେ ନିର୍ମିତ ଛୋଟ ମନ୍ଦିର ରେ ଉତ୍ତରାଭିମୁଖୀ ହୋଇ ଏବଂ ଅର୍ଦ୍ଧ ନାରୀଶ୍ବର ନାଟମଣ୍ଡପରେ ପଶ୍ଚିମାଭିମୁଖୀ ହୋଇ ପୂଜିତ ।

ମା ଭୁବନେଶ୍ୱରୀ ହେଉଛନ୍ତି ଏ ପୀଠର ଅଧିଶ୍ବରୀ ।ମହାପ୍ରଭୁଙ୍କ ପ୍ରତ୍ୟେକ ନୀତି ସହ ମାଙ୍କ ନୀତି କରାଯାଇଥାଏ । ଅନ୍ୟ ପ୍ରମୁଖ ମନ୍ଦିର ମଧ୍ୟରେ ସିଦ୍ଧ ବିନାୟକ, କାର୍ତ୍ତିକେଶ୍ବର, ଚିତ୍ରେଶ୍ବର, ଗୁପ୍ତେଶ୍ବର,ବିଶ୍ବକର୍ମା ସୋମନାଥେଶ୍ବର,ଶିଖଣ୍ଡେଶ୍ବର, ଏକାମ୍ରେଶ୍ବର,ବିଶ୍ବେଶ୍ବର ,ବିଶ୍ବନାଥ, ବୈଦ୍ୟନାଥ, ଚଣ୍ଡେଶ୍ବର ,ଲଡୁକେଶ୍ବର ଆଦି ଶିବ ଲିଙ୍ଗ ପୂଜିତ ହେଉଛନ୍ତି ।

ଲିଙ୍ଗରାଜ ମନ୍ଦିରର ବିମାନର ଦକ୍ଷିଣ ପାର୍ଶ୍ବରେ ଗଣେଶ, ପଶ୍ଚିମ ପାର୍ଶ୍ବରେ କାର୍ତ୍ତିକ ଓ ଉfତ୍ତର ପାର୍ଶ୍ବରେ ନିଶା ପାର୍ବତୀ ପାର୍ଶ୍ବ ଦେବାଦେବୀ ଭାବରେ ପୂଜା ପାଉଛନ୍ତି । ନିଶା ପାର୍ବତୀଙ୍କ ଉପରେ ଅର୍ଦ୍ଧ ଚର୍ଚ୍ଚିକାଇ ବିରାଜିତ। କେବଳ ସପ୍ତପୁରୀ ଅମାବାସ୍ୟାରେ ଅର୍ଦ୍ଧ ଚର୍ଚ୍ଚିକାଇଙ୍କୁ ଭୋଗ ସମର୍ପିତ କରାଯାଇଥାଏ ।

ଉପରୋକ୍ତ ପାର୍ଶ୍ଵ ଦେବାଦେବୀମାନଙ୍କ ସମ୍ମୁଖରେ ଦୁଇ ମହଲା ଘର ପରି ମନ୍ଦିର ଓ ସିଡ଼ି ରହିଛି ।

ଜଗମୋହନର ଦକ୍ଷିଣ ଦ୍ବାର ପାଖରେ ରହିଛି ଦକ୍ଷିଣୀ ଘର । ଯେଉଁଠାରେ ସ୍ବର୍ଣାଦ୍ରି ବିହାରୀ ଲିଙ୍ଗରାଜ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ବରୀ, ଶ୍ରୀ ବାସୁଦେବ, ଶ୍ରୀ ଦୋଳଗୋବିନ୍ଦ, ପଞ୍ଚବକ୍ତ୍ର ଓ ଶ୍ରୀକୃଷ୍ଣଙ୍କ ଅଷ୍ଟଧାତୁ ବିଗ୍ରହ ପୂଜିତ ହୋଇଥାନ୍ତି।ଏହି ବିଗ୍ରହ ମାନଙ୍କୁ ନେଇ ମହାପ୍ରଭୁଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇଥାଏ । ।

ଲିଙ୍ଗରାଜଙ୍କ ନାଟ ମନ୍ଦିର ର ଉତ୍ତର ପାର୍ଶ୍ଵରେ ଏକ ଛୋଟ ମନ୍ଦିରରେ ପାଞ୍ଚ ଫୁଟ ଉଚ୍ଚର ବିରାଟ ବୃଷଭ ମୂର୍ତ୍ତି ପୂଜା ପାଉଛନ୍ତି ।

