ତେଲେଙ୍ଗାନା: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ପାଇଥିଲେ ଡାକରା । ହେଲେ ପତାକା ଉତ୍ତୋଳନକୁ ଆଡେଇ ଲାଂଚ ନେବାକୁ ମନସ୍ଥ କରିଥିଲେ ତହସିଲଦାର। ଶେଷରେ ଲାଂଚ ନେବା ଅଭିଯୋଗରେ ଆଣ୍ଟି କରପ୍ସନ ବ୍ୟୁରୋ ତାଙ୍କୁ ଗିରଫ କରିଛି ।
ଶୁକ୍ରବାର ହାଇଦ୍ରାବାଦର କିସ୍ରା ତହସିଲଦାର ଏର୍ଭା ବାଲାରାଜୁ ନାଗାରାଜୁଙ୍କୁ ଏସିବି ଲାଂଚ ନେଉଥିବାବେଳେ ଗିରଫ କରିଥିଲା । ତେବେ ଶହେ କି ହଜାରେ ନୁହେଁ ବରଂ ଜଣେ ରିୟଲ ଇଷ୍ଟେଟ୍ ଏଜେଣ୍ଟକୁ ସହାୟତା କରିବା ଆଳରେ ଦୁଇ କୋଟି ଟଙ୍କା ଓ ଏକ ଗେଷ୍ଟ ହାଉସ୍ ଦାବି କରିଥିଲେ ତହସିଲଦାର ମହୋଦୟ ।
ରିପୋର୍ଟ ଅନୁଯାୟୀ ତହସିଲଦାର ନାଗାରାଜୁ ବିବାଦ ଘେରରେ ରହିଥିବା ୨୮ଏକର ଜମିର ମାମଲାକୁ ରିୟଲ ଇଷ୍ଟେଟ କମ୍ପାନୀର ସପକ୍ଷରେ ଦେଖରେଖ କରିବାକୁ ଡିଲ୍ କରିଥିଲେ । ହେଲେ ଖବର ପାଇ ଏସିବି ଠିକଣା ସମୟରେ ତହସିଲଦାରଙ୍କ ସମେତ ରିୟଲ ଇଷ୍ଟେଟ କମ୍ପାନୀର ୨ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା ।
ଚଢାଉ ସମୟରେ ନଗଦ ୧କୋଟି୧ଲକ୍ଷ ଟଙ୍କା ନାଗାରାଜୁଙ୍କ ନିକଟରୁ ଜବତ ହୋଇଛି । ପ୍ରଥମେ ଜଣେ ଟାଇପିଷ୍ଟ କ୍ଲର୍କ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ନାଗାରାଜୁ ପ୍ରମୋଶନ ପାଇ ଡେପୁଟି ତହସିଲଦାର ବନିଥିଲେ । ହେଲେ ଖୁବ ସମୟ ମଧ୍ୟରେ ତାଙ୍କର ସମ୍ପତ୍ତିର ତାଲିକା ଲମ୍ବିବା ଦେଖି ଏସିବି ତାଙ୍କ ଉପରେ ନଜର ରଖିଥିଲା ।
Comments are closed.