ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମମାସ କାର୍ତ୍ତିକର ଶେଷ ଦିନ। ଏହି ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ। ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି ।
ପୁଷ୍କରିଣୀ, ନଦୀ, ନାଳ , ସମୁଦ୍ର ସବୁଠି ଆ କା ମା ବୈ , ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସାଉଛନ୍ତି। ଆଜି ସକାଳୁ ସକାଳୁ ବିଭିନ୍ନ ଜଳାଶୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ ପୁଷ୍କରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।
ଭକ୍ତମାନେ କିଭଳି ଶୃଙ୍ଖଳିତ ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେଥିପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡ଼ଦାଣ୍ଡର ବଗଲା ଧର୍ମଶାଳା ନିକଟରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଛାୟାପ୍ରଦ ବ୍ୟାରିକେଡ଼ ନିର୍ମାଣ କରାଯାଇଛି। ତେବେ ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ନିକଟରେ ପାନୀୟ ଜଳ ସହ ଫାଷ୍ଟ ଏଡ୍ ସେଣ୍ଟର , ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଭିତର ବେଢା ଖାଲି କରିବା ପାଇଁ ପୋଲିସ ପକ୍ଷରୁ ଡ୍ରାଗିଙ୍ଗ ଟିମ୍ ମୁତୟନ ରହିବେ। ବିଶେଷ କରି ସାତ ପାହାଚରୁ ବାହାର କାଠ ପର୍ଯ୍ୟନ୍ତ ଦର୍ଶନକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ପ୍ରଶାସନର ରହିଛି ମୁଖ୍ୟ ଲକ୍ଷ।
ସେପଟେ ଆଜି ପଞ୍ଚୁକର ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା। ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ସ୍ନାନ ସହିତ ମହାପ୍ରଭୁଙ୍କୁ ଦର୍ଶନ କଲେ, ମହାପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ବାସ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ବିଶେଷକରି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍ ଓ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜ୍ରେ ୩୦୦ରୁ ଅଧିକ ଲାଇଫଗାର୍ଡ ମୁତୟନ ହୋଇଛନ୍ତି। ଗତକାଲି ରାତିରୁ ପୋଲିସ କର୍ମଚାରୀ ମାନେ ଆଲର୍ଟରେ ରହିଛନ୍ତି। ସବୁ ପାର୍କିଂରେ ପୋଲିସ କର୍ମଚାରି ଉପସ୍ଥିତ ଅଛନ୍ତି। ସମୁଦ୍ରକୂଳରେ ଦିଗବାରେଣି ଛକରୁ ଜାତ୍ରିକା ପାର୍କିଂ ଯାଏ ଓ ବଡ ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଏ ନୋ ଭେଇକିଲ ଜୋନ କରାଯାଇଛି। ତେବେ ଭକ୍ତ ମାନେ କେବଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ।
Comments are closed.