Latest Odisha News

BREAKING NEWS

ସାବଧାନ୍ ମଣିଷ ଦେହରେ ବାର୍ଡ ଫ୍ଲୁ!

ଭୁବନେଶ୍ବର: ବାର୍ଡ ଫ୍ଲୁ ବଢାଇଲା ଚିନ୍ତା । ମଣିଷ ଦେହରେ ବାର୍ଡ ଫ୍ଲୁ ! ପୁରୀ ଜିଲ୍ଲା ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଜଣାପଡିଛି। ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ରିପୋର୍ଟ ଆସିବା ପାଇଁ ପ୍ରାୟ ୭ଦିନ ସମୟ ଲାଗିବ । ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି । ସେପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ ବ୍ଲକରେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ମଣିଷ ବାର୍ଡ ଫ୍ଲୁ ଦ୍ବାରା ସଂକ୍ରମିତ ହେଲେ କେଉଁ କେଉଁ ଲକ୍ଷଣ ଦେଖିବାକୁ ମିଳେ? ବାର୍ଡ ଫ୍ଲୁ ସଂକ୍ରମଣ ସନ୍ଦେହ ହେଲେ କଣ କରିବେ? କେମିତି ବାର୍ଡ ଫ୍ଲୁ ଠାରୁ ସୁରକ୍ଷିତ ରହିବେ?

ମଣିଷଙ୍କ ଦେହରେ ବାର୍ଡ ଫ୍ଲୁ !

ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଏକ କିଲୋମିଟର ଭିତରେ ପ୍ରଥମ ଏବଂ ୧ରୁ ୧୦ କିଲୋମିଟର ଭିତରେ ଦ୍ବିତୀୟ ସ୍ତରରେ ସର୍ଭେଲାନ୍ସ କରାଯାଉଛି । ଘରକୁ ଘର ବୁଲି ବାର୍ଡ ଫ୍ଲୁ ନେଇ ସଚେତନ କରୁଛନ୍ତି ଆଶାକର୍ମୀ । ଆବଶ୍ୟକସ୍ଥଳେ ତାମି ଫ୍ଲୁ ଟାବଲେଟ୍ ଓ ଏନ୍ ୯୫ ମାସ୍କ ଦିଆଯାଉଛି। ପ୍ରାଣୀ ସଂପଦ ବିଭାଗ ସହ ସମନ୍ବୟ ରକ୍ଷା କରି ସ୍ବାସ୍ଥ୍ୟ ବିଭାଗ କାମ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ପିପିଲି, ସତ୍ୟବାଦୀରେ ବାର୍ଡ ଫ୍ଲୁ

ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡା ମରା ଅଭିଯାନକୁ ଜୋରଦାର କରାଯାଇଛି । ଏପର୍ଯ୍ୟନ୍ତ ୨୫ହଜାରରୁ ଅଧିକ କୁକୁଡା ମରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୁକୁଡାମରା ସହ କୁକୁଡା ଫାର୍ମ ବିଶୋଧନ କରାଯାଉଛି । ପିପିଲି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେଠାରେ ଆଇସୋଲେସନ୍ କୋଠରୀ ବି ପ୍ରସ୍ତୁତ ରଖାଯାଇଛି ।

ବାର୍ଡ ଫ୍ଲୁ ସଂକ୍ରମଣର ଲକ୍ଷଣ କ’ଣ ?

ବାର୍ଡ ଫ୍ଲୁ ସାଧାରଣତଃ ପକ୍ଷୀଙ୍କଠାରୁ ପକ୍ଷୀଙ୍କୁ ଶୀଘ୍ର ବ୍ୟାପିଥାଏ, ତେବେ ମଣିଷଙ୍କୁ ବିଳମ୍ବରେ ବ୍ୟାପିଥାଏ। ସଂକ୍ରମିତ ପକ୍ଷୀ କିମ୍ବା ପ୍ରଦୂଷିତ ପରିବେଶ ଦ୍ବାରା ମଣିଷ ବାର୍ଡ ଫ୍ଲୁ ଦ୍ବାରା ସଂକ୍ରମିତ ହୋଇପାରେ । ସଂକ୍ରମିତ ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ବର ସହ କାଶ ଲାଗିରହେ । ସଂକ୍ରମିତଙ୍କ ଗଳା ଦରଜ ବି ହୋଇଥାଏ। ଆଖି ଫୁଲିବା ସହ ପେଟରେ ସମସ୍ୟା ମଧ୍ୟ ସଂକ୍ରମିତଙ୍କଠାରେ ଦେଖାଦିଏ । ନିମୋନିଆ ହେବାର ଆଶଙ୍କା ବି ରହିଛି । ତେବେ ଇନଫ୍ଲୁଏଞ୍ଜା ପ୍ରତିରୋଧ ପାଇଁ ଟିକା ନେଇଥିଲେ ବାର୍ଡ ଫ୍ଲୁରେ ସଂକ୍ରମିତ ହେବା ଆଶଙ୍କା କମ୍ ।

ବାର୍ଡ ଫ୍ଲୁ ହେଲେ କଣ କରିବେ?

ବାର୍ଡ ଫ୍ଲୁ ଦ୍ବାରା ସଂକ୍ରମିତ ହେବା ନେଇ ସନ୍ଦେହ ହେଲେ ପ୍ରଥମେ ଟେଷ୍ଟ କରାନ୍ତୁ । କାଶିବା, ଛିଙ୍କିବା ଦ୍ବାରା ବାର୍ଡ ଫ୍ଲୁ ବ୍ୟାପିପାରେ । ତେଣୁ ସଂକ୍ରମିତ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘରେ କିମ୍ବା ହସପିଟାଲରେ ସଂଗରୋଧରେ ରହିବେ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ସଂକ୍ରମିତଙ୍କ ପରିବାର ଲୋକ କିମ୍ବା ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତି ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉଚିତ । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଶୀଘ୍ର ସଂକ୍ରମିତ ହୋଇପାରନ୍ତି । ତେଣୁ ସଂକ୍ରମିତଙ୍କଠାରୁ ଛୋଟ ପିଲା ଓ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

କେମିତି ରହିବେ ସୁରକ୍ଷିତ?

ବାର୍ଡ ଫ୍ଲୁ ଠାରୁ ସୁରକ୍ଷିତ ରହିବାକୁ ହେଲେ ମୃତ କିମ୍ବା ରୋଗିଣା ପକ୍ଷୀଙ୍କଠାରୁ ଦୂରେଇ ରୁହନ୍ତୁ । ସଂକ୍ରମିତ ପକ୍ଷୀକୁ ଛୁଅନ୍ତୁ ନାହିଁ । ସଂକ୍ରମିତ ପକ୍ଷୀର ଲାଳ ଓ ମଳ ସଂସ୍ପର୍ଶରେ ଆସିଲେ ବାର୍ଡ ଫ୍ଲୁ ବ୍ୟାପିଥାଏ । ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ। ଭଲ ଭାବେ ରନ୍ଧା ଯାଇଥିବା କୁକୁଡା ମାଂସ କିମ୍ବା ଅଣ୍ଡା ହିଁ ଖାଆନ୍ତୁ । କୁକୁଡା ଫାର୍ମରେ କାମ କରୁଥିଲେ ଅଧିକ ସତର୍କତା ଜରୁରୀ । ଜ୍ବର ସହ ତଣ୍ଟି ଦରଜ ଲମ୍ବା ସମୟ ଧରି ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Comments are closed.