ନୂଆଦିଲ୍ଲୀ : ପୁଣି ଜଳୁଛି ସିରିଆ। ବସର ଅଲ ଅସଦ ସରକାର ସିରିଆରୁ ହଟିବା ପରେ ଯେଉଁ ଅନୁମାନ କରାଯାଉଥିଲା ଯେ ଏବେ ସିରିଆରେ ଆଉ ହିଂସା ହେବନି ତାହା ଭୁଲ ହୋଇଛି। କିଛି ଦିନର ଶାନ୍ତ ପରେ ସେଠାରେ ପୁଣି ଥରେ ତୀବ୍ର ହିଂସା ଦେଖିବାକୁ ମିଳିଛି। ପୂର୍ବତନ ରାଷ୍ଟ୍ରପତି ବସର ଅଲ ଅସଦଙ୍କ ସମର୍ଥକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହିଂସା ଦେଖାଯାଇଛି। ଏଥିରେ ପ୍ରାୟ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛଇ। ସିରିଆ ଉପରେ ନଜର ରଖୁଥିବା ଏକ ସଙ୍ଗଠନର ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ 745 ଜଣ ସାଧାରଣ ଲୋକ ରହିଛନ୍ତି। ସେମାନଙ୍କୁ ଅତି ନିକଟରୁ ଗୁଳିମାରି ହତ୍ୟା କରାଯାଇଛି।
ଏହି ସଙ୍ଗଠନ ଆହୁରି କହିଛି ଯେ ସଂଘର୍ଷରେ 125 ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅସଦଙ୍କ ଉଗ୍ରବାଦୀ ସଙ୍ଗଠନର 148 ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସିରିଆ ସରକାର ହିଂସା ପ୍ରଭାବିତ ଲଟକିୟା ସହରରେ ପାଣି ଓ ବିଜୁଳୀ ସପ୍ଲାଇ କାଟିଦେଇଛନ୍ତି। ସିରିଆରେ ଏହି ହିଂସା ଗୁରୁବାର ଆରମ୍ଭ ହେବା ପରେ ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଥିଲା।
ଶୁକ୍ରବାର ସୁନ୍ନି ମୁସଲିମ ସଂଗଠନ ସହ ଜଡିତ ଲୋକମାନେ ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ସମର୍ଥକ ଆଲୱାଇ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସଦ ମଧ୍ୟ ଏହି ସମ୍ପ୍ରଦାୟର। କୁହାଯାଉଛି ଯେ ବସର ଅଲ-ଅସଦ ସରକାରରେ ଆଲାୱାଇଟ୍ ସମ୍ପ୍ରଦାୟକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ ଏବଂ ସେମାନଙ୍କୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରାଉଥିଲେ। ଏହି କାରଣରୁ ସିରିଆର ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ଯେତେବେଳେ ସିରିଆର ବିଦ୍ରୋହୀ ଦଳ ତାହିର ଅଲ-ଶାମ ଏହାର ନେତା ଅବୁ ମହମ୍ମଦ ଅଲ-ଜୁଲାନୀଙ୍କ ନେତୃତ୍ୱରେ ସିରିଆର ଶାସନ ଭାର ଅକ୍ତିଆର କରିଥିଲେ, ସେତେବେଳେ ସିରିଆର ଆଲାୱାଇଟ୍ ସମ୍ପ୍ରଦାୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
Comments are closed.