Latest Odisha News

BREAKING NEWS

ପ୍ରମୋଦ, ସ୍ୱୟମ୍ସ, ପଂଚାନନ ଓ ଅରୁଣଙ୍କୁ ମିଳିଲା ସମ୍ମାନଜନକ ଓସଜା ପୁରସ୍କାର

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭଗତ(୨୦୧୯), ଚେସ୍ ଗ୍ରାଣ୍ଡମାଷ୍ଟର ସ୍ୱୟମ୍ସ ମିଶ୍ର(୨୦୨୦)ଙ୍କୁ ରବିବାର ଆୟୋଜିତ ଏକ ନିରାଡମ୍ବର ପରିବେଶରେ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ପଂଚାନନ ଗନ୍ତାୟତ(୨୦୧୯) ଓ ଅରୁଣ ଦାସ(୨୦୨୦)ଙ୍କୁ ଲାଇଫ ଟାଇମ ଆଚିଭମେଂଟ ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ବାବଦକୁ ମାନପତ୍ର, ଫଳକ ଓ ୨୫୦୦୦ ଟଙ୍କା ରାଶି ପ୍ରଦାନ କରାଯାଇଥିଲା ।ପଂଚାନନଙ୍କ ଅନୁପସ୍ଥିତିରେ ତାଙ୍କ ଭାଇ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ସମ୍ମାନନୀୟ ଗଣମାଧ୍ୟମ ବ୍ୟକ୍ତିତ୍ୱ ହୃଦୟନାଥ ଦାସ ଓ ଶ୍ୟାମକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ପରିବାର ସଦସ୍ୟ ଏହା ଗ୍ରହଣ କରିଥିଲେ । ପ୍ରମୋଦଙ୍କ ଡବଲ୍ସ ଯୋଡି ମନୋଜ ସରକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପୁରସ୍କାର ବିତରଣ ଉତ୍ସବରେ ଓଡିଶା ଦୌଡକୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର ରାଜେନ୍ଦ୍ର ପ୍ରସାଦ ସିଂ, ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ.ରବି, ଆୟୋଜନ ସମିତି ସମ୍ପାଦକ ସୁଶାନ୍ତ ମହାନ୍ତି ଉପସ୍ଥିତ ଥିଲେ । ଓସ୍‌ଜା ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନା କରିଥିଲେ ।

ଆଶୀର୍ବାଦ ବେହେରା ସଂଘକୁ ଏକ ସ୍ଥାୟୀ ଗୃହ କଳିଙ୍ଗ ଷ୍ଟାଡିୟମରେ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ । ସର୍ବଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ଓଡିଶା ସଂଘ ହେଲା ଓସ୍‌ଜା । ୨୦୧୮ରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ହେପ୍ଟାଥାଲାନ ପୂର୍ଣ୍ଣିମା ହେମ୍ବ୍ରମ, ହକି ତାରକା ଅମିତ ରୋହିଦାସ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି ଓ ଫୁଟବଲ ବ୍ୟକ୍ତିତ୍ୱ ଦେବ ସିଂ ଏହି ପୁରସ୍କାର ପାଇ ସାରିଛନ୍ତି ।

Leave A Reply

Your email address will not be published.