Latest Odisha News

କୁନି ଭାଇକୁ ଚାପି ଧରି ଭଉଣୀ କହୁଛି ‘ ଏ ଭଗ୍ନସ୍ତୁପ ମୋ ଉପରେ ଖସିପଡୁ, କିନ୍ତୁ ମୋ ଭାଇର କିଛି ନ ହେଉ

ନୂଆଦିଲ୍ଲୀ:ଭୟଙ୍କର ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ  ଭୟଙ୍କର ପରିସ୍ଥିତି । ଯୁଆଡେ ଚାହିଁବ ସିଆଡେ ଧ୍ୱଂସର ତାଣ୍ଡବ । ଘରଠାରୁ ଗଛପତ୍ର ମାଟିରେ ଶୋଇ ଯାଇଛି । ଭଗ୍ନସ୍ତୁପ ଭିତରୁ ଶୁଭୁଛି କ୍ଷୀଣ କରୁଣ ଚିତ୍କାର  । ଉଦ୍ଧାର କାର୍ଯ୍ୟ ପାଇଁ ଯେମିତି କମ ପଡି ଯାଇଛି ହାତ । ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲାଣି । ଆହୁରି ବଢିବାର ସମ୍ଭାବନା ରହିଛି । ହେଲେ ବିଧ୍ୱସ୍ତ ତୁର୍କୀ ଏବଂ ସିରିଆରୁ ଯେଉଁ ହୃଦୟ ବିଦାରକ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି ତାକୁ ଦେଖିଲେ କାହାରି ଆଖିରେ ଲୁହ ରହିବନି ।

ତୁର୍କୀ ଏବଂ ସିରିଆରେ ଯେମିତି ମୃତ୍ୟୁ ତାଣ୍ଡବ ରଚୁଛି । ପୋଛି ନେଉଛି ଜୀବନ । ତଥାପି ସେଠି ମଣିଷ ଏ ମୃତ୍ୟୁ ଦାନସ ସହ ଲଢୁଛନ୍ତି । ମାନବତାର ଅସ୍ତ୍ର ଧରି । ଶ୍ରଦ୍ଧା, ଭଲପାଇବାର ମୂଲ୍ୟ ଦେଇ ମରଣ ମୁହଁରୁ ଟାଣି ଆଣୁଛନ୍ତି ଜୀବନକୁ ।

ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଭାଇଭଉଣୀଙ୍କ ସଂଘର୍ଷକୁ । ୭ ବର୍ଷର ଝିଅଟିଏ । ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛି । ପାଖରେ ତାର ଛୋଟ ଭାଇ । ତାକୁ କୋଳରେ ଚାପି ଧରିଛି । ତାର ସମ୍ପୂର୍ଣ୍ଣ ଶରୀରକୁ ନିଜ ଶରୀର ତଳେ ଲୁଚାଇ ରଖିଛି । ଝୁଲି ରହିଥିବା ଭଗ୍ନାବଶେଷ ତା ଉପରେ ପଛେ ଖସିପଡୁ, କିନ୍ତୁ ତା କୁନି ଭାଇର କିଛି ନ ହେଉ । ସେତିକି ନୁହେଁ, ତାର ଦୁର୍ବଳ ହାତରେ କୁନି ଭାଇର ମୁଣ୍ଡକୁ ଆଉଁଷି ଦେଉଛି ଆଉ କ୍ଷୀଣ ସ୍ୱରରେ ଉଦ୍ଧାର କରିବାକୁ ନେହୁରା ହେଉଛି ।  ଏ ଦୃଶ୍ୟ ଦେଖିଲେ କାହା ଆଖିରେ ବା ଲୁହ ରହିବ ? ଛୋଟ ଛୋଟ ପିଲାଙ୍କର ଏକ ଭଲପାଇବା, ପ୍ରେମ ଦେଖି ମୃତ୍ୟୁ ବି ବାଟ ଛାଡି ଦେଉ ଏତିକି କାମକା ।

ଆଉ ଏକ ହୃଦୟଥରା ଦୃଶ୍ୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହା ୟୁଜର୍ସଙ୍କୁ ଭାବୁକ କରି ଦେଇଛି । ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ଯାଇଛି ଝିଅ । ବାପା ଝିଅକୁ ଉଦ୍ଧାର କରିବାକୁ ହାତ ବଢାଇଛି । ଝିଅର ହାତକୁ ବି ଧରିଛି । ହେଲେ ଆଖି ବୁଜି ଦେଉଛି ଝିଅଟି ।

ତୁର୍କୀ ଏବଂ ସିରିଆରେ ଦୁଃସ୍ଥିତିକୁ ବଖାଣୁଛି ଏମିତି କିଛି ଦୃଶ୍ୟ  । ସାରା ବିଶ୍ୱରୁ ଛୁଟିଛି ସହାୟତାର ସୁଅ । ଏ ଦୁର୍ଦ୍ଦିନରେ ଭଗବାନ ତୁର୍କୀ, ସିରିଆବାସୀଙ୍କୁ ସହିବାର ଶକ୍ତି ଦିଅନ୍ତୁ, ସାହାସ ଦିଅନ୍ତୁ ।

Leave A Reply

Your email address will not be published.