ଭୁବନେଶ୍ୱରୀଙ୍କ ମନ୍ଦିର ସମ୍ମୁଖରେ ଏକ ଉଚ୍ଚ ସ୍ଥାନରେ ବରୁଣ ବୃକ୍ଷ ରହିଛନ୍ତି ।ଏହି ବୃକ୍ଷ ଅତ୍ୟନ୍ତ ପୁରାତନ ବୋଲି ବିଶ୍ବାସ କରାଯାଏ ଏବଂ ଏହି ବୃକ୍ଷ ମୂଳରେ ବ୍ରହ୍ମା ,ବିଷ୍ଣୁ ଓ ମହାଦେବଙ୍କ ମୂର୍ତ୍ତି ରହିଛନ୍ତି ।ଏହି ବରୁଣ ବୃକ୍ଷ ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ହି ରହିଛି ଏବଂ ଏହାଙ୍କ ପୂଜା କଳ୍ପ ଵୃକ୍ଷ ତୂଲ୍ୟ ଫଳ ଦେଇ ଥାଏ ।

ଲିଙ୍ଗରାଜ ମନ୍ଦିର ବେଢ଼ାରେ ଦୁଇଟି ଭୈରବ ମନ୍ଦିର ମଧ୍ୟ ରହିଛି ।ଗୋଟିଏ ଭୈରବ ବୀରଭଦ୍ରଙ୍କର ଏବଂ ଅନ୍ୟଟି ଏକ ପାଦ ଭୈରବଙ୍କ ଉଦ୍ଦେଶ୍ୟରେ ନିର୍ମିତ ।

ମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ ବିରାଟ ରୋଷଘର ରହିଛି ଏବଂ ଯେଉଁଠାରେ ଅଖଣ୍ଡ ଶୈବାଗ୍ନୀ ପ୍ରଜ୍ଜଳିତ ହୋଇରହିଛି ଏବଂ ମହାପ୍ରଭୂଙ୍କ ପାଇଁ ମହାପ୍ରସାଦ ରନ୍ଧା ଯାଇ ଲକ୍ଷ୍ଣୀନୃସିଂହଙ୍କ ସମ୍ମୁଖ ଦେଇ ମହାପ୍ରଭୁଙ୍କ ଭୋଗ ପାଇଁ ଦିଆଯାଇଥାଏ । ପୂର୍ବ ରୋଷଘର ଜୀର୍ଣ୍ଣ ହୋଇଯିବାରୁ ଅଷ୍ଟାଦ୍ଦଶ ଶତାଦ୍ଦୀରେ ଖଲ୍ଲିକୋଟର ମହାରାଜଙ୍କ ଦ୍ବାରା ନିର୍ମିତ ରୋଷ ଘରେ ବର୍ତ୍ତମାନ ରନ୍ଧନ କାର୍ଯ୍ୟ କରାଯାଉଛି।

ମନ୍ଦିର ଭିତରେ ସୋମବାର ବେଢା ମଣ୍ଡପ, ମକର ମଣ୍ଡପ, ନାଭିକଟା ମଣ୍ଡପ, ବେହରଣ ମଣ୍ଡପ, ବା ଖିଆ ମଣ୍ଡପ ଏବଂ ଉତ୍ତର-ପୂର୍ବ କୋଣର ପାଚେରୀ ଉପରେ ଚାହେଣୀ ମଣ୍ଡପ ରହିଛି । ଏହି ଚାହାଣି ମଣ୍ଡପରେ ଦେବୀ ପାର୍ବତୀ ଅଶୋକାଷ୍ଟମୀ ରଥଯାତ୍ରା ଶେଷ କରି ବାହୁଡାରେ ଫେରୁଥିବା ମହାପ୍ରଭୁଙ୍କୁ ଅପେକ୍ଷା କରି ବସିଥାନ୍ତି। ମହାପ୍ରଭୁ ରଥରୁ ଅବତରଣ କରିବା ମାତ୍ରେ ଦେବୀ ଚାହାଣୀ ମଣ୍ଡପରୁ ଓହ୍ଲାଇ ଜଗମୋହନର ଦ୍ବାର ବନ୍ଦ କରିଦେଇଥାନ୍ତି।

ଏତଦବ୍ୟତୀତ ପାର୍ଶ୍ଵ ଗଣେଶ ଙ୍କ ସିଡ଼ି ପାଖରେ ନିର୍ବାଣ ମଣ୍ଡପ ନାମରେ ଏକ ଛୋଟ ମଣ୍ଡପ ରହିଛି । ଏହି ମଣ୍ଡପରେ କୋଣାର୍କ ଚକ ପରି ଛ ଅଟି ଚକ ମଧ୍ୟ ରହିଛି । ବ୍ରାହ୍ମଣ ପଣ୍ଡିତ ମାନଙ୍କ ପାଇଁ ଏହି ମଣ୍ଡପ ନିର୍ମିତ ହୋଇଥିଲା ବୋଲି ଜଣାଯାଏ ।ମନ୍ଦିର ପରିସରରେ ଉତ୍ତର ଦିଗକୁ ରହିଛି ଆନନ୍ଦ ବଜାର। ଏଠାରେ ମହାପ୍ରସାଦ ବିକ୍ରୟ ଓ ସେବନର ସୁବ୍ୟବସ୍ଥା କରାଯାଇଅଛି। ମନ୍ଦିର ପରିସରରେ ରହିଛି ତିନି ଗୋଟି କୂଅ । ଉତ୍ତର ଦିଗରେ ଥିବା କୂଅ ଯାହା ଗରା କୂଅ ଭାବରେ ଜଣା ଶୂଣା ତା ପାଣିରେ ଠାକୁରଙ୍କ ନିତିକାନ୍ତୀ ହେଉଥିବା ବେଳେ ରୋଷଘର ପାଖରେ ଥିବା ଜେମାଦେଇ କୂଅର ପାଣିରେ ରନ୍ଧନ କାର୍ଯ୍ୟ ଆଦି କରାଯାଇଥାଏ । ଦକ୍ଷିଣ ଦ୍ବାର ସନ୍ନିକଟ କୂଅ ଅମୁଣିଆ କୂଅ ଭାବରେ ଜଣାଶୁଣା । ଏଥିରେ ମହାପ୍ରଭୂଙ୍କ ଅମୁଣିଆ ଭୋଗ ପୋତା ଯାଇଥାଏ ।ଲିଙ୍ଗରାଜ ମନ୍ଦିର ଜଗମୋହନକୁ ଲାଗି ଦକ୍ଷିଣ ଦିଗରେ ଏକ ଅତି ଛୋଟ ମନ୍ଦିର ଲିଙ୍ଗରାଜଙ୍କ କ୍ଷୂଦ୍ର ପ୍ରତି ରୂପ ଓ ପାର୍ବତୀ ମନ୍ଦିର ଗର୍ଭ ଗୃହରେ ମାଙ୍କ ଆସନର ବାମ ପାର୍ଶ୍ଵରେ ପାର୍ବତୀଙ୍କର ଏକ କ୍ଷୁଦ୍ର ପ୍ରତିରୂପ ମଧ୍ୟ ରହିଛି ।

ଲିଙ୍ଗରାଜ ମନ୍ଦିର ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ଉପଯୁକ୍ତ ସଂରକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଅନେକ ମନ୍ଦିରରୁ ପାଣି ଗଳିବା ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ ମୁଖ୍ୟତଃ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ସମ୍ପୂର୍ଣ୍ଣ ଦାୟୀ । ଭୁବନେଶ୍ବରୀ, ସାବିତ୍ରୀ, ସତ୍ୟନାରାୟଣ ଓ ମଙ୍ଗଳା ମନ୍ଦିର ସମ୍ପୂର୍ଣ୍ଣ ଭାବରେ ଶିଉଳି ଦ୍ବାରା ଅଚ୍ଛାଦିତ ହୋଇରହିଛି । କାରୁକାର୍ଯ୍ୟ ନ ଥିବା ଏହି ମନ୍ଦିର ଗୁଡିକ ସଫା କରି ଚୂନ ସଫେଇ କରାଗଲେ, ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଆନ୍ତା । ଏତଦ୍‌ବ୍ୟତୀତ ମାଙ୍କଡା ପଥରରେ ନିର୍ମିତ ଅନେକ ମନ୍ଦିର ପତନୋମ୍ମୁଖୀ ହୋଇଗଲାଣି, ଯାହାର ଜୀର୍ଣ୍ଣୋଦ୍ଧାର ଅତ୍ୟନ୍ତ ଜରୁରୀ। ଯଦି ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ଅଧିକାଂଶ ମନ୍ଦିରର ଚୂନ ସଫେଇ କରି ଅତି ସୁନ୍ଦର ଭାବରେ ରକ୍ଷଣାବେକ୍ଷଣ କରାଯାଇପାରୁଛି, ତେବେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ଥିବା କେତେକ ନିର୍ଦ୍ଦିଷ୍ଟ ମନ୍ଦିରରେ ଚୂନ ବ୍ୟବହାର କରି ଏହାର ସଂରକ୍ଷଣ କରାଗଲେ କ୍ଷତି କଣ ?

ସ୍ବର୍ଣ୍ଣାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ପାର୍ବତୀ ପ୍ରାଣନାଥାୟ ଲିଙ୍ଗରାଜାୟତେ ନମଃ

Comments are closed